ଜାମିନର ଜଟିଳ ବ୍ୟବସ୍ଥା, ଜେଲରେ ଝଡ଼ିଗଲା ଗୋଟିଏ ଜୀବନ

ନିଜ ଅଞ୍ଚଳକୁ ନେଇ ସ୍ଵପ୍ନ ଦେଖୁଥିବା ଜଣେ ମଣିଷର ଏଭଳି ମୃତ୍ୟୁ ଅନ୍ୟମାନଙ୍କୁ ବା କି ପ୍ରେରଣା ଦେବ? ନିଜ ଦେଶର ଜେଲରେ ନିଜ ଦେଶ ଲାଗି ସ୍ଵପ୍ନ ଦେଖୁଥିବା ମଣିଷକୁ ନିଜ ଦେଶର ନିର୍ବାଚିତ ସରକାର କେବଳ ବିଚାରଗତ ପାର୍ଥକ୍ୟ କାରଣରୁ ବର୍ଷ ବର୍ଷ ଧରି ଜେଲରେ ରଖିବା ପ୍ରାକୃତିକ ନିୟମ ଓ ଆନ୍ତର୍ଜାତିକ ନିୟମର ବିରୁଦ୍ଧାଚରଣ କରୁନାହିଁ କି?

ଜାମିନର ଜଟିଳ ବ୍ୟବସ୍ଥା, ଜେଲରେ ଝଡ଼ିଗଲା ଗୋଟିଏ ଜୀବନ

ଦେବ ରଞ୍ଜନ

ସେଦିନ ଥିଲା ନଭେମ୍ବର ୧୭, ୨୦୨୦ ତାରିଖ। ଏକ ପ୍ରମୁଖ ଓଡ଼ିଆ ଖବରକାଗଜରେ ପ୍ରକାଶିତ ହୋଇଥିଲା ସମ୍ବଲପୁର ଡେଟ୍‌ଲାଇନରେ ଗୋଟିଏ ସମ୍ବାଦ ଯାହାର ଶୀର୍ଷକ ଥିଲା, ‘ମଣ୍ଡଳ ଜେଲରେ ଅଢ଼େଇ ବର୍ଷ ହେଲା ପକ୍ଷାଘାତର ଶିକାର ବିନୋଦ’।

ଖବରର ଶୀର୍ଷକ ତଳେ ଲେଖାଥିଲା, ‘ଉପଯୁକ୍ତ ଚିକିତ୍ସା ଅଭାବରୁ ବିନୋଦଙ୍କ ଶରୀରର ଅଧିକାଂଶ ଅଙ୍ଗ ଅଚଳ ହେଲାଣି। ଦୈନନ୍ଦିନ ନିତ୍ୟକର୍ମ ମଧ୍ୟ ସେ କରିପାରୁନାହାନ୍ତି। ସାଥି ଅନ୍ତେବାସୀ ତାଙ୍କ ଯତ୍ନ ନେଉଛନ୍ତି। ଅଦାଲତଙ୍କୁ ଦୁଇ ବର୍ଷ ହେଲା ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ରିପୋର୍ଟ ଦିଆଯାଉଛି।’ ଏହାସହିତ, ଘର ଲୋକେ ତାଙ୍କର ପ୍ରସ୍ତୁତ ଥିବା ସତ୍ତ୍ୱେ ଜାମିନ ମିଳୁନଥିବାରୁ ସେ ଜେଲରୁ ବାହାରି ପାରୁ ନଥିବା କଥା ଉକ୍ତ ଖବରରେ ଉଲ୍ଲେଖ ରହିଥିଲା।

ଏହି ଖବର ପରେ ବିଭିନ୍ନ ହ୍ଵାଟ୍ସ ଆପ ଗୃପ ଓ ଫେସବୁକରେ ବିସ୍ତାରିତ ହୋଇଥିଲା। ଏହି ଖବର ଫାଇଲ କରିଥିବା ସାମ୍ବାଦିକଙ୍କୁ ଯୋଗାଯୋଗ କରିବା ପରେ ବିନୋଦଙ୍କ ବଡ଼ ଭାଇଙ୍କ ସହିତ ସମ୍ପର୍କ ହୋଇପାରିଲା।

ବିନୋଦ ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ମେଘପାଳ ଅଞ୍ଚଳର ଲୋକ। ଏକ ହତ୍ୟା ମକଦ୍ଦମାରେ ସେ ୨୦୧୬ ମସିହାରୁ ସମ୍ବଲପୁର ମଣ୍ଡଳ ଜେଲରେ ଥିଲେ, ଜଣେ ବିଚାରାଧୀନ କଏଦୀ ଭାବରେ। ତାଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରା, ଆର୍ମସ ଆକ୍ଟ ଓ ଦେଶଦ୍ରୋହ ଦଫା (ୟୁଏପିଏ) ଲାଗିଥିଲା।

ବିନୋଦଙ୍କ ଭାଇ ମନୋରଞ୍ଜନ ନାୟକ ଯୁଯୁମରା ବ୍ଲକ ମେଘପାଳ ପଞ୍ଚାୟତର ଏକ ସ୍କୁଲର ପ୍ରଧାନ ଶିକ୍ଷକ। ତାଙ୍କ ଭାଇ ବିନୋଦ ଅବିବାହିତ। ନିଜେ ଗୁଜୁରାଟ ଗାନ୍ଧୀ ସେବା ପ୍ରତିଷ୍ଠାନରୁ ଟ୍ରେନିଂ ନେଇଥିଲେ। ପରେ ସେ ସମ୍ବଲପୁରର ଏକ ସ୍ଵେଚ୍ଛାସେବୀ ସଂଗଠନରେ ଯୋଗ ମଧ୍ୟ ଦେଇଥିଲେ। ସେହି ସଂସ୍ଥା ମାଧ୍ୟମରେ ଜଙ୍ଗଲ ଅଧିକାର ଆଇନ ବଳରେ କେଉଁଭଳି ଜଙ୍ଗଲ ଜମି ପଟ୍ଟା ମିଳିପାରିବ, ମନରେଗାରେ କାମ ମିଳିପାରିବ, ସମସ୍ତଙ୍କୁ ସ୍କୁଲ ଶିକ୍ଷାର ସୁବିଧା ମିଳିପାରିବ ଓ ସମସ୍ତେ କେଉଁଭଳି ତଥ୍ୟ ଜାଣିବାର ଅଧିକାର ଆଇନ ସମ୍ପର୍କରେ ଅବଗତ ହେବେ ସେ ସମ୍ପର୍କରେ କାମ କରୁଥିଲେ।

ଲୋକଙ୍କ ବଢୁଥିବା ଦାରିଦ୍ର୍ୟ, ମନରେଗା କାମ ବନ୍ଦ ହୋଇଯିବା ହେତୁ କାମ ନପାଇ ଲୋକେ ବାହାରକୁ ଯିବା ଇତ୍ୟାଦିକୁ ନେଇ ବିନୋଦ ବ୍ୟଥିତ ଥିଲେ। ସରକାରୀ ଅଫିସରଙ୍କ ନିର୍ଦ୍ଦୟ ପଣ ଓ ସରକାରୀ ଅବହେଳା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଉଥିଲା। ଏ କଥା ତାଙ୍କ ଭାଇ କହିଥିଲେ।

ମେଘପାଳ ପଞ୍ଚାୟତକୁ ଲାଗି ଝାଡ଼ଖଣ୍ଡ ରାଜ୍ୟ। ଏହା ଏକ ଜଙ୍ଗଲ ଘେରା ଅଞ୍ଚଳ। ଜଙ୍ଗଲ ଜମିରେ ଚାଷ କରିବା ଓ କାଠ ସଂଗ୍ରହ କରିବା ଅପରାଧରେ ଲୋକେ ଗିରଫ ହୁଅନ୍ତି। ଲୋକେ ପୁଣି ଖର୍ଚ୍ଚାନ୍ତ ହୋଇ ସେଥିରୁ ମୁକୁଳିଥାନ୍ତି। ଥରେ ଜେଲ ଯାଇଥିବା ବ୍ୟକ୍ତି ଆଉ ଏଣିକି ଜଙ୍ଗଲକୁ ନଯାଇ ସିଧା ରାଞ୍ଚି ନହେଲେ ଦୂର କେଉଁ ସହରକୁ ଦାଦନ ଖଟିବାକୁ ଚାଲିଯାନ୍ତି।

ଲୋକଙ୍କ ଅସୁବିଧାକୁ ଦୂର କରେଇବାର ସ୍ଵପ୍ନ ଦେଖାଇ ମାଓବାଦୀ ପାର୍ଟିର କ୍ୟାଡରମାନେ କ୍ରମଶଃ ଅଞ୍ଚଳକୁ ଆସିବାକୁ ଲାଗିଲେ। ସେମାନଙ୍କ ଆସିବାକୁ ଦେଖି ପୁଲିସର ଯିବା ଆସିବା ମଧ୍ୟ ବଢ଼ିଥିଲା। ପୁଲିସର ଯିବା ଆସିବାକୁ ଗାଁର ସୂଚନାଦାତାର କାର୍ଯ୍ୟ ମନେକରି ଏକ ହତ୍ୟାକାଣ୍ଡ ମାଓବାଦୀ ପାର୍ଟିର କ୍ୟାଡରମାନେ ଭିଆଇଥିଲେ। ଏହାପରେ ପୁଲିସ ବିନୋଦଙ୍କୁ ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନେକରି ଗିରଫ କରିଥିଲା। ବିନୋଦଙ୍କ ବିରୁଦ୍ଧରେ ୧୧ଟି ମାମଲା ରୁଜୁ ହୋଇଥିଲା।

ବିନୋଦଙ୍କୁ ଜାମିନ ମିଳିଗଲେ ତାଙ୍କ ଭାଇ ତାଙ୍କର ଚିକିତ୍ସା ଯେ ନିଜ ଘରେ କରିବେ ଓ ସେଥିଲାଗି ସେ ମୋର ସହଯୋଗ ଚହୁଁଛନ୍ତି ତାହା ସେ ଜଣାଇଥିଲେ। ଏହା ପରଠାରୁ ବାରମ୍ବାର ତାଙ୍କର ଫୋନ ଆସିବାରେ ଲାଗିଲା। ତାଙ୍କର ମେଘପାଳ ପଞ୍ଚାୟତରେ ସେ ସମୟରେ ମୋବାଇଲ ଟାୱାର ନଥିବା କାରଣରୁ ସେ କେବଳ ବାହାରକୁ ଆସି କାହାରିକୁ ଫୋନ କରିପାରିବେ। ମୁଁ ଚାହିଁଲେ କରିପାରିବି ନାହିଁ। ଏହାପରେ ଆମେ କିଛି ସାଥି ବିନୋଦଙ୍କୁ ଜାମିନରେ ଆଣିବା ଲାଗି ଉଦ୍ୟମ ଆରମ୍ଭ କରିଥିଲୁ। ଆମ ସହିତ ଉକ୍ତ ଖବରର ଲେଖିକା ଓ ସମ୍ବଲପୁରର ଚାଷୀ ସଂଗଠନର ସାଥିମାନେ ମଧ୍ୟ ରହିଥିଲେ।

ମନୋରଞ୍ଜନଙ୍କୁ ଆମେ ଅନୁରୋଧ କରିବାରୁ ସେ ଆରଟିଆଇରେ ବିନୋଦଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ। ଜେଲରୁ ମିଳିଥିବା ଡାକ୍ତରଙ୍କ ରିପୋର୍ଟ ଅନୁସାରେ ବିନୋଦ Myelopathy ବା ମେରୁଦଣ୍ଡ ଦବି ଯିବା ହେତୁ ଶେଜରୁ ଉଠିପାରୁନାହାନ୍ତି। ତାଙ୍କର ଏକ ଅପରେସନ ହୋଇ କ୍ୟାଥେଡ୍ରାଲ ଲାଗିଥିଲା ଯାହା ନିୟମିତ ବଦଳ ହେବା ଜରୁରୀ। ନଚେତ ସେପ୍ଟିକ ଓ ପରେ କ୍ୟାନସର ହୋଇଯିବ। ଯାହାର ଝାଡ଼ା ଓ ପରିସ୍ରା ଦ୍ଵାରରେ ଅସୁବିଧା ଥାଏ ତାହାର ପେଟରେ ଏକ କଣା କରାଯାଇ ସେହିଠାରେ ଝାଡ଼ା ପରିସ୍ରା ଯିବାର ବ୍ୟବସ୍ଥା ଡାକ୍ତର କରିଥାନ୍ତି ଯେଉଁଥିଲାଗି କ୍ୟାଥେଡ୍ରାଲ ଲାଗେ।

ଏହାପରେ ବିନୋଦଙ୍କୁ ଜାମିନରେ ଆଣିବାର ଉଦ୍ୟମ ଥିଲା ବେଶ ଦୁଃଖଦ। ପ୍ରତ୍ୟେକ ବିଚାରାଧୀନ କଏଦୀ ନିକଟରେ ଆଜିକାଲି ତାହା ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାର ଏଫଆଇଆର ଓ ଚାର୍ଜଶିଟ ରହିବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ହେତୁ ବିନୋଦଙ୍କ ନିକଟରେ କେସର କିଛି କାଗଜପତ୍ର ଥିଲା। କେବଳ ଅର୍ଡର ସିଟ ନଆସିବା ହେତୁ ବିନୋଦଙ୍କ ଜାମିନ ଆବେଦନ ଓଡ଼ିଶା ହାଇକୋର୍ଟରେ ହୋଇପାରିଲା ନାହିଁ। ବିନା ଜାମିନରେ ବିନୋଦ ନାୟକ ଜେଲରେ ସେମିତି ସଢ଼ି ସଢ଼ି ଗଲା ୨ ମେ’ ୨୦୨୧ରେ ମୃତ୍ୟୁବରଣ କଲେ। ଏହା ସହିତ ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ବିନା ବିଚାର ଓ ବିନା ଜାମିନରେ ସମାପ୍ତ ହୋଇଗଲା।

‘ଜାମିନ ହିଁ ନିୟମ ଓ ଜେଲ ଏକ ବ୍ୟତିକ୍ରମ’ ବୋଲି ସୁପ୍ରିମ କୋର୍ଟର ପୂର୍ବ ବିଚାରପତି ଭିଆର କୃଷ୍ଣା ଆୟାର ଦେଇଥିବା ବକ୍ତବ୍ୟକୁ ଭାରତର ସମସ୍ତ କୋର୍ଟ ପାଳନ କରିଆସୁଛନ୍ତି। କିନ୍ତୁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଜାମିନ ଲାଗି କୌଣସି ସ୍ପଷ୍ଟ ଆଇନ ନଥିବା ହେତୁ ଏହା ସର୍ବଦା ବିଚାରପତିଙ୍କ ଇଚ୍ଛାଧୀନ ବିଷୟ ହୋଇ ରହିଆସିଛି।

ଆମ ବିଚାର ବ୍ୟବସ୍ଥାର ଏହା ଦୁର୍ବଳତା ଅଥବା ବିବଶତା ଯେ ଏହା କଏଦୀକୁ ଜାମିନ ଏକ ଅଧିକାର ଭାବରେ ଦେଖିନାହିଁ। ଦଫା ଅନୁସାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂର୍ବ ସ୍ଥିରୀକୃତ ସର୍ତ୍ତ ପୂରଣ କରୁଥିଲେ ବିଚାରାଧୀନ କଏଦୀକୁ ଯେ ଆପେ ଆପେ ଜାମିନ ମିଳିଯିବ ତାହା ଆମର ବିଚାର ବ୍ୟବସ୍ଥାରେ ନାହିଁ। ଜାମିନ ପାଇବାକୁ ହେଲେ କଏଦୀଙ୍କୁ ନିଜ ଓକିଲ ମାଧ୍ୟମରେ ଆବେଦନ କରିବାକୁ ହେବ।

ସବୁ କିଛି ଅନଲାଇନରେ ମିଳିପାରୁଛି, ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ, ଆୟ ଓ ଜାତି ସାର୍ଟିଫିକେଟ ଇତ୍ୟାଦି। କିନ୍ତୁ କେସରେ ହନ୍ତସନ୍ତ ହେଉଥିବା ମଣିଷ ନିଜ କେସ ସମ୍ବନ୍ଧିତ ଡକ୍ୟୁମେଣ୍ଟ ପାଇବା ଲାଗି ସେହି ଓକିଲର ସାହାଯ୍ୟ ନେବାକୁ ବାଧ୍ୟ। କୋର୍ଟର ପେସ୍କାର କେବଳ ଓକିଲଙ୍କୁ ହିଁ ଦେବ, ଏହା ଅଲିଖିତ ଆଇନ ହୋଇରହିଛି।

ଯଦିଓ ରାଜ୍ୟର ଅନ୍ୟ ବିଭାଗରେ ଫାଇଲ ଲାଗି ସମୟ ନିଧାର୍ଯ୍ୟ ହେଲାଣି କିନ୍ତୁ ରାଜ୍ୟର ଲିଗାଲ ଅଥରିଟି (Odisha State legal services Authority) ଓକିଲଙ୍କ ଲାଗି ଦଫା ଅନୁସାରେ କେସକୁ ତୁଟାଇବାର ସମୟ ଓ ଓକିଲଙ୍କ ଫିସ କେବେ ସ୍ଥିର କରନ୍ତି ନାହିଁ।

ପୁଣି ବିଚାରପତିଙ୍କର ଏହା ଇଚ୍ଛାଧୀନ ଯେ ସେ କାହାକୁ ଜାମିନ ଦେବେ ଓ କାହାକୁ ନୁହେଁ। ଜାମିନ ଦେବା ଅଥବା ଖାରଜ କରିବାର କାରଣ ଦର୍ଶାଇବା ଲାଗି କୋର୍ଟ ବାଧ୍ୟ ନୁହଁନ୍ତି। କୌଣସି କେସରେ ଏକାଧିକ ଲୋକ ସମ୍ପୃକ୍ତ ଥିଲେ ଜଣେ ଯଦି ଜାମିନ ପାଇଲା ତେବେ ତାହାକୁ ଦର୍ଶାଇ ଅନ୍ୟମାନେ ଯେ ଜାମିନ ପାଇବେ ତାହା ମଧ୍ୟ ନୁହେଁ।

ହାଇକୋର୍ଟରେ ଜାମିନ ପାଇଁ ଅବେଦନ କରିବାକୁ ହେଲେ ଏଫଆଇଆର କପି, ସମସ୍ତ କେସର ଚାର୍ଜସିଟ, କେସ ଡାଏରୀ ସହିତ କେସର ଅର୍ଡର ସିଟ ଆସିବା ଜରୁରୀ।

ମଝିରେ ମଝିରେ ସୁପ୍ରିମ କୋର୍ଟ ମଧ୍ୟ ଜାମିନ ଲାଗି ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧୬ ବର୍ଷରୁ କମ, ମହିଳା ଓ ଅଧିକ ଅସୁସ୍ଥ କଏଦୀଙ୍କୁ ମାନବିକ ଆଧାରରେ ଜାମିନ ଦେବା ଲାଗି କୋର୍ଟ ନିଜର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନୁସନ୍ଧାନକୁ ପ୍ରଭାବିତ ନକରିବା ଓ ଅଭିଯୋଗକାରୀଙ୍କୁ ଭୟ ପ୍ରଦର୍ଶନ କରିବାର ସମ୍ଭାବନା ନଥିବା କ୍ଷେତ୍ରରେ ବିଚାରପତି ‘ଅଭିଯୁକ୍ତ’କୁ ଜାମିନ ଦେବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶାବଳି ପ୍ରକାଶ କରିଛନ୍ତି।

କିନ୍ତୁ ‘ଅଭିଯୁକ୍ତ’ ବିରୁଦ୍ଧରେ ଯେବେ ଦେଶଦ୍ରୋହ ଆଇନ ବା ୟୁଏପିଏର ବିଭିନ୍ନ ଧାରା ଲାଗୁହୋଇଯାଏ ସେତେବେଳେ ଏହାକୁ ଅନେକ ଚାପ ରହିଥିବା କାରଣରୁ ବିଚାରପତି ସହଜରେ ଜାମିନ ଦେଇନଥାନ୍ତି। ଏହାପରେ ‘ଅଭିଯୁକ୍ତ’ ୯୮ ପ୍ରତିଶତ କେସରେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥାଏ। ହେଲେ ସେହି ବିଚାର ପ୍ରକ୍ରିୟା ମଧ୍ୟରେ ‘ଅଭିଯୁକ୍ତ’ ବର୍ଷ ବର୍ଷ ଜେଲରେ ରହିଯାଇଥାଏ। ଏହି କାରଣରୁ ୟୁଏପିଏ ମାମଲାରେ ଜେଲ ହିଁ ଆଇନ ଓ ଜାମିନ ଏକ ବ୍ୟତିକ୍ରମ ବୋଲି ଧରିନିଆଯାଇଛି। ବିଚାରାଧୀନ ଭାବରେ ଦୀର୍ଘ ବର୍ଷ ରହିଯିବା ହିଁ ଏଭଳି ଅଭିଯୁକ୍ତ ଲାଗି ଦଣ୍ଡ।

ବିନୋଦଙ୍କ ଲାଗି ଅସୁବିଧା ଥିଲା ୟୁଏପିଏର ୨୦୧୯ରେ ସଂଶୋଧନ। ଏହି ମାମଲାରେ କାଳେ ‘ଅଭିଯୁକ୍ତ’କୁ ଜାମିନ ମିଳିଯିବ ସେଥିଲାଗି କେନ୍ଦ୍ର ସରକାର ୟୁଏପିଏରେ ସଂଶୋଧନ କରିଦେଲେ। ନୂତନ ସଂଶୋଧନ ଅନୁସାରେ (ଧାରା ୪୩ (ଘ)) ୟୁଏପିଏରେ ଅଭିଯୁକ୍ତକୁ ଜାମିନ ଦେବା ପୂର୍ବରୁ ବିଚାରପତି ସରକାରୀ ଓକିଲ ବା ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଶ୍ଚିତ ରୂପେ ପଚାରିବେ। ଅର୍ଥାତ ସରକାରୀ ଓକିଲ ବିରୋଧ କରୁଥିଲେ ଜାମିନ ବାତିଲ ହୋଇଯିବା ନିଶ୍ଚିତ।

ସରକାର ମଧ୍ୟ ନିଜର ସରକାରୀ ଓକିଲଙ୍କ ମାଧ୍ୟମରେ ନିଜର ବିଚାରକୁ ସମଗ୍ର ନ୍ୟାୟାଳୟ ଉପରେ ଲଦି ଦେବାରେ ଲାଗିଛନ୍ତି। ଏହା ଜଣାଶୁଣା କଥା ଯେ ବର୍ତ୍ତମାନର ସରକାରଙ୍କର ଏକ ନିର୍ଦ୍ଦିଷ୍ଟ ଧାର୍ମିକ ଓ ସାମାଜିକ ମତ ଦୃଢ଼ ଭାବରେ ରହିଛି। ସେହି ବିଚାର ବିରୁଦ୍ଧରେ ଅନେକ ଲେଖକ, କବି, ସାମ୍ବାଦିକ, ସାମାଜିକ କର୍ମୀ, ମାନବିକ କର୍ମୀ ଇତ୍ୟାଦିଙ୍କୁ ପୁଲିସର ବଳ ପ୍ରୟୋଗ କରି ଦେଶଦ୍ରୋହ ମାମଲାରେ ଜେଲରେ ରଖାଯାଇଛି। ସେମାନଙ୍କ ଜାମିନ ପ୍ରସଙ୍ଗ ଆସିଲେ କେନ୍ଦ୍ର ସରକାର ନିଜର ସରକାରୀ ଓକିଲ ମାଧ୍ୟମରେ କୋର୍ଟର ସ୍ଵାଧୀନତାକୁ ସଙ୍କୁଚିତ କରୁଛନ୍ତି। ଏଥିଲାଗି ଅନେକ ଦୃଢ଼ମନା ବ୍ୟକ୍ତି ସରକାରଙ୍କ ସହିତ ବୁଝାମଣା କରୁନଥିବା କାରଣରୁ ବର୍ଷ ବର୍ଷ ଜେଲରେ ରହିଯାଉଛନ୍ତି।

ଆମ ଦେଶରେ ପୁଲିସର ଆଇନ ଶୃଙ୍ଖଳା ବୁଝିବା ଦାୟିତ୍ଵ ଓ ମାମଲାର ଅନୁସନ୍ଧାନ ଦାୟିତ୍ଵ ଉଭୟ ଏକା ସାଥିରେ କରୁଥିବା ହେତୁ ମାମଲାରେ ଅନୁସନ୍ଧାନରେ ପକ୍ଷପାତିତା ରହୁଛି। ଉଭୟ ଦାୟିତ୍ଵକୁ ଭିନ୍ନ କରିବାର ଦାବିକୁ ସରକାର କେବେ ବି ମାନୁନାହାନ୍ତି।

ଫଳରେ, କେନ୍ଦ୍ର ସରକାର ଏହି ନୂତନ ସଂଶୋଧନ ଆଣି ସରକାରୀ ଓକିଲ ମାଧ୍ୟମରେ ପ୍ରତ୍ୟେକ ‘ଅଭିଯୁକ୍ତ’ର ମାମଲାକୁ ନିୟନ୍ତ୍ରିତ କରିବାରେ ସମର୍ଥନ ହେଲେ। ବିଚାରପତି ମଧ୍ୟ ଏଥିରେ ନିଜର ସ୍ଵାଧୀନତା ହରାଇଲେ। ବିନୋଦଙ୍କ ମାମଲାରେ ସମ୍ଭବତଃ ସରକାରୀ ଓକିଲ ଅରାଜି ରହିବା ହେତୁ ତାଙ୍କର ଜାମିନକୁ ବିଚାରପତି ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ସେହି ସମୟରେ ସମ୍ବଲପୁର ଠାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ଲାଗି ଓକିଲଙ୍କ ଆନ୍ଦୋଳନ ଚାଲିଥିବା କାରଣରୁ ସହଜରେ ବିନୋଦଙ୍କ ୧୧ଟି କେସର ଅର୍ଡର ସିଟ (କେସମାନଙ୍କର ବର୍ତ୍ତମାନର ସ୍ଥିତି) ମିଳିବା କଷ୍ଟ ହୋଇଥିଲା। ଫଳରେ ଗୋଟିଏ ଜୀବନ ସେହି ଜେଲ ମଧ୍ୟରେ ଝଡ଼ି ପଡ଼ିଲା।

ନିଜ ଅଞ୍ଚଳକୁ ନେଇ ସ୍ଵପ୍ନ ଦେଖୁଥିବା ଜଣେ ମଣିଷର ଏଭଳି ମୃତ୍ୟୁ ଅନ୍ୟମାନଙ୍କୁ ବା କି ପ୍ରେରଣା ଦେବ? ନିଜ ଦେଶର ଜେଲରେ ନିଜ ଦେଶ ଲାଗି ସ୍ଵପ୍ନ ଦେଖୁଥିବା ମଣିଷକୁ ନିଜ ଦେଶର ନିର୍ବାଚିତ ସରକାର କେବଳ ବିଚାରଗତ ପାର୍ଥକ୍ୟ କାରଣରୁ ବର୍ଷ ବର୍ଷ ଧରି ଜେଲରେ ରଖିବା ପ୍ରାକୃତିକ ନିୟମ ଓ ଆନ୍ତର୍ଜାତିକ ନିୟମର ବିରୁଦ୍ଧାଚରଣ କରୁନାହିଁ କି?

ୟୁଏଇପିଏ ଆଇନ ରହିନଥିଲେ ବିନୋଦ ଆଜି ଜୀବିତ ରହିଥାନ୍ତେ। କଏଦୀର ଜାମିନଗତ ଅଧିକାର ଓ ବିଚାର ବ୍ୟବସ୍ଥାର ଏହି ଅଣଦେଖାପଣିଆ ସମ୍ପର୍କରେ ବିତର୍କ ଜରୁରୀ। ହୁଏତ ଏହା ଆଇନରେ ସଂଶୋଧନ ଆଣିପାରେ, ଦେଶଦ୍ରୋହ ଆଇନର ଅପସାରଣ ମଧ୍ୟ କରିପାରେ।

ମୋବାଇଲ - ୯୪୩୭୭୬୨୨୭୨