ଚହଲଙ୍କ ମୁହଁରେ ଅଜଣା କଥା: କହିଲେ- ବିରାଟ କୋହଲି ବାଥରୁମରେ କାନ୍ଦୁଥିଲେ

ଚହଲଙ୍କ କହିବା କଥା ଯେ ୨୦୧୯ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ବିରାଟ କୋହଲିଙ୍କ ସମେତ ଜାତୀୟ ଟିମର ପ୍ରାୟ ସବୁ ଖେଳାଳି କାନ୍ଦୁ ଥିବା ସେ ଦେଖିଛନ୍ତି।

ଚହଲଙ୍କ ମୁହଁରେ ଅଜଣା କଥା: କହିଲେ- ବିରାଟ କୋହଲି ବାଥରୁମରେ କାନ୍ଦୁଥିଲେ

ଭେଟରାନ ଭାରତୀୟ ସ୍ପିନର ୟୁଜଭେନ୍ଦର ଚହଲ ବଡ଼ ଖୁଲାସା କରିଛନ୍ତି। ସେ କିଛି ଅଜଣା କାହାଣୀ ଉପରୁ ପରଦା ଉଠାଇଛନ୍ତି। ବିରାଟ କୋହଲି ଏକଦା ବାଥରୁମରେ କାନ୍ଦୁ ଥିବା ସେ ଦେଖିଥିବା ସମସ୍ତଙ୍କୁ ଜଣାଇଛନ୍ତି। ଚହଲଙ୍କ କହିବା କଥା ଯେ ୨୦୧୯ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ବିରାଟ କୋହଲିଙ୍କ ସମେତ ଜାତୀୟ ଟିମର ପ୍ରାୟ ସବୁ ଖେଳାଳି କାନ୍ଦୁ ଥିବା ସେ ଦେଖିଛନ୍ତି।

ବର୍ଷା ଭିଜା ୨୦୧୯ ସେମି ଫାଇନାଲରେ ଭାରତତ ୧୮ ରନରେ ପରାସ୍ତ ହୋଇଥିଲା। ୨୪୦ ରନର ପିଛା କରୁଥିବା ବେଳେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେହି ସମୟର କଥା ଏବେ ଚହଲ ଗୋଟିଏ କାର୍ଯ୍ୟକ୍ରମରେ ପୂରା ବିଶ୍ୱକୁ ଜଣାଇଛନ୍ତି।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଥିବା ପାର୍ଥକ୍ୟ ସମ୍ପର୍କରେ ସେ ମୁହଁ ଖୋଲିବା ସହ ଭାରତୀୟ କ୍ରିକେଟ ଟିମର ଡ୍ରେସିଂ ରୁମ ସହ ଜଡ଼ିତ କିଛି ଅକୁହା କଥା ସମ୍ପର୍କରେ ସୂଚନା ଦେଇଛନ୍ତି।

ଚହଲ କହିଛନ୍ତି, “ପଡ଼ିଆରେ ରୋହିତ ଭାଇ ଯେଉଁ ଭଳି ନିଜକୁ ଚିତ୍ରଣ କରନ୍ତି ମୁଁ ତା’କୁ ବେଶ ପସନ୍ଦ କରେ। ସେ ଜଣେ ଭଲ ଅଧିନାୟକ। ବିରାଟ ଭାଇ ନିଜ ସହ ଅଲଗା ପ୍ରକାରର ଶକ୍ତି ନେଇ ଆସନ୍ତି। ପୂରା ଦିନ ସେହି ଉତ୍ସାହ ରହିଥାଏ। ଏହା ସମୟ କ୍ରମେ ବଢ଼େ, ଆଦୌ ଖସେ ନାହିଁ। ସମାନ ଉତ୍ସାହ ଓ ସବୁ ଦିନ।”

ବିରାଟ କୋହଲି କେବେ କାନ୍ଦିବାର ଆପଣ କେବେ ଦେଖିଛନ୍ତି ବୋଲି ପ୍ରଶ୍ନରେ ଚହଲ ୨୦୧୯ର କାହାଣୀ କହିଛନ୍ତି। ଚହଲ କହିଛନ୍ତି, “୨୦୧୯ ବିଶ୍ୱକପରେ ମୁଁ ତାଙ୍କୁ ବାଥରୁମରେ କାନ୍ଦିବାର ଦେଖିଛି। ସେହି ସମୟରେ ମୁଁ ଶେଷ ବ୍ୟାଟର ଥିଲି। ମୁଁ ଯେତେବେଳେ ତାଙ୍କୁ ଅତିକ୍ରମ କରି ବ୍ୟାଟିଂ କରିବାକୁ ଗଲି ସେତେବେଳେ ତାଙ୍କ ଆଖିରେ ଲୁହ ରହିଥିଲା। ୨୦୧୯ରେ ପ୍ରାୟ ସବୁ ଖେଳାଳି ବାଥରୁମରେ କାନ୍ଦିଥିବା ମୁଁ ଦେଖିଛି।”

୨୦୧୯ ବିଶ୍ୱକପ ସେମିରେ ଚହଲ ନିଜର ପ୍ରଦର୍ଶନକୁ ନେଇ ମଧ୍ୟ ଅନୁତପ୍ତ ଥିବା କହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିରେ ସେ ୧୦ ଓଭରରେ ୬୩ ରନ ଦେଇ କେବଳ ଗୋଟିଏ ୱିକେଟ ପାଇଥିଲେ।

ଏ ସମ୍ପର୍କରେ ଚହଲ କହିଛନ୍ତି, “ସେମି ଫାଇନାଲ ମାହି ଭାଇ(ମହେନ୍ଦ୍ର ସିଂହ ଧୋନି)ଙ୍କ ଶେଷ ମ୍ୟାଚ୍‌ ଥିଲା। ମୁଁ ଆହୁରି ଭଲ କରି ପାରିଥାଆନ୍ତି। ମୁଁ ଏବେ ବି ସେଥିପାଇଁ ଅନୁତପ୍ତ। ମୁଁ ଆଉ ଟିକିଏ ଭଲ ବୋଲିଂ କରିପାରି ଥାଆନ୍ତି। ଆଉ ୧୦ରୁ ୧୫ ରନ କମ ଖର୍ଚ୍ଚ କରି ପାରିଥାଆନ୍ତି। କିନ୍ତୁ ବେଳେବେଳେ ସବୁ କିଛି ଏତେ ଶୀଘ୍ର ହୋଇଯାଏ ଯେ ଆପଣଙ୍କୁ ଭାବିବାକୁ ଆଦୌ ସମୟ ମିଳେ ନାହିଁ।

ଯଦି ମୁଁ ଟିକିଏ ଶାନ୍ତ ରହିଥାଆନ୍ତି, ତା’ହେଲେ ଆଉ ଟିକିଏ ଭଲ ହୋଇପାରି ଥାଆନ୍ତା। ମୁଁ ମୋର ଶ୍ରେଷ୍ଠ ଦେଇଥିଲି। କିନ୍ତୁ ତା’ହା ସେମି ଫାଇନାଲ ଥିଲା। ବଡ଼ ମ୍ୟାଚ୍‌ରେ ନିଜର ଅତିରିକ୍ତ ୧୦ରୁ ୧୫% ଦେବାକୁ ପଡ଼ିଥାଏ।”