‘ଜୀବନର ଜଳପଥ’
ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ ଏକ ନଦୀରେ ମିଶିଥାଏ। ପୃଥିବୀରେ ୧୬୫ଟି ବଡ଼ ନଦୀ ସମେତ ଅନେକ ନଦୀ ରହିଛି। ପ୍ରତ୍ୟେକ ଦେଶରେ ଅତି କମ୍ରେ ଗୋଟିଏ ନଦୀ ଅଛି। ନଦୀଗୁଡ଼ିକ ପାନୀୟ ଜଳ, ଜଳସେଚନ, ପରିବହନ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହେଉଛି। ଅନେକ ସଭ୍ୟତାର ବିକାଶରେ ଏଗୁଡ଼ିକର ଅବଦାନ ଅଛି। ପ୍ରାଚୀନ […] The post ‘ଜୀବନର ଜଳପଥ’ appeared first on Dharitri Odia News.
ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ ଏକ ନଦୀରେ ମିଶିଥାଏ। ପୃଥିବୀରେ ୧୬୫ଟି ବଡ଼ ନଦୀ ସମେତ ଅନେକ ନଦୀ ରହିଛି। ପ୍ରତ୍ୟେକ ଦେଶରେ ଅତି କମ୍ରେ ଗୋଟିଏ ନଦୀ ଅଛି। ନଦୀଗୁଡ଼ିକ ପାନୀୟ ଜଳ, ଜଳସେଚନ, ପରିବହନ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହେଉଛି। ଅନେକ ସଭ୍ୟତାର ବିକାଶରେ ଏଗୁଡ଼ିକର ଅବଦାନ ଅଛି। ପ୍ରାଚୀନ ମିଶର ସଭ୍ୟତା ନୀଳନଦୀ କୂଳରେ ଏବଂ ମେସୋପୋଟାମିଆ ସଭ୍ୟତା ଟାଇଗ୍ରିସ୍ ନଦୀ କୂଳରେ ଗଢ଼ି ଉଠିଥିଲା। ଏପରିକି ଭାରତର ମହେଞ୍ଜୋଦାରୋ ଓ ହରପ୍ପା ସଭ୍ୟତା ପ୍ରାଚୀନ ସରସ୍ବତୀ ନଦୀ କୂଳରେ ଗଢ଼ି ଉଠିଥିଲା ଏବଂ କୌଣସି କାରଣରୁ ନଦୀର ଗତିପଥରେ ପରିବର୍ତ୍ତନ ହେତୁ ଏହି ସଭ୍ୟତା ଲୋପ ପାଇଗଲା।
ଭାରତରେ ଚାରିଶହରୁ ଅଧିକ ନଦୀ ଅଛି। ଯଦି ଏଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଯୋଡ଼ି ଦିଆଯାଏ, ତାହାହେଲେ ଏହାର ଦୈର୍ଘ୍ୟ ପ୍ରାୟ ଦୁଇଲକ୍ଷ କିଲୋମିଟର ହେବ। ଏଗୁଡ଼ିକରେ ବର୍ଷକୁ ୧୮୬୯ ବିଲିୟନ ଘନମିଟର ଜଳ ପ୍ରବାହିତ ହେଉଛି। ଚିନ୍ତାଜନକ ବିଷୟ ଯେ ଭାରତ ସମେତ ପୃଥିବୀର ଅନେକ ଦେଶରେ ନଦୀଗୁଡ଼ିକ ପ୍ରଦୂଷିତ ହେବାରେ ଲାଗିଛି। ଆଗ କାଳରେ କୃଷିକାର୍ଯ୍ୟ ପାଇଁ ଜଳର ସୁବିଧା ନିମିତ୍ତ ଲୋକମାନେ ମୁଖ୍ୟତଃ ନଦୀକୂଳରେ ବସବାସ ଆରମ୍ଭ କରିଥିଲେ। ଅଧୁନା ଶିଳ୍ପ ପାଇଁ ଜଳର ଆବଶ୍ୟକତା ଥିବାରୁ ନଦୀକୂଳରେ କାରଖାନା ସ୍ଥାପନ ହେଉଛି ଏବଂ ଏହାର ଆବର୍ଜନା ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସୂତ୍ରରୁ ଜଣାପଡ଼ିଛି ଯେ, ଗଙ୍ଗା ଓ ଯମୁନା ନଦୀ ଅନେକ ସ୍ଥାନରେ ସ୍ନାନଯୋଗ୍ୟ ନୁହେଁ। ଏପରି କି ଆମ ଓଡ଼ିଶାରେ ମହାନଦୀ ଓ ବ୍ରାହ୍ମଣୀ ନଦୀର ଅବସ୍ଥା ମଧ୍ୟ ସେଇଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗଙ୍ଗୁଆ ନଦୀ ଆଉ ନଦୀ ହୋଇ ନାହିଁ, ଭୁବନେଶ୍ୱରର ସମସ୍ତ ନର୍ଦ୍ଦମା ନାଳ ଏଥିରେ ମିଶି ଏହାକୁ ଏକ ବଡ଼ ଡ୍ରେନ୍ରେ ପରିଣତ କରିଦେଇଛି। ଗଙ୍ଗୁଆ ଯାଇ ଦୟାନଦୀରେ ମିଶିଛି ଏବଂ ଦୟାନଦୀ ମଧ୍ୟ ସ୍ନାନ ପାଇଁ ଅନୁପଯୁକ୍ତ ବୋଲି ସରକାର ସ୍ବୀକାର କରିଛନ୍ତି। ଏହିବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ସେନ୍ ନଦୀରେ ହେବାକୁ ଥିବା ଏକ ସନ୍ତରଣ ପ୍ରତିଯୋଗିତାକୁ ନଦୀ ପ୍ରଦୂଷଣ କାରଣରୁ ସ୍ଥାନାନ୍ତରିତ କରାଯାଇଥିଲା।
ନଦୀର ଏତେ ଉପକାର ସତ୍ତ୍ୱେ ଲୋକମାନେ ଏହାର ପ୍ରଦୂଷଣର କାରଣ ହେଉଛନ୍ତି। ଏଥିପାଇଁ ସଚେତନତା ଆବଶ୍ୟକ। ଏଥିନିମିତ୍ତ ପ୍ରତିବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ‘ବିଶ୍ୱ ନଦୀ ଦିବସ’ ଭାବରେ ପାଳନ କରାଯାଉଛି।
ଏହିବର୍ଷ ବିଶ୍ୱ ନଦୀ ଦିବସର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଜୀବନର ଜଳପଥ’। ନଦୀ କିପରି ପର୍ଯ୍ୟାବରଣ, ବନ୍ୟଜନ୍ତୁ, କୃଷି ଏବଂ ମାନବ ସମାଜ ପାଇଁ ଏକ ଅତ୍ୟାବଶ୍ୟକ ଭୂମିକା ନିର୍ବାହ କରୁଛି, ତାହା ଏହି ପ୍ରସଙ୍ଗ ଦର୍ଶାଇଥାଏ। କେବଳ ସରକାର ଚେଷ୍ଟାକଲେ ହେବ ନାହିଁ, ନଦୀର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷର ଦାୟିତ୍ୱ ଅଛି।
– ଇଂ. ମାୟାଧର ସ୍ବାଇଁ
ମୋ: ୯୪୩୮୬୯୩୭୨୪
The post ‘ଜୀବନର ଜଳପଥ’ appeared first on Dharitri Odia News.