ଚାପଖେଳ ବେଳେ ବାଣ ବିସ୍ଫୋରଣ; ଫୁଟାଇବା ପାଇଁ କିଏ ଦେଇଥିଲା ଅନୁମତି ?
ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ । ବାଣଫୁଟା ପାଇଁ କିଏ ଦେଇଥିଲା ଅନୁମତି ?
ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ। ପୁଷ୍କରିଣୀ ଚାରିପଟେ ଭକ୍ତିରେ ତଲ୍ଲିନ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼। ହଠାତ୍ ଦେବୀ ଘାଟ ଦସତୁଠ ନିକଟରେ ହେଲା ବଡ଼ ଧରଣର ବିସ୍ଫୋରଣ। ଚାପ ଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା । ଆଉ ଦେଖୁ ଦେଖି ବାଣ ନିଆଁ ଆସି ଶ୍ରଦ୍ଧାଳୁଙ୍କ ଦେହରେ ପଡିଥିଲା। ନିମିଷକ ମଧ୍ୟରେ ନିଆଁରେ ପୋଡିଯାଇଥିଲେ ପିଲାଠୁ ବଡ଼, ୩୦ରୁ ଅଧିକ ଶ୍ରଦ୍ଧାଳୁ।
ବାଣ ବିସ୍ଫୋରଣ ପରେ ଜୀବନ ବଂଚାଇବାକୁ ନରେନ୍ଦ୍ର ପୁଷ୍କରିଣୀ ଭିତରକୁ ଡେଇଁପଡିଥିଲେ ଅନେକ। ଆଜି ସକାଳୁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍କୁବା ଡାଇଭରଙ୍କ ସହାୟତାରେ ହୋଇଥିଲା ସର୍ଚ୍ଚ ଅପରେସନ।
ଏପଟେ ବାଣ ନିଆଁ ଲାଗି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୩୦ରୁ ଅଧିକ ଆହତ। କଟକ SCBରେ କିଛି ଗୁରୁତର ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ୩ ଜଣ ଥିବାବେଳେ ୪ ଜଣ ଅଛନ୍ତି ଜେନେରାଲ ସର୍ଜରୀ ୱାର୍ଡରେ। ଏମାନଙ୍କ ମଧ୍ୟରୁ ୨ ଜଣ ପ୍ରାୟ ଶତ ପ୍ରତିଶତ ଜଳି ଯାଇଥିବା ବେଳେ ଆଉ ଜଣଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇଛି । ଭୁବନେଶ୍ବରର ଏକାଧିକ ଘରୋଇ ହସ୍ପିଟାଲରେ ବି କିଛି ଆହତଙ୍କ ଚିକିତ୍ସା ଚାଲିଛି। ଏମ୍ସରେ ସାମାନ୍ୟ ଆହତ ହୋଇଥିବା ୨ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପ୍ରଶ୍ନ ଉଠୁଛି, ନରେନ୍ଦ୍ର ପୁଷ୍କରିଣୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି କେମିତି ମିଳିଥିଲା ? କିଏ ଦେଇଥିଲା ? ବିପୁଳ ପରିମାଣର ବିସ୍ଫୋରକ ବାଣ ଫୁଟାଇବାକୁ ପ୍ରଶାସନର କିଛି ଗାଇଡଲାଇନ୍ ନଥିଲା କି ? ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ ବୋଲି ପ୍ରଶାସନ ଜାଣି ବି ବ୍ୟବସ୍ଥା କାହିଁକି କରିନଥିଲା ? ସୁରକ୍ଷା ଦାୟିତ୍ବରେ ପର୍ଯ୍ୟାପ୍ତ ପୋଲିସ ନଥିଲେ କି ?
କେବଳ ନରେନ୍ଦ୍ର ପୁଷ୍କରିଣୀ ସ୍ଥଳରେ ପ୍ରଶାସନର ଅବ୍ୟବସ୍ଥା ଓ ଢିଲାପଣ ସାମ୍ନାକୁ ଆସିନି ବରଂ ତାଠୁ ବଳିଯାଇଛି ପୁରୀ ବଡ ମେଡିକାଲରେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା। ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍। ପର୍ଯ୍ୟାପ୍ତ ପରିମାଣର ଡାକ୍ତର ନାହାଁନ୍ତି, ବିଶେଷଜ୍ଞ କଥା ତ ନକହିଲେ ଭଲ। ମେଡିକାଲରେ ଆମ୍ବୁଲାନ୍ସର ବି ଘୋର ଅଭାବ। ଯେଉଁଥିପାଇଁ ଗତକାଲି ଆଶୁ ଚିକିତ୍ସା କରିବାକୁ ଆସି ଛଟପଟ ହୋଇଥିଲେ ରୋଗୀ। ପୁରୀକୁ ବିଶ୍ବ ଐତିହ୍ୟ ସହର କରିବାକୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଖି ବୁଜିଦେଇଥିବା କୋହ ଭରା କଣ୍ଠରେ କହିଛନ୍ତି ମୃତକଙ୍କ ସମ୍ପର୍କୀୟ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହସପିଟାଲ ଯାଇ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିଶନର ଘଟଣାର ତଦନ୍ତ କରିବେ। ସେପଟେ ପୁରୀ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ସେପଟେ ହସପିଟାଲରେ ଆହତଙ୍କୁ ଭେଟିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ୍ ପାତ୍ର। କେମିତି ଏବଂ କେଉଁ ପରିସ୍ଥିତିରେ ବାଣ ଫୁଟିଲା, କେମିତି ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନଥିଲା, ତାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।