ଜୟ ଶ୍ରୀରାମ ଧ୍ବନିରେ ସାରା ଦେଶ ଅନୁରଣିତ, ଆଉ କିଛି ସମୟ ପରେ ଜନ୍ମସ୍ଥାନରେ ବିରାଜିବେ ରାମଲାଲା
ଅଯୋଧ୍ୟା : ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଆଉ ମାତ୍ର କିଛି ସମୟ ପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାମଲାଲାଙ୍କ ଏହି ଭବ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଐତିହାସିକ ମୁହୂର୍ତ୍ତକୁ କେବଳ ଅଯୋଧ୍ୟାବାସୀ ନୁହନ୍ତି, ବରଂ ସାରା ଦେଶରେ ରାମ ଶ୍ରଦ୍ଧାଳୁ ଚାତକ ଭଳି ଚାହିଁ ବସିଥିଲା ବେଳେ ବିଭିନ୍ନ ମନ୍ଦିର, ମଠ ଏବଂ ଧାର୍ମିକସ୍ଥଳଗୁଡିକରେ ପୂଜାପାଠ ଏବଂ ସାଜସଜ୍ଜା କରାଯାଇଛି। […]

ଅଯୋଧ୍ୟା : ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଆଉ ମାତ୍ର କିଛି ସମୟ ପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାମଲାଲାଙ୍କ ଏହି ଭବ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଐତିହାସିକ ମୁହୂର୍ତ୍ତକୁ କେବଳ ଅଯୋଧ୍ୟାବାସୀ ନୁହନ୍ତି, ବରଂ ସାରା ଦେଶରେ ରାମ ଶ୍ରଦ୍ଧାଳୁ ଚାତକ ଭଳି ଚାହିଁ ବସିଥିଲା ବେଳେ ବିଭିନ୍ନ ମନ୍ଦିର, ମଠ ଏବଂ ଧାର୍ମିକସ୍ଥଳଗୁଡିକରେ ପୂଜାପାଠ ଏବଂ ସାଜସଜ୍ଜା କରାଯାଇଛି।
ଭାରତ ବ୍ୟତୀତ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଣ୍ଡୋନେସିଆ, ମ୍ୟାଁମାର, ଥାଇଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣି କୋରିଆ, ନେପାଳ ଭଳି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ରାମଶ୍ରଦ୍ଧାଳୁମାନଙ୍କ ଦ୍ବାରା ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ଏହିକ୍ରମରେ ଅଯୋଧ୍ୟା ନଗରୀ ରାମମୟ ହୋଇପଡ଼ିବା ସହିତ ରବିବାର ଠାରୁ ଦେଶର ବିଭିନ୍ନ ଭାଗରୁ ହଜାର ହଜାର ଭକ୍ତ , ସାଧୁସନ୍ଥ ଏବଂ ଆମନ୍ତ୍ରିତ ଅତିଥିଙ୍କ ସୁଅ ଛୁଟିଛି। ଏହି ଭବ୍ୟ ଉତ୍ସବ ଯୋଗ ଦେବା ଲାଗି ଆମନ୍ତ୍ରିତ ହୋଇଥିବା ବହୁ ବଲିଉଡ୍ ଫିଲ୍ମଷ୍ଟାରଙ୍କ ଠାରୁ ଆରମ୍ଭ କରି ସଙ୍ଗୀତ ନିର୍ଦ୍ଦେଶକ, କ୍ରିକେଟିୟର,ରାଜନେତା ଏବଂ ବିଦେଶାଗତ ପ୍ରତିନିଧି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଲୋକମାଳା ଏବଂ ପୁଷ୍ପମାଳାରେ ଝଲସୁଥିବା ସାରା ଅଯୋଧ୍ୟା ସହର ଏବେ ଅତିଥିମାନଙ୍କ ଉପସ୍ଥିତିରେ ଆହୁରି ଚଳଚଞ୍ଚଳ ହୋଇପଡ଼ିଛି।
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭାଗ ନେବାକୁ ଥିବା ସମସ୍ତ ସନ୍ଥ, ଆଚାର୍ଯ୍ୟ ଏବଂ ପୁରୋହିତ ଅଯୋଧ୍ୟା ପହଞ୍ଚିଥିବା ବେଳେ ପ୍ରତୀକ ଯଜମାନ ଭାବେ ଯୋଗ ଦେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବହୁ କେନ୍ଦ୍ରମନ୍ତ୍ରୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ହଜାରରୁ ଅଧିକ ଭିଭିଆଇପି ଅତିଥି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହିକ୍ରମରେ ସାରା ସହରରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେଟ-ଅଫ୍-ଆର୍ଟ ଟେକ୍ନୋଲୋଜି ବ୍ୟବସ୍ଥା ଅନୁସାରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳରେ ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍ (ଏଟିଏସ୍), ଏସଟିଏଫ୍, ପିସିଏସ୍, ସିଆରପିଏଫ୍, ଏସପିଜି କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୧୦ ହଜାରରୁ ଅଧିକ ସିସିଟିଭି କ୍ୟାମେରା, ଆଣ୍ଟି ଡ୍ରୋନ ଏବଂ ସନ୍ଧାନୀ କୁକୁରଙ୍କୁ ମୁତୟନ କରାଯାଇଛି। ମୋଟ ୨୫ ହଜାର ଯବାନ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୭ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମୁଖ୍ୟ ଦାୟିତ୍ବ ଦିଆଯାଇଥିବା ବେଳେ ଶହ ଶହ ଇନ୍ସପେକ୍ଟର,କନଷ୍ଟେବଳ ମଧ୍ୟ ମୁତୟନ ରହିଛନ୍ତି। ବିଭିନ୍ନ ସ୍ଥାନରେ ବୋମା ନିରୋଧୀ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଆମନ୍ତ୍ରିତ ଅତିଥିମାନଙ୍କ ପାଇଁ ‘କ୍ୟୁ ଆର୍ କୋଡ୍’ ବ୍ୟବସ୍ଥା କରାଯାଇଛି। କେବଳ ଏହି ବ୍ୟବସ୍ଥା ଅନୁସାରେ ହିଁ ଅତିଥିମାନଙ୍କୁ ମନ୍ଦିର ପରିସରକୁ ପ୍ରବେଶ କରିବାର ଅନୁମତି ମିଳିବ।