'ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନଲୋଡ୍‌ କରିବା ଅପରାଧ'

ସୁପ୍ରିମକୋର୍ଟ ପୋକ୍ସୋ ଆକ୍ଟରେ ପରିବର୍ତ୍ତନ କରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ସ୍ଥାନରେ ଶିଶୁ ଯୌନ ନିର୍ଯାତନା ତଥା ଦୁର୍ବ୍ୟବହାର ସାମଗ୍ରୀ ଲେଖାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

'ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନଲୋଡ୍‌ କରିବା ଅପରାଧ'

ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍‌ଲୋଡ୍‌ କରିବା ଦଣ୍ଡନୀୟ ଅପରାଧ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅଟେ।

ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ୍, ଜଷ୍ଟିସ୍ ଜେ.ବି ପାରଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇନ୍ତି। ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି।

ନିକଟରେ ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ। କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କରିବା ଏବଂ ଦେଖିବା POCSO ଆକ୍ଟ ଅନୁଯାୟୀ ଅପରାଧ ନୁହେଁ ବୋଲି ଏଥିରେ ଦର୍ଶାଯାଇଥିଲା।

ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନେକ ସଂଗଠନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଛି।

ଶୁଣାଣି ବେଳେ ଜଷ୍ଟିସ ଜେ.ବି ପାରଡିୱାଲା କହିଛନ୍ତି ଯେ ଦୋଷୀମାନଙ୍କ ମାନସିକ ସ୍ଥିତିର ଅନୁମାନ ଉପରେ ସମସ୍ତ ପ୍ରଯୁଜ୍ୟ ବ୍ୟବସ୍ଥା ବୁଝାଇବାକୁ ଆମେ ଚେଷ୍ଟା କରିଛୁ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ରଖିଛୁ। ପୋକ୍ସୋ ଆକ୍ଟରେ ପରିବର୍ତ୍ତନ କରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ସ୍ଥାନରେ child sexually abusive and exploitative material (CSAEM) ତଥା ଶିଶୁ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ସାମଗ୍ରୀ ଲେଖାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା କରୁଥିବା ବେଞ୍ଚର ସଦସ୍ୟ ଜଷ୍ଟିଶ ଜେ ବି ପାରଡିଓ୍ୱାଲା ୨୦୦ ପୃଷ୍ଠାର ଏହି ରାୟ ଲେଖିଛନ୍ତି।

ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପୋକ୍ସୋ ଆଇନରେ ପରିବର୍ତ୍ତନ ସଂସଦରେ ଅନୁମୋଦନ ନହୁଏ ସେପର୍ଯ୍ୟନ୍ତ ଏକ ନିୟମ ଆଣିବା ଉଚିତ୍‌। ସୁପ୍ରିମକୋର୍ଟ ମଧ୍ୟ ଦେଶର ଅଦାଲତମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ CSAEM ଲେଖିବାକୁ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଏହିପରି ଅପରାଧର ବାସ୍ତବତାକୁ ଅଧିକ ସଠିକ୍ ଭାବରେ ଦର୍ଶାଯାଇପାରିବ।