ଝିଅ ପାଇଁ ଦୁଇପଦ

ଆରେ ମାଆ! ତୁ କେବଳ ମୋର ଝିଅ ନୁହଁ; ମୋର ବର୍ତ୍ତମାନର ଭବିଷ୍ୟତ ଏବଂ ମୋ ଅବର୍ତ୍ତମାନର ସ୍ୱର। ଆଜି ତୁ ମୋ ମାର୍ଫତରେ ଅଛୁ; କିନ୍ତୁ ଭବିଷ୍ୟତରେ ତୁ ପାଲଟିବୁ ମୋର ଧରୋହର, ପ୍ରତିଛବି ଓ ବାର୍ତ୍ତାବହ। ତୋ କାନ୍ଧରେ ମୋ ଶବ ଯାଇ ନ ପାରେ, କିନ୍ତୁ ତୋ କାନ୍ଧରେ ବୁହାହେବ ମୋ ଆଦର୍ଶ, ମୋର ଶିକ୍ଷା ଓ ସଂସ୍କାରର ପରିଚୟ। ତୋର ଚାଲିଚଳଣ, କାମଦାମ, ବିଚାର ଓ କଥାକୁ ଯିଏ ଦେଖିବ, ଶୁଣିବ […]

ଝିଅ ପାଇଁ ଦୁଇପଦ
sakala article

ଆରେ ମାଆ! ତୁ କେବଳ ମୋର ଝିଅ ନୁହଁ; ମୋର ବର୍ତ୍ତମାନର ଭବିଷ୍ୟତ ଏବଂ ମୋ ଅବର୍ତ୍ତମାନର ସ୍ୱର। ଆଜି ତୁ ମୋ ମାର୍ଫତରେ ଅଛୁ; କିନ୍ତୁ ଭବିଷ୍ୟତରେ ତୁ ପାଲଟିବୁ ମୋର ଧରୋହର, ପ୍ରତିଛବି ଓ ବାର୍ତ୍ତାବହ। ତୋ କାନ୍ଧରେ ମୋ ଶବ ଯାଇ ନ ପାରେ, କିନ୍ତୁ ତୋ କାନ୍ଧରେ ବୁହାହେବ ମୋ ଆଦର୍ଶ, ମୋର ଶିକ୍ଷା ଓ ସଂସ୍କାରର ପରିଚୟ। ତୋର ଚାଲିଚଳଣ, କାମଦାମ, ବିଚାର ଓ କଥାକୁ ଯିଏ ଦେଖିବ, ଶୁଣିବ ନିଶ୍ଚୟ ମନେ ପକାଇବ ମତେ। ଆଉ ଯଦି ସେ ମୋତେ ଜାଣି ନ ଥାଏ, ଚାହିଁବ ଜାଣିବାକୁ ମୋ ବିଷୟରେ।

ମନେ ପଡୁଛି ଜଣେ ବନ୍ଧୁଙ୍କ କଥା। ତାଙ୍କର ବାହାଘର ପରେ ଝିଅ ବିଦା ହେବା ବେଳେ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରୁ ଓଢ଼ଣୀଟି ଟିକେ ଖସି ଯିବାରୁ ତାଙ୍କ ଶ୍ୱଶୁର ଝିଅର ଓଢ଼ଣୀଟି ଟାଣିନେଇ କେମିତି କହିଥିଲେ – ‘ଝିଅ, ଏଇଟାକୁ ଜଗିଥିବୁ। ଏଥିରେ ଅଛି ତୋ ବାପାମଆଙ୍କ ସମ୍ମାନ। ଏହାର ମର୍ଯ୍ୟାଦାକୁ ବୁଝିବୁ। କେବେ ବି ଖସିବାକୁ ଦେବୁନି।’ ଝିଅ! ତୁ ଭାବୁଛୁ କି ଏ କଥାର ପ୍ରାସଙ୍ଗିକତା ଏବେ ନାହିଁ ବୋଲି? ଏଇଟା ତ କାଳ କାଳର କଥା। ଏବେ ବୁଝୁଚି କାହିଁ କେଉଁ କାଳରୁ ଝିଅଟିକୁ ‘କନ୍ୟାରତ୍ନ’ ହିସାବରେ ଅଭିହିତ କରାଯାଇଛି। କାହିଁ ପୁଅଟି ପାଖରେ ଏ ବିଶେଷଣ ତ ଲାଗେନି? ମାଆ ଧରିତ୍ରୀଙ୍କର ଉଭୟ ଦାୟାଦଙ୍କ ଭିତରୁ ଝିଅଟିଏ ହିଁ ତାଙ୍କୁ କାଳର ବକ୍ଷରେ ପ୍ରତିନିଧିତ୍ୱ କରିଆସୁଛି। କେବଳ ସେଥିପାଇଁ ଯେ ସେ ସର୍ଜନା କରେ, ପ୍ରତିପୋଷଣ କରେ ଓ ବାନ୍ଧି ରଖେ ଏ ପୃଥିବୀକୁ ସ୍ନେହର ରୁଜୁରେ।

ମାଆ ରେ! ଏ ସବୁ କଥା କହି ତତେ ଚାପଗ୍ରସ୍ତ କରୁନି ତ? ତୁ ଖୁସି ରହ, ସୁଖୀ ରହ। ଏହା ମୋର ଆଦ୍ୟାନ୍ତ ଇଚ୍ଛା ଓ କଲ୍ୟାଣ। ମାଆରେ! ତୁ ଜାଣିନୁ ଯେ ତୁ କି ଭାଗ୍ୟବତୀ। ତୁ ଏବେ ଯେଉଁ ସମୟ ସହିତ ଜଡ଼ିତ ଅଛୁ, ସେ ସମୟ ତୋ କଥା ଓ ସ୍ୱରର ମୂଲ୍ୟ ବୁଝେ। ତୋ କଥା ତଥା ତୋ ଇଚ୍ଛାକୁ ସମ୍ମାନ ଦେବାକୁ ଚେଷ୍ଟା କରେ। ଯେଉଁଟା ହୁଏ ତ ତୋ ଜେଜେ ମାଆ କି ମାଆଙ୍କ ପାଇଁ ସମ୍ଭବ ହେଇ ନ ଥିଲା। ମୁଁ ଜାଣେ ଏବେର କଥା ହେଉଛି ଏଇଆ ଯେ, ଝିଅଟାଏ ପୁଅଠାରୁ କୌଣସି ଗୁଣରେ କମ୍‌‌ ନୁହେଁ। ସେ ମଧ୍ୟ ପୁଅଟିଏ ପରି ସବୁ କାମ କରିପାରିବ ଓ କରୁଛି। ସତକଥା। ହେଲେ ତୁ ଡରୁଛୁ କି ଝିଅ? ଚିନ୍ତା କରୁଛୁ କି ତତେ ମଧ୍ୟ ସବୁ କରି ଦେଖାଇବାକୁ ପଡ଼ିବ? ସବୁ ବନିକି/ହେଇକି ସଂସାରରେ ଚଳିବାକୁ ପଡ଼ିବ? ଆଦୌ ବ୍ୟସ୍ତ ହଅନିରେ ମାଆ।

ତୁ ମୋର ଝିଅ, ମୋର ରତ୍ନଟିଏ। ତୁ ଝିଅଟିଏ ହିଁ ହୋଇକି ରହ। ସେଇ ଜୀବନକୁ ହିଁ ବଞ୍ଚେ। ପୁଅଟିଏ ପରି ହେବାର ବା ତା’କୁ ଅନୁକରଣ କରିବାର ପ୍ରୟାସ ଆଦୌ କରନାହିଁ। କରିବା ଦରକାର ମଧ୍ୟ ନାହିଁ। ତୁ ହେଲୁ ଶକ୍ତି ସ୍ୱରୂପିଣୀ। ତୁ ତୋ ଭିତରର ଶକ୍ତିକୁ ଚିହ୍ନ। ତା’କୁ ଠାବ କର। ତା’କୁ ଜାଗ୍ରତ କର। ତା’ ସହିତ ସଂଯୁକ୍ତ କର ଏ ଆଧୁନିକ ଯୁଗର ସବୁ କଳା ଓ କୌଶଳ। ତୁ ଦେଖିବୁ ଏହିଥିରେ ତୋର ବଳ ଦ୍ୱିଗୁଣିତ ହେବ।

ମାଆ ରେ! ତୁ ଝିଅଟିଏ ବୋଲି ଏ ସମାଜ ସ୍ଥିର ନ କରୁ କ’ଣ ହେବ ତୋ କାର୍ଯ୍ୟ ପନ୍ଥା। ତୋର ଶକ୍ତି ଓ ଚାହିଁବାକୁ ନେଇ ତୁ ସ୍ଥିର କର ତୁ କ’ଣ କରିବୁ। ତୁ ଏକ ଦୈବୀ ସତ୍ତା। ତୋ ଭିତରେ ଥିବା ଆତ୍ମା ବା ବ୍ରହ୍ମସ୍ୱରୂପର କୌଣସି ଲିଙ୍ଗଭେଦ ନାହିଁ। ତେଣୁ ତୁ ସେହି ଆତ୍ମା ଓ ବିବେକର ଆହ୍ୱାନକୁ ଅନୁସରଣ କର। ସ୍ୱୟଂ ସମ୍ପୂର୍ଣ୍ଣ ହୁଅ।

ମାଆ ରେ! ତୁ ହୁଏ ତ ଜାଣିଥିବୁ ବିଖ୍ୟାତ ଦାର୍ଶନିକଙ୍କର ଏହି ନିମ୍ନୋକ୍ତ ବ୍ୟାଖ୍ୟା- ‘ଜଣେ ସମ୍ପୂର୍ଣ୍ଣାର ହୃଦୟରେ ଥାଏ ଏକ ଦୈବୀଅଗ୍ନିର ସ୍ପୁଲିଙ୍ଗ, ଯାହା ସ୍ୱାଚ୍ଛନ୍ଦ୍ୟର ଦିବାଲୋକରେ ହୁଏ ତ ନିଷ୍ପ୍ରଭ ଥାଏ; କିନ୍ତୁ ଦୁଃସମୟ ବା ଦୁର୍ଦ୍ଦିନରେ ଜାଜ୍ୱଲ୍ୟମାନ ହୋଇ ଉଠିଥାଏ। ତୋ ଠାରେ କେବଳ ସେଇ ବୁଦ୍ଧି ଓ ଶକ୍ତିର ସ୍ଥାୟୀ ଜମା ହିଁ କାମନା କରିବି।

ଆଜି ତୋ ପାଇଁ ମୋର କେବଳ ଏହି ଦୁଇ ପଦ କଥା।

ବ୍ରତତୀ ହରିଚନ୍ଦନ
ଭୁବନେଶ୍ବର, ମୋ: ୯୪୩୭୦୩୧୮୬୮