ଜଣଙ୍କ ଜୀବନ ନେଇଗଲା ବାଘ, ପିଟିପିଟି ମାରିଦେଲେ ଗାଁ ଲୋକ
ଗାଁ ଲୋକମାନେ ରକ୍ତମୁଖା ବାଘକୁ ଖୋଜିବା ସହ ପଥର ଓ କୁରାଢ଼ୀ ଦ୍ୱାରା ଆକ୍ରମଣ କରି ତାକୁ ମାରି ଦେଇଛନ୍ତି।
ଉତ୍ତ୍ୟକ୍ତ ଗାଁ ଲୋକ ଗୋଟିଏ ୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ମାରି ଦେଇଛନ୍ତି। ବାଘଟି ଶନିବାର ରାଜସ୍ଥାନର ରଥାମ୍ଭର ଜାତୀୟ ଉଦ୍ୟାନ(ଆରଏନପି) ନିକଟରେ ଥିବା ଉଲିୟାନା ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା। ଏହି ଘଟଣା ପରେ ଗାଁ ଲୋକମାନେ ରକ୍ତମୁଖା ବାଘକୁ ଖୋଜିବା ସହ ପଥର ଓ କୁରାଢ଼ୀ ଦ୍ୱାରା ଆକ୍ରମଣ କରି ତାକୁ ମାରି ଦେଇଛନ୍ତି।
ତେବେ ସେମାନେ ବାଘଟିକୁ ଶନିବାର କି ରବିବାର ମାରିଛନ୍ତି, ସେକଥା ସ୍ପଷ୍ଟ ହୋଇନି। ଜଙ୍ଗଲ ବିଭାଗ ଏଯାଏ ବାଘର ମୃତ୍ୟୁ ସମ୍ପର୍କରେ କୌଣସି ପ୍ରକାରର ବିବୃତି ଜାରି କରିନାହିଁ। ଜଣେ ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।
ତାଙ୍କ କହିବା କଥା ଯେ ଗୋଟିଏ ବର୍ଷ ହେଲାଣି ରଥାମ୍ଭରରେ ବାଘ ଉପରେ ନଜର ରଖାଯାଉ ନାହିଁ। ସେମାନଙ୍କ ଗତପଥକୁ କେହି ବି ତଦାରଖ କରୁ ନାହାନ୍ତି। ଲୋକମାନେ କେତେ ବେଳେ ବାଘ ବିଚରଣ କରୁଥିବା ଅଞ୍ଚଳରେ ପ୍ରବେଶ କରି ଯାଉଛନ୍ତି ତ ଆଉ କେତେବେଳେ ବାଘ ଜନବସତି ଆଡ଼େ ଚାଲି ଯାଉଛି। ଏଥିଯୋଗୁ ଏତେ ବଡ଼ ଘଟଣା ଘଟିଥିବା ସେ କହିଛନ୍ତି।
ବାଘଟି ଗାଁର ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମାରି ଦେବା ପରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କୃଷି ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୨୨ ଘଣ୍ଟା ଧରି ଜାରି ରହିଥିବା ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ଏସବୁ ଭିତରେ ଆଉ କିଛି ଗାଁ ଲୋକ ବାଘଟିକୁ ଖୋଜିବା ସହ ତାକୁ ଠାବ କରିବା ପରେ ହତ୍ୟା କରିଥିବା ଜଣାପଡ଼ିଛି।