ଜାତୀୟ ପଞ୍ଚାୟତିରାଜ ଦିବସ: ୮୨ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ

ଛତ୍ରପୁର,୨୪ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଛତ୍ରପୁରଠାରେ ଗୁରୁବାର ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ତରଫରୁ ଆୟୋଜିତ ସମାରୋହ ପ୍ରାରମ୍ଭରେ ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ୨୬ଜଣଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳ ଲକ୍ଷ୍ୟ ହେଲା ନାଗରିକ ହାତରେ କ୍ଷମତା ଓ ଅଧିକାର ନ୍ୟସ୍ତ […] The post ଜାତୀୟ ପଞ୍ଚାୟତିରାଜ ଦିବସ: ୮୨ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ appeared first on Dharitri Odia News.

ଜାତୀୟ ପଞ୍ଚାୟତିରାଜ ଦିବସ: ୮୨ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ

ଛତ୍ରପୁର,୨୪ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଛତ୍ରପୁରଠାରେ ଗୁରୁବାର ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ତରଫରୁ ଆୟୋଜିତ ସମାରୋହ ପ୍ରାରମ୍ଭରେ ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ୨୬ଜଣଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳ ଲକ୍ଷ୍ୟ ହେଲା ନାଗରିକ ହାତରେ କ୍ଷମତା ଓ ଅଧିକାର ନ୍ୟସ୍ତ କରି ଏକ ଶ୍ରେଣୀହୀନ ରାଷ୍ଟ୍ର ଗଠନ କରିବା । ଗ୍ରାମାଞ୍ଚଳର ବିକାଶ ତଥା ସର୍ବବିଧ ଉନ୍ନତି ସାଧନ ଏହାର ଅନ୍ୟତମ ପ୍ରଧାନ ଲକ୍ଷ୍ୟ । ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଶିକ୍ଷା ବ୍ୟବସ୍ଥା ଉନ୍ନତୀକରଣ ସକାଶେ ବର୍ତ୍ତମାନ ୨ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତି ପଞ୍ଚାୟତକୁ ଯୋଗାଯୋଗ ନିମନ୍ତେ ସଡକ ନିର୍ମାଣ ହୋଇଛି। ଜିଲାରୁ ବାହାର ରାଜ୍ୟକୁ ଅଧିକାଂଶ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଜିଲାରେ ଶିଳ୍ପର ବିକାଶ ହେବ ବୋଲି କହିଥିଲେ । ଜିଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ବରୀ ଦୋରା ଜିଲାର ଯେତେ ସବୁ ଅସୁବିଧା ଅଛି ସରକାରଙ୍କ ଦୃଷ୍ଟିକୁ ଆଣି ତାହାର ସମାଧାନ କରାଇବା ଓ ଲୋକମାନଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାଇ ପାରିଲେ ଆମ ଦେଶ ଉନ୍ନତି ପଥରେ ଆଗେଇ ଚାଲିବ ବୋଲି କହିଥିଲେ। ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ପ୍ରମୁଖ ମଞ୍ଚାସୀନ ଥିଲେ । ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ସୂଚନା ଓ ଲୋକସମ୍ପର୍କ ବିଭାଗ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନଙ୍କୁ ରାଶନ କାର୍ଡ ବଣ୍ଟନ କରାଯାଇଥିଲା । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ଜିଲାର ୮୨ଟି ଗ୍ରାମ ପଞ୍ଚାୟତକୁ କାର୍ଯ୍ୟ ଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ, ନିଜସ୍ବ ଆୟ ବୃଦ୍ଧି ତଥା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ କରିଥିବା ହେତୁ ସରପଞ୍ଚମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା ।

The post ଜାତୀୟ ପଞ୍ଚାୟତିରାଜ ଦିବସ: ୮୨ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ appeared first on Dharitri Odia News.