ଜିଉଁତିଆ ବ୍ରତ ପାଳନ ବେଳେ ଅଘଟଣ ! ମୃତକଙ୍କ ମଧ୍ୟରେ ୩୭ ଶିଶୁ-୭ ମହିଳା
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
୨୪ ଘଣ୍ଟାରେ ୪୬ଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ୩୭ ଶିଶୁ ଏବଂ ୭ ଜଣ ମହିଳା। ମୃତ୍ୟୁର ଏହି ତାଣ୍ଡବ ଦେଖିବାକୁ ମିଳିଛି ବିହାରରେ। ଜିଉଁତିଆ ବ୍ରତ ପାଳନ ବେଳେ ରାଜ୍ୟର ବିଭିନ୍ନ ନଦୀ ଓ ପୋଖରୀରେ ବୁଡି ସମସ୍ତଙ୍କ ଜୀବନ ଯାଇଛି। ଜିତିଆ ତଥା ଜିବୀତପୁତ୍ରିକା ଓଷା ପାଳନରେ ନଦୀରେ ପବିତ୍ର ବୁଡ ପକାଇବାର ପରମ୍ପରା ରହିଛି। ଏହି ସମୟରେ ନଦୀରେ ବୁଡି ପାଖାପାଖି ୪୬ ଜଣ ପ୍ରାଣ ହରାଇଛନ୍ତି।
ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍, ଔରଙ୍ଗାବାଦ, କୈମୁର, ବକ୍ସର, ସିୱାନ, ରୋହତାସ, ସାରଣ, ପାଟନା, ବୈଶାଳୀ, ମୁଜାଫରନଗର, ସମସ୍ତିପୁର, ଗୋପାଳଗଞ୍ଜ ଏବଂ ଅରୱାଲ ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି। କିଛି ଜଣ ନିଖୋଜ ବି ଅଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଜିତିଆ ପର୍ବ କ'ଣ?
ଜିତିଆ ପର୍ବକୁ ଜୀବିତ ପୁତ୍ରିକା ମଧ୍ୟ କୁହାଯାଏ। ପୁଅଙ୍କ ଶୁଭ ମନାସୀ ମାଆମାନେ ଏହି କଠୋର ନିର୍ଜଳା ବ୍ରତ ପାଳନ କରନ୍ତି। ଏହି ବ୍ରତରେ ବ୍ରତଧାରୀମାନେ ପୋଖରୀ କିମ୍ବା ନଦୀରେ ସ୍ନାନ କରିବା ପରେ ସେହି ସ୍ଥାନରେ ପୂଜାର୍ଚ୍ଚନା କରନ୍ତି। ଆଶ୍ୱିନ ମାସର କୃଷ୍ଣପକ୍ଷରେ ଜିତିଆ ପର୍ବ ପାଳନ କରାଯାଏ। ଏହା ବିଶେଷ କରି ନେପାଳର ମୁଖ୍ୟ ପର୍ବ ହୋଇ ଥିବାବେଳେ ଆମ ଦେଶରେ ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ପାଳନ କରାଯାଇଥାଏ।