ଛାତ୍ରଙ୍କୁ ରାଗିଂ ଘଟଣା; ୧୭ ଛାତ୍ରଙ୍କ ବିରୋଧରେ କଡ଼ା ଆକ୍ସନ

ଅଭିଯୁକ୍ତ ୧୭ ଛାତ୍ରଙ୍କ ମଧ୍ୟରୁ ୪ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହ‌‌ଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବଶିଷ୍ଟ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି।

ଛାତ୍ରଙ୍କୁ ରାଗିଂ ଘଟଣା; ୧୭ ଛାତ୍ରଙ୍କ ବିରୋଧରେ କଡ଼ା ଆକ୍ସନ

ପ୍ରାୟ ୧୫ ଦିନ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଥମ ବର୍ଷ ଛାତ୍ର ରାଗିଂ ହୋଇଥିବା ଘଟଣା ସାମନାକୁ ଆସିଥିଲା। ଏହି ଘଟଣାରେ ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ଅଭିଯୁକ୍ତ ୧୭ ଛାତ୍ରଙ୍କ ମଧ୍ୟରୁ ୪ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହ‌‌ଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବଶିଷ୍ଟ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ଚେତାଇ ଦେଇଛନ୍ତି।

ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ୱିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ଘଟଣା ସାମନାକୁ ଆସିଥିଲା। ଏନେଇ ପୀଡ଼ିତ ୟୁଜିସିର ଆଣ୍ଟିରାଗିଂ ସେଲ୍‌ରେ ଅଭିଯୋଗ କରିଥିଲେ। ୟୁଜିସି ପକ୍ଷରୁ ୨୨ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

୨୩ତାରିଖ ଦିନ କୁଳପତି ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଶୃଙ୍ଖଳା କମିଟି ଏବଂ ଆଣ୍ଟିରାଗିଂ କମିଟିର ଦାୟିତ୍ୱରେ ଥିବା ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ଘଟଣାର ତଦନ୍ତ କରିବା ପାଇଁ ଆଣ୍ଟିରାଗିଂ କମିଟିର ୧୨ଜଣିଆ ସଦସ୍ୟ ଏବଂ ସିକ୍ୟୁରିଟି ଅଫିସର ତଥା ଡିଏସ୍‌ପି ଦୀପ୍ତିକାନ୍ତ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ତଦନ୍ତକାରୀ ଦଳ ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ। ଏହି ଘଟଣାରେ ତଦନ୍ତ ରିପୋର୍ଟ ଗତକାଲି କୁଳପତିଙ୍କୁ ପ୍ରଦାନ କରାଯାଇଥିଲା।

ରିପୋର୍ଟକୁ ଆଧାର କରି ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରା ହ‌ଷ୍ଟେଲ୍‌ରେ ରହୁଥିବା ବିଭିନ୍ନ ବିଭାଗର ୪ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହ‌‌ଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି।

ଏ ନେଇ କୁଳପତି ଗୀତାଞ୍ଜଳି ଦାଶଙ୍କ ସହ ଯୋଗାଯୋଗ କରିବାରେ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା କହିଛନ୍ତି। ଏହାର ରିପୋର୍ଟ ୟୁଜିସିକୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ବିଶୃଙ୍ଖଳା ଦେଖାଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।