ଝରକା ତାଡୁଥିଲେ, ଭୁଶୁଡିଲା ଛାତ: ଜଣେ ନାବାଳକ ମୃତ, ଅନ୍ୟ ଜଣେ ମେଡ଼ିକାଲ୍‌ରେ

ଅସାବଧାନତା ଯୋଗୁ ମୋବାଇଲ ଟାୱାର୍‌ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ।

ଝରକା ତାଡୁଥିଲେ, ଭୁଶୁଡିଲା ଛାତ: ଜଣେ ନାବାଳକ ମୃତ, ଅନ୍ୟ ଜଣେ ମେଡ଼ିକାଲ୍‌ରେ

ପରିତ୍ୟକ୍ତ ଘରର ଝରକା ତାଡୁଥିବା ବେଳେ ଭୁଶୁଡି ପଡ଼ିଲା ଛାତ। ଆଉ ସେହି ଛାତ ତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଛି।

ଡାବୁଗାଁ ସଦର ହାଟପଦା ସାହିଠାରୁ ଅଳ୍ପ ଦୂରରେ ରହିଛି ଗୋଟିଏ ମୋବାଇଲ୍‌ ଟାୱାର୍‌। ସେହି ମୋବାଇଲ ଟାୱାର୍‌ ପାଖରେ ଥିବା ବିଶ୍ରାମ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ମୋବାଇଲ୍‌ ଟାୱାର୍‌ଟି କାର୍ଯ୍ୟକ୍ଷମ ନଥିବାରୁ ବିଶ୍ରାମ ଗୃହରେ କେହି ରହୁନଥିଲେ। ଆଜି ସକାଳେ ହାଟପଦା ସାହିର ମହେଶ ଗୌଡ଼ ଓ ଉମା ଜାନୀ ନାମକ ଦୁଇ ନାବାଳକ ମୋବାଇଲ୍‌ ଟାୱାର୍‌ ବିଶ୍ରାମ ଗୃହ ଝରକା ଭାଙ୍ଗି ରଡ୍‌ ବାହାର କରୁଥିବା ଅଭିଯୋଗ ହୋଇଥିଲା।

ତେବେ ଅସାବଧାନତା ଯୋଗୁ ମୋବାଇଲ ଟାୱାର୍‌ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ। ଏନେଇ ଡାବୁଗାଁ ଅଗ୍ନିଶମ ବିଭାଗ ଓ ପୁଲିସ୍‌କୁ ଖବର ଦେଇଥିଲେ। ଗାଁ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ କଂକ୍ରିଟ୍‌ ଛାତ ତଳୁ ମହେଶ ଗୌଡ଼ ଓ ଉମା ଜାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାବୁଗାଁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ମହେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଉମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଡାବୁଗାଁ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଠାଇ ଦେଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତାହା ଉପରେ ପୁଲିସ୍‌ ତଦନ୍ତ ଚଳାଇଛି।

ରିପୋର୍ଟ- ଉମରକୋଟରୁ ସନ୍ତୋଷ ଶତପଥୀ