ସରିନି ଅପରେସନ ସିନ୍ଦୂର, କାଲି ପୁଣି ୪ ରାଜ୍ୟରେ ହେବ ମକ ଡ୍ରିଲ୍
ଅପରେସନ ସିନ୍ଦୂର ହେବାର ବେଶ କିଛି ଘଣ୍ଟା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମେ’ ୭ ତାରିଖରେ ସମଗ୍ର ଦେଶରେ ଅପରେସନ ଅଭ୍ୟାସ ନାଁରେ ମକଡ୍ରିଲ ଆୟୋଜନ କରିଥିଲା।
ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ବିରୋଧରେ ଭାରତୀୟ ସେନା ଜାରି ରଖିଥିବା ଅପରେସନ ସିନ୍ଦୂର ଏବେ ବି ଶେଷ ହୋଇନାହିଁ। ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ସହ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବଶ୍ୟ ପାକିସ୍ତାନ ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣର ସାମ୍ନା କରି ନ ପାରି ଯୁଦ୍ଧ ବିରତି ଲାଗୁ କରିବାକୁ ଆଗେଇ ଆସିଥିଲା ଓ ଏବେ ଯୁଦ୍ଧ ବିରତି ଲାଗିଛି ତଥାପି ପାକିସ୍ତାନ ଉପରେ ଭରସା ନାହିଁ। ତେଣୁ ଭାରତ ସରକାର କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି।
ପାକିସ୍ତାନ ସହ ବିବାଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦେଶର ୪ ସୀମାନ୍ତ ରାଜ୍ୟରେ ପୁଣି ମକଡ୍ରିଲ କରାଯିବ। ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କଶ୍ମୀରରେ ଯୁଦ୍ଧ ବେଳେ ହେଉଥିବା ଏୟାର ଷ୍ଟ୍ରାଇକରୁ କେମିତି ବର୍ତ୍ତିବାକୁ ହେବ, ତା’ର ମକଡ୍ରିଲ ଆୟୋଜନ ହେବ। ଭାରତ-ପାକିସ୍ତାନ ଲଢ଼େଇ ବେଳେ ଏହି ସୀମାନ୍ତ ରାଜ୍ୟଗୁଡ଼ିକ ଭୟଙ୍କର ଡ୍ରୋନ ଓ ମିସାଇଲ ଆଟାକର ସାମ୍ନା କରିଥିଲେ। ତେଣୁ ସେହି ରାଜ୍ୟଗୁଡ଼ିକରେ କାଲି ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ।
ଅପରେସନ ସିନ୍ଦୂର ହେବାର ବେଶ କିଛି ଘଣ୍ଟା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମେ’ ୭ ତାରିଖରେ ସମଗ୍ର ଦେଶରେ ଅପରେସନ ଅଭ୍ୟାସ ନାଁରେ ମକଡ୍ରିଲ ଆୟୋଜନ କରିଥିଲା। ମେ’ ୬ ତାରିଖରେ ମକଡ୍ରିଲ ହେବ ବୋଲି ଘୋଷଣା କରାଯାଇଥିଲା ଓ ସେହିଦିନ ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।
ଏହାପରେ ପାକିସ୍ତାନ ସେନା ଡ୍ରୋନ ଓ ମିସାଇଲ ଦ୍ୱାରା ସେନା ପ୍ରତିଷ୍ଠାନ ଓ ଜବସତିକୁ ଟାର୍ଗେଟ କରିଥିଲା। କିନ୍ତୁ ପାକିସ୍ତାନର ସବୁ ଉଦ୍ୟମ ଭାରତୀୟ ସେନାର ଏୟାର ଡିଫେନ୍ସ ନଷ୍ଟ କରି ଦେଇଥିଲା। ପାକିସ୍ତାନର ଡ୍ରୋନ ଆଟାକ ବେଳେ ସୀମାନ୍ତ ସହର ଗୁଡ଼ିକରେ ଯୁଦ୍ଧ ସାଇରନ ବଜା ଯାଇଥିଲା ଓ ବ୍ଲାକଆଉଟ କରାଯାଇଥିଲା।
ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ୫୩୨ କିମି ସୀମାନ୍ତ ଅଞ୍ଚଳକୁ ଲାଗିଥିବା ପଞ୍ଜାବର ସମସ୍ତ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା। ସାଧାରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ସହ ଫିରୋଜପୁର, ପଠାନକୋଟ, ଫଜିଲକା, ଅମୃତସର, ଗୁରଦାସପୁର ଓ ତାରନ ତରନ ଜିଲ୍ଲାରେ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା।