ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି

ଭୁବନେଶ୍ୱର,୧୧ା୭(ଅନିଲ ଦାସ)ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ୨୦୦ କୋଟି ଟଙ୍କାର ଏକ ସ୍ବତନ୍ତ୍ର ପାଣ୍ଠି(କର୍ପସ ଫଣ୍ଡ) ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ […] The post ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି appeared first on Dharitri Odia News.

ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି

ଭୁବନେଶ୍ୱର,୧୧ା୭(ଅନିଲ ଦାସ)ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ୨୦୦ କୋଟି ଟଙ୍କାର ଏକ ସ୍ବତନ୍ତ୍ର ପାଣ୍ଠି(କର୍ପସ ଫଣ୍ଡ) ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
କର୍ପସ ପାଣ୍ଠିରେ ଓଡ଼ିଆ ଅସ୍ମିତା ଭବନ ଗଠନ ହେବ। ଏଥିସହିତ ଓଡ଼ିଆ ଅନୁବାଦ ଏକାଡେମୀ ଓ ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତୀକରଣ ହେବା ସହିତ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ କରାଯିବ। ଏଥିରେ ଓଡ଼ିଆ କଳାକାରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ସହ ଜାତୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ଜିଲାସ୍ତରରେ ଇ-ଗ୍ରନ୍ଥାଳୟ ସ୍ଥାପନ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହି ପାଣ୍ଠିର ପରିମାଣ ଆହୁରି ବୃଦ୍ଧି ହେବ। ଏହାଦ୍ୱାରା ଓଡ଼ିଆ ଅସ୍ମିତା ଉଜ୍ଜୀବିତ ହେବା ସହିତ ଓଡ଼ିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଏମ୍‌ କିଷାନରେ ସାମିଲ ହେବେ ୬ ଲକ୍ଷ ଚାଷୀ:

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌ କିଷାନ) ଯୋଜନାରେ ରାଜ୍ୟର ୬ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ରାଜ୍ୟର ସମସ୍ତ ଯୋଗ୍ୟ କୃଷକ ପରିବାରକୁ ପିଏମ୍‌ କିଷାନ ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ଅବଲମ୍ବନ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏହାଦ୍ୱାରା ମଧ୍ୟମ, ବୃହତ୍‌ ଓ ସହରାଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ। ଏଥିପାଇଁ ସ୍ବତନ୍ତ୍ର ଅଭିଯାନ ଗ୍ରହଣ କରାଯାଇ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେଡି ସରକାର ଅମଳରେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ୨୦୧୮-୧୯ରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ମୋଟ ୬୨.୪୯ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସାମିଲ କରାଯାଇଥିଲା। ସେହିପରି ରାଜ୍ୟର ମୋଟ ୨୭ ଲକ୍ଷ ୩ ହଜାର ୩୩୧ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ହୋଇଛନ୍ତି। ପିଏମ୍‌ କିଷାନ ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଉଥିବାବେଳେ କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ୨ଟି କିସ୍ତିରେ ୪ ହଜାର ଟଙ୍କା ଦେଉଥିଲେ। ତେବେ ପିଏମ୍‌ କିଷାନ ଯୋଜନାରେ ଭୂମିହୀନ ଚାଷୀଙ୍କୁ ସାମିଲ କରିବାର କୌଣସି ବ୍ୟବସ୍ଥା ନାହିଁ। କାଳିଆ ଯୋଜନାରେ ଥିବା ସେହି ଚାଷୀମାନେ ବାଦ୍‌ ପଡ଼ିବା ସମ୍ଭାବନା ରହିଛି।

The post ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି appeared first on Dharitri Odia News.