ଚିଠି କରି କ’ଣ ପାଇଁ ଫେରାଇ ନେଲେ ଜିଲ୍ଲାପାଳ? ନିର୍ବାଚନ ଭୟ ନୁହେଁ ତ!

ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଖାରଜ କରିଦେଇଥିଲେ। ହେଲେ ଏହାର କାରଣ ସମ୍ପର୍କରେ ତର୍ଜମା ନକରି ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପୁଣି ଥରେ ଏପରି ବିଜ୍ଞପ୍ତି ପ୍ରକାଶ କରିଥିଲା।

ଚିଠି କରି କ’ଣ ପାଇଁ ଫେରାଇ ନେଲେ ଜିଲ୍ଲାପାଳ? ନିର୍ବାଚନ ଭୟ ନୁହେଁ ତ!

ଚିଠି କଲେ ଜିଲ୍ଲାପାଳ। ହେଲେ ହଠାତ୍‌ କ’ଣ ହେଲେ ମୟୂରଭଞ୍ଜ ଜିଲ୍ଲାପାଳ କରିଥିବା ଚିଠିକୁ ଫେରାଇ ନେଲେ? କୁହାଯାଉଛି ଚିଠିକୁ ନେଇ ବନବାସୀଙ୍କ ମଧ୍ୟରେ ନୀରବ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥିତି ଭୟଙ୍କର ରୂପ ନେବା ପୂର୍ବରୁ ୨୦୨୪ ନିର୍ବାଚନ ପରାଜୟ ଭୟରେ ରାଜସ୍ୱ ମନ୍ତ୍ରୀଙ୍କ ପରାମର୍ଶ ଓ ମୁଖ୍ୟନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ଚିଠିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହାକୁ ନେଇ ଜିଲ୍ଲାରେ ନାନା ଚର୍ଚ୍ଚା ଚାଲିଛି।

ପୂରା ଘଟଣାଟି ଏମିତି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଏକ ବିଜ୍ଞପ୍ତି ଓ ଚିଠି ଗତ ୪ ତାରିଖରେ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଛି, ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ; ଜଙ୍ଗଳ ଭିତରେ ଜମିର ମାଲିକାନାତ୍ଵ ରଖିଥିବା ସମସ୍ତ ଲୋକ ୨ ମାସ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଜଙ୍ଗଲ ବନ୍ଦୋବସ୍ତ ବିଭାଗରେ ହାଜର ହୋଇ ତଥ୍ୟ ଦାଖଲ କରନ୍ତୁ। ଧାର୍ଯ୍ୟ ଅବଧି ମଧ୍ୟରେ ହାଜର ହୋଇ ନିଜର ଅବସ୍ଥିତି ଓ ଜମିଜମା ବାବଦ ତଥ୍ୟ ଦାଖଲ ନକଲେ ପରବର୍ତ୍ତୀ ସମୟରେ କୌଣସି ଆପତ୍ତି ଅଭିଯୋଗ ଗ୍ରହଣ ହେବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ଏ ସଂକ୍ରାନ୍ତୀୟ ସରକାରୀ ଚିଠି ଯଶିପୁର, ବାଙ୍ଗିରିପୋଷି, ଉଦଳା, କରଞ୍ଜିଆ, ଠାକୁରମୁଣ୍ଡା ଓ ଶାମାଖୁଣ୍ଟା ବ୍ଲକ ପ୍ରଶାସନକୁ ମଧ୍ୟ ପଠାଯାଇଥିଲା।

ସେପଟେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଖାରଜ କରିଦେଇଥିଲେ। ହେଲେ ଏହାର କାରଣ ସମ୍ପର୍କରେ ତର୍ଜମା ନକରି ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପୁଣି ଥରେ ଏପରି ବିଜ୍ଞପ୍ତି ପ୍ରକାଶ କରିଥିଲା। ଯାହାକୁ ବିଭିନ୍ନ ମହଲରେ ପ୍ରତିବାଦ କରାଯାଇଥିଲା। ବନବାସୀମାନେ ବିରୋଧ କରିବା ପାଇଁ ସଜବାଜ ହେଉଥିଲେ। ଏ ସମ୍ପର୍କରେ ଜାଣିପାରିଥିଲେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଶୁଣିବାକୁ ମିଳୁଛି, ସୁଦାମ ମରାଣ୍ଡି ଏନେଇ କୁଆଡ଼େ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳ ବିନୀତ ଭରଦ୍ୱାର ଗତ ୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନେଇଥିଲେ।

୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଜୈବମଣ୍ଡଳର ୨୨ ଶହ ବର୍ଗ କିମି ଅଞ୍ଚଳକୁ ୧୯୭୯ ମସିହାରେ ଅଭୟାରଣ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର। ୧୯୮୦ ମସିହାରେ ଏହି ଅଭୟାରଣ୍ୟର ୩୦୬୩ ବର୍ଗ କିମି କୋର ଏରିଆ ବୋଲି ଘୋଷଣା କରାଯାଇଛି। ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି। ଏ ଦିଗରେ ରାଜ୍ୟ ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ ଅଭୟାରଣ୍ୟ ଭିତରୁ ଜନବସତିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରିଛନ୍ତି।

ଶିମିଳିପାଳର କୋର ଏରିଆରେ ଓ ଏହାକୁ ଲାଗି ୫୦ରୁ ଅଧିକ ପଡ଼ା ଗ୍ରାମରେ ୧୦ ହଜାରରୁ ଅଧିକ ବନବାସୀ ରହୁଥିବାରୁ ନୂଆ ଗାଁ ମଧ୍ୟ ସ୍ଥାପନ କରାଯାଇଛି। ହେଲେ ଜାତୀୟ ଉଦ୍ୟାନ ପାଇଁ ମୁଖ୍ୟତଃ ବକୁଆ ଗାଁ ବିସ୍ଥାପନ ଏବେ ପ୍ରାଥମିକତା ପାଲଟିଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତାରୁ ବାଦ ପଡୁଛି ବୋଲି କହିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ NTCA ରାଜ୍ୟ ସରକାରଙ୍କୁ ବିସ୍ଥାପିତଙ୍କ ବାବଦରେ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ତାହାହେଲେ ରାଜ୍ୟ ସରକାର କାହିଁକି ବିସ୍ଥାପନ ସମସ୍ୟା ଦୂର କରୁନାହାନ୍ତି? ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଜାଣିଶୁଣି ବିଜ୍ଞପ୍ତି ପ୍ରକାଶ କରି ପୁଣି ତାକୁ ପ୍ରତ୍ୟାହାର କରିନେଲେ ବୋଲି ବିଧାୟକ କହିଛନ୍ତି।

ତେବେ ଏ ନେଇ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେଇନଥିଲେ।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି