ଜବରଦଖଲ ଉଚ୍ଛେଦ ବେଳେ ପୁଲିସର ଗୁଳିମାଡ଼: ୨ ମୃତ, ଅନେକ ଆହତ

କାଚୁତାଲି ଗାଁରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି।

ଜବରଦଖଲ ଉଚ୍ଛେଦ ବେଳେ ପୁଲିସର ଗୁଳିମାଡ଼: ୨ ମୃତ, ଅନେକ ଆହତ

ଆସାମରେ ଚାଲିଥିବା ଜବରଦଖଲ ଉଚ୍ଛେଦ ବେଳେ ଘଟିଛି ଲଙ୍କାକାଣ୍ଡ। ଜବଦରଦଖଲ ଉଚ୍ଛେଦ କରୁଥିବା ଲୋକଙ୍କ ଉପରକୁ ପୁଲିସ୍‌ ଚଳାଇଛି ଗୁଳି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ଆସାମର କାମରୂପ ମେଟ୍ରୋପଲିଟାଣ୍ଟ ଜିଲ୍ଲାରେ ଘଟିଛି। ଏଠାରେ ଥିବା କାଚୁତାଲି ଗାଁରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ୧୮ ବର୍ଷୀୟ ଜୁବାହିର ଅଲୀ ଓ ହାଇଦର ପ୍ରାଣ ହରାଇଛନ୍ତି। ଉଭୟ କାଚୁତାଲି ଗାଁର ବାସିନ୍ଦା।

ଜୁବାହିର ଅଲୀଙ୍କ ବାପା କହିଛନ୍ତି, “ଏଠାରେ ଲୋକମାନେ ପଲିଥିନ ଓ ତମ୍ବୁ ତଳେ ଘର କରି ରହୁଛନ୍ତି। ଆଜି ଅଧିକାରୀମାନେ ଦିନ ୧୦ଟା ବେଳେ ଆସିଥିଲେ ଓ ତୁରନ୍ତ ସ୍ଥାନ ଖାଲି କରିବାକୁ କହିଥିଲେ। ତୁରନ୍ତ ହଟିବାକୁ କୁହାଯିବାକୁ ଲୋକମାନେ ସ୍ଥାନ ଛାଡ଼ି ନଥିଲେ ଓ ବିକ୍ଷୋଭ କରିଥିଲେ। ଲୋକମାନଙ୍କୁ ଆକ୍ରୋଶକୁ ଦେଖି ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଏହି ବିକ୍ଷୋଭ ଭିଡ଼ ଭିତରେ ମୋ ପୁଅ ମଧ୍ୟ ରହିଥିଲା।”

ସୋମବାର ଠାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ କରାଯାଉଛି। ଇତି ମଧ୍ୟରେ ପ୍ରାଶାସନ ୧୪୦ଟି ଘର ଭାଙ୍ଗି ସାରିଲାଣି। ଆଜି ମଧ୍ୟ ପ୍ରଶାସନ ଉଚ୍ଛେଦ କରିବାକୁ ଆସିଥିଲା। ତେବେ ଲୋକଙ୍କ ପାଖରେ ରହିବାକୁ ସ୍ଥାନ ନଥିବାରୁ ସେମାନେ ନିଜ କୁଡ଼ିଆ ଛାଡ଼ି ନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ପୁଲିସ୍‌ ଗୁଳି ଚଳାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଆଦିବାସୀ ବହୁଳ ଏହି ଅଞ୍ଚଳରେ ରହୁଥିବା ୬୦ଟି ମୁସଲିମ ପରିବାର ଘର ଭଙ୍ଗା ଯାଇଛି। ହେଲେ ଅଣ ମୁସଲିମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହା ଏକ ସାଂପ୍ରଦାୟିକ ଉଚ୍ଛେଦ।

ଅଣ ମୁସଲିମ ଓ ଅଣ ଆଦିବାସୀଙ୍କ ଜବରଦଖଲକୁ ଉଚ୍ଛେଦ କରାଯାଇ ନାହିଁ। ଏହି ଅଞ୍ଚଳରେ ହଜାର ହଜାର ଅଣ ମୁସଲିମ ଲୋକ ସରକାରୀ ଜମିରେ ରହୁଥିବା ସୋନାପୁର ପଞ୍ଚାୟତର ପୂର୍ବତନ ସଭାପତି ତଥା କାଚୁତାଲି ଗାଁର ବାସିନ୍ଦା ମେନ ହକ ଚୌଧୁରୀ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗାଁରେ ଉଚ୍ଛେଦ ଚାଲିଥିବା ବେଳେ ଶତାଧିକ ଲୋକ ସରକାରୀ ଅଧିକାରୀ ଓ ପୁଲିସ୍‌ ଉପରକୁ ପଥର ମାଡ଼ କରିଥିଲେ। ସେମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଏହାର ଜବାବ ଦିଆଯାଇଥିଲା।

ଆତ୍ମରକ୍ଷା ପାଇଁ ପୁଲିସ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଲୋକଙ୍କ ଆକ୍ରମଣରେ ଅନେକ ପୁଲିସ୍‌ କର୍ମଚାରୀ ଓ ଉଚ୍ଛେଦ କାମରେ ସାମିଲ ଥିବା ଅଧିକାରୀମାନେ ମଧ୍ୟ ଆହତ ହୋଇଛନ୍ତି।

ସୋନାପୁର ସର୍କଲ ଅଫିସର ନିତୁଲ କହିଛନ୍ତି, ସୋନାପୁର ସର୍କଳ ଅଧୀନରେ ଥିବା ୧୪୫ଟି ଗାଁ ମଧ୍ୟରୁ ୧୨୨ଟି ଆଦିବାସୀ ବହୁଳ। ଏହି ୧୨୨ଟି ଆଦିବାସୀ ଗାଁ ମଧ୍ୟରୁ କାଚୁତାଲି, ଚାମାତା ପଥର ଓ ବାରନିରେ ଗାଁରେ ସରକାରୀ ଜମିକୁ ମାଡ଼ି ବସିଥିବା ଅସଂରକ୍ଷିତ ବର୍ଗର ଲୋକଙ୍କ ଘରକୁ ଉଚ୍ଛେଦ କରାଯାଉଛି।