ଜଗନ୍ନାଥଙ୍କ ସହ କାହିଁକି ଲାଗିଛି ପାଣ୍ଡିଆନଙ୍କ ଫଟୋ ?
ବଡମ୍ବାର କଙ୍କଡ଼ାଯୋଡି ଗାଁରେ ବି ବିରୋଧ । ବିରୋଧ କଲେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ । ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ୨୩ ନମ୍ବର ୱାର୍ଡରେ ଅର୍ପଣ ରଥ ବୁଲୁଥିବା ବେଳେ ଲୋକେ ବିରୋଧ କରି ରଥକୁ ଫେରାଇ ଦେଇଥିଲେ। ୨୩ ନମ୍ବର ୱାର୍ଡର ଉଚଡିହା ଗାଁରେ ରଥ ପହଞ୍ଚିବା ପରେ ଗ୍ରାମବାସୀ ବିରୋଧ କରିଥିଲେ। ରଥରେ ଫାଇଭ୍ ଟି’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଫଟୋ କାହିଁକି ଲାଗିଛି ବୋଲି ପ୍ରଶ୍ନ କରିଥିଲେ।
ସେପଟେ କଟକ ଜିଲ୍ଲା ବଡମ୍ବାର କଙ୍କଡ଼ାଯୋଡି ଗାଁରେ ବି ଅର୍ପଣ ରଥକୁ ବିରୋଧ। ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଏକାଠି ହୋଇ ଜଗନ୍ନାଥଙ୍କ ପାଖରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଫଟୋକୁ ବିରୋଧ କରିଥିଲେ । ଅର୍ପଣ ରଥ ଚାରିପଟେ ନବୀନ ଓ ପାଣ୍ଡିଆନଙ୍କ ବ୍ୟାନର ଉପରେ ଧଳା ଲୁଗା ବୁଲାଇ ପ୍ରତିବାଦ କରିଥିଲେ। ଏହାକୁ ନେଇ ମାଣିଆବନ୍ଧ ପୋଲିସ ଓ ସରପଞ୍ଚଙ୍କ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ ।#ArpanaRath #Srimandir pic.twitter.com/mJQqkRzr9S — ଓଟିଭି (@otvkhabar) January 14, 2024
ଅନ୍ୟପଟେ ରାଜ୍ୟରେ ବୁଲୁଥିବା ଅର୍ପଣ ରଥକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ କରିଛନ୍ତି । ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁଗାଁ ବୁଲୁଛନ୍ତି । ପ୍ରଭୁଙ୍କୁ ଏକ ଅଟୋରେ ଖରା, ଶୀତ, କାକରରେ ବାହାରେ ରଖାଯାଉଛି। ଗାଡ଼ିକୁ ଅଳିଆ ଗଦା ପାଖରେ ପାର୍କିଂ କରି ରଖାଯାଉଛି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କୁ ଯିଏ ବି ପରାମର୍ଶ ଦେଉଛନ୍ତି, ତାହା ଭୁଲ୍ ପରାମର୍ଶ।
ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ତା’ସହ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ମଧ୍ୟ ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି। ବୋକାମୀର ଏଭଳି ଭିନ୍ନ ଚିତ୍ର ଆଜି ସମସ୍ତଙ୍କୁ କଷ୍ଟ ଦେଉଛି ବୋଲି Xରେ କହିଛନ୍ତି ଅପରାଜିତା। ତେବେ ଏନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।