ଜାତିସଂଘ ପୋଷ୍ଟ ଉପରେ ଇସ୍ରାଏଲର ହମଲା, ବିପଦରେ ୬୦୦ ଭାରତୀୟ ସୈନ୍ୟ
ମିଳିତ ଜାତିସଂଘ ଲେବାନନରେ ଶାନ୍ତି ସ୍ଥାପନ ପାଇଁ ଆରମ୍ଭ କରିଥିବା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଛନ୍ତି।
ଦକ୍ଷିଣ ଲେବାନନରେ ଥିବା ମିଳିତ ଜାତିସଂଘର ଶାନ୍ତି ସ୍ଥାପକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଦକ୍ଷିଣ ଲେବାନରେ ହେଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରୁଥିବା ଆକ୍ରମଣ ଦ୍ୱାରା ଶାନ୍ତି ସ୍ଥାପକମାନେ ପ୍ରଭାବିତ ହେବା ପରେ ଭାରତ ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିତ ଜାତିସଂଘ ଲେବାନନରେ ଶାନ୍ତି ସ୍ଥାପନ ପାଇଁ ଆରମ୍ଭ କରିଥିବା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଛନ୍ତି। ସେମାନେ ଇସ୍ରାଏଲ-ଲେବାନନ ସୀମାକୁ ଲାଗି ଥିବା ୧୨୦ କିମି ବ୍ଲ୍ୟୁ ଲାଇନରେ ମୁତୟନ ହୋଇଛନ୍ତି। ଏବେ ଇସ୍ରାଏଲ ସେଠାରେ ଆକ୍ରମଣ କରୁଥିବାରୁ ଭାରତୀୟ ସୈନ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ବ୍ଲୁ ଲାଇନ ଅଞ୍ଚଳର ସୁରକ୍ଷା ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବାରୁ ଆମେ ଚିନ୍ତିତ। ଆମେ ନିୟମିତ ଭାବେ ସ୍ଥିତିକୁ ତୀକ୍ଷ୍ଣ ଭାବେ ସମୀକ୍ଷା କରୁଛୁ।
ମିଳିତ ଜାତିସଂଘ ପରିସରରେ ଥିବା ନିୟମକୁ ସମସ୍ତେ ସମ୍ମାନ ଦେବା ଦରକାର। ମିଳିତ ଜାତିସଂଘର ଶାନ୍ତି ସ୍ଥାପକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଦାୟିତ୍ୱ ସମସ୍ତଙ୍କର। ଏହାକୁ ସମସ୍ତେ ଅନୁପାଳନ କରିବା ଉଚିତ।”
ଦିନକ ତଳେ ମିଳିତ ଜାତିସଂଘ କହିଥିଲା ଯେ ନାକୌରା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳରେ ଇସ୍ରାଏଲ ସେନା ବୋମା ମାଡ଼ କରିଛି। ଶୁକ୍ରବାର ଆଇଡିଏଫର ଗୋଟିଏ ମେରକାଭାର ଟ୍ୟାଙ୍କରୁ ଗୁଳି ମାଡ଼ କରାଯାଇଥିଲା।
ଏହାଦ୍ୱାରା ୨ ଜଣ ଶାନ୍ତି ସ୍ଥାପକ ଆହତ ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସେମାନେ ଗୁରୁତର ହୋଇ ନାହାନ୍ତି। ତଥାପି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ୟୁଏନ କହିଥିଲା।
ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲାଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ଲେବାନନ ସୀମାରେ ସ୍ଥିତି ଅଧିକ ଭୟଙ୍କର ହୋଇଛି। ହେଜବୁଲ୍ଲା ବିରୋଧରେ ଇସ୍ରାଏଲ ଅପରେସନ ଜାରି ରଖିଥିବା ବେଳେ ଲେବାନନରୁ ଏହାର ଜବାବ ଦିଆଯାଉଛି।