ଜମ୍ମୁ-କଶ୍ମୀର ନିର୍ବାଚନ: ଏକାଠି ଲଢ଼ିବେ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ

ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ଭୋଟ ପଡ଼ିବ।

ଜମ୍ମୁ-କଶ୍ମୀର ନିର୍ବାଚନ: ଏକାଠି ଲଢ଼ିବେ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ। ଉଭୟ ଦଳ ଏକାଠି ଜମ୍ମୁ-କଶ୍ମୀର ନିର୍ବାଚନ ଲଢ଼ିବେ ବୋଲି ଆଜି ନ୍ୟାଶନାଲ କନ‍ଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ତାଙ୍କ ଦଳ କଂଗ୍ରେସ ସହ ଆଗାମୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବ। ଉଭୟ ଦଳ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସିଟ୍‌ ଶେୟାରିଂ ଫର୍ମୁଲା ଉପରେ ଆଲୋଚନେ ଚାଲିଥିବା ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ଯାଏ ଶ୍ରୀନଗରରେ ଉଭୟ ଦଳର ବରିଷ୍ଠ ନେତାମାନେ ମେଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ଫୋକସ ସିଟ ଆବଣ୍ଟନ ଉପରେ ରହିଥିଲା। ସୂତ୍ର ଅନୁସାରେ, କଂଗ୍ରେସ କଶ୍ମୀର ଉପତ୍ୟକାର ୧୨ଟି ଆସନରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛି। ସହଯୋଗୀ ନ୍ୟାଶନାଲ କନଫରେନ୍ସକୁ ଦଳ ଜମ୍ମୁ ଡିଭିଜନରେ ୧୨ ଆସନ ଅଫର କରିଛି।

ତେବେ ସିଟ୍‌ ଶେୟାରିଂକୁ ନେଇ ଏଯାଏ ଦୁଇ ଦଳ ମଧ୍ୟରେ କୌଣସି ପ୍ରକାରର ସହମତି ହୋଇପାରନି। ତଥାପି ମେଣ୍ଟ ଓ ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିବା ପାଇଁ ଦୁଇ ଦଳ ମଧ୍ୟରେ ଆଉ ଗୋଟିଏ ରାଉଣ୍ଡ ବୈଠକ ହେବ। ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ଉକ୍ତ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ବହୁ ପ୍ରତିକ୍ଷୀତ ଜମ୍ମୁ-କଶ୍ମୀ ବିଧାନସଭା ନିର୍ବାଚନ ପାଇଁ ନିକଟରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ତାରିଖ ଘୋଷଣା ପରେ ଜମ୍ମୁ-କଶ୍ମୀରରରେ ରାଜନୀତିକ ଉଷ୍ଣତା ବଢ଼ିଛି। ଏଠାରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ଏହାପୂର୍ବରୁ ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ଭୋଟ ପଡ଼ିବ। ଧାରା ୩୭୦ ଓ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଏଠାରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।