ମନରେଗା ରାସ୍ତା ନିର୍ମାଣରେ ଅନିୟମିତା: ମେଶିନରେ ହେଉଛି କାର୍ଯ୍ୟ, ତଦନ୍ତ ଦାବି

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତାଳକୁଣ୍ଡି ପଞ୍ଚାୟତରେ ବିନା ଶ୍ରମିକରେ ମେଶିନ ଯୋଗେ ରାତିଅଧିଆ ମନରେଗା ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ବିନା ସୂଚନାଫଳକରେ ଦିନ ଦ୍ୱି’ ପ୍ରହରରେ ଖୁଲମଖୁଲା ମେଶିନ ଲଗାଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ କାମଧନ୍ଦା ଅଭାବରୁ ହାତବାନ୍ଧି ବସିଥିବା ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛ। ମିଳିଥିବା ସୂଚନାନୁଯାୟୀ, ପ୍ରାୟ ୨ମାସ ପୂର୍ବେ ମନରେଗା ଯୋଜନାରୁ ଉକ୍ତ ତାଳକୁଣ୍ଡି ପଞ୍ଚାୟତର […] The post ମନରେଗା ରାସ୍ତା ନିର୍ମାଣରେ ଅନିୟମିତା: ମେଶିନରେ ହେଉଛି କାର୍ଯ୍ୟ, ତଦନ୍ତ ଦାବି appeared first on Dharitri Odia News.

ମନରେଗା ରାସ୍ତା ନିର୍ମାଣରେ ଅନିୟମିତା: ମେଶିନରେ ହେଉଛି କାର୍ଯ୍ୟ, ତଦନ୍ତ ଦାବି

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତାଳକୁଣ୍ଡି ପଞ୍ଚାୟତରେ ବିନା ଶ୍ରମିକରେ ମେଶିନ ଯୋଗେ ରାତିଅଧିଆ ମନରେଗା ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ବିନା ସୂଚନାଫଳକରେ ଦିନ ଦ୍ୱି’ ପ୍ରହରରେ ଖୁଲମଖୁଲା ମେଶିନ ଲଗାଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ କାମଧନ୍ଦା ଅଭାବରୁ ହାତବାନ୍ଧି ବସିଥିବା ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛ।

ମିଳିଥିବା ସୂଚନାନୁଯାୟୀ, ପ୍ରାୟ ୨ମାସ ପୂର୍ବେ ମନରେଗା ଯୋଜନାରୁ ଉକ୍ତ ତାଳକୁଣ୍ଡି ପଞ୍ଚାୟତର କୁମୁରାମାରୀ ଗ୍ରାମର ଏଡମନ ସାହି ଠାରୁ ବାବା ସାହି ରାସ୍ତା ଓ କଲଭର୍ଟ ନିର୍ମାଣ କରାଯାଇଥିଲା। ତେବେ କଲଭର୍ଟ ନିର୍ମାଣରେ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ରାସ୍ତାର ନିର୍ମାଣ କାର୍ଯ୍ୟ ରାତ୍ରି ସମୟରେ ମେଶିନ ସହାୟତାରେ କରାଯାଇଥିଲା । ଅନୁରୂପ ଭାବେ ସେହି ପଞ୍ଚାୟତର ଝାରପଡ଼ା ଗ୍ରାମରେ ପ୍ରକାଶ ଘରଠାରୁ କେନାଲ ରାସ୍ତା ମଧ୍ୟ ରାତ୍ରି ସମୟରେ ମେଶିନ ସହାୟତାରେ କରାଯାଇଥିବା ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘନଶ୍ୟାମ ସାହୁଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାତ୍ର ଏହାସତ୍ତ୍ୱେ ଶ୍ରମିକ ବଦଳରେ ମେଶିନ ସହାୟତାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ସେହି ସମୟରେ ଉକ୍ତ ପଞ୍ଚାୟତର ଗ୍ରାମରୋଜଗାର ସହାୟିକାଙ୍କ ମତାମତ ଲୋଡ଼ିବାରୁ ‘ଦିନବେଳେ ଯାହା କାମ ହେଉଛି ତାହା ଆମେ ଦେଖିବାକୁ ପାଉଛୁ। ରାତ୍ରି ସମୟରେ ଯଦି ମେଶିନରେ କାମ କରାଯାଉଥିବ ତେବେ ମୁଁ କହିପାରିବି ନାହିଁ ବୋଲି ଉତ୍ତର ଦେଇଥିଲେ। ତେବେ ମେଶିନ ସାହାଯ୍ୟରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବା ପରିବର୍ତ୍ତେ ପରବର୍ତ୍ତୀ ସମୟରେ ଦିନ ଦ୍ୱି ’ ପ୍ରହରେ ମେଶିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ ଚାଲିଥିଲା।

ଗତ ଏପ୍ରିଲ ମାସରେ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ମେଶିନ ସାହାଯ୍ୟରେ ଶ୍ରଦ୍ଧାପୁର-ବାଙ୍କଦର୍ହ ଏବଂ ଭାଲୁଖୋଳ-ଶ୍ରଦ୍ଧାପୁର ମନରେଗା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଗୁରୁବାର ଅପରାହ୍ନରେ ସର୍ବ ସମ୍ମୁଖରେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ମହୁଲଦର୍ହ ଗ୍ରାମର ଗୌଡ଼ ସାହି ମନରେଗା ରାସ୍ତାର ନିର୍ମାଣ କାର୍ଯ୍ୟ ମେଶିନ ସାହାଯ୍ୟରେ କରାଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ କାମଧନ୍ଦା ଅଭାବରୁ ବସି ରହିଥିବା ଶ୍ରମିକ ଏବଂ ଗ୍ରାମବାସୀ ଆଜି ବିଭାଗୀୟ ପଞ୍ଚାୟତର ନିର୍ବାହୀ ଅଧିକାରିଣୀ ରଶ୍ମି ପ୍ରଧାନ ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘନଶ୍ୟାମ ସାହୁଙ୍କ ନିକଟରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ। ମାତ୍ର କନିଷ୍ଠ ଯନ୍ତ୍ରୀଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିବା ବେଳେ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପ୍ରଧାନ ଜାଣିଶୁଣି କଲ୍‌ ରିସିଭ୍‌ କରୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ମତାମତ ପାଇଁ ଆମେ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପ୍ରଧାନଙ୍କୁ ମୋବାଇଲରେ ଯୋଗାଯୋଗ କରିଥିଲୁ। ମାତ୍ର ସେ କଲ ରିସିଭ୍‌ କରୁନଥିବାରୁ ତାଙ୍କର ମତାମତ ମିଳିପାରିନାହିଁ । ଅନ୍ୟପକ୍ଷରେ ମତାମତ ପାଇଁ କନିଷ୍ଠ ଯନ୍ତ୍ରୀ ଘନଶ୍ୟାମ ସାହୁଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ମୋବାଇଲ ସୁଇଚ୍‌ ଅଫ୍‌ ଥିବାରୁ ଏହା ସମ୍ଭବ ହୋଇନାହିଁ। ତେବେ ସେ ଯାହା ହେଉନା କାହିଁକି ତିଲେଇବଣି ବ୍ଲକର ଏପିଓ, ସହକାରୀ ନର୍ବାହୀ ଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲା ପରିଷଦର ଉନ୍ନୟନ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

The post ମନରେଗା ରାସ୍ତା ନିର୍ମାଣରେ ଅନିୟମିତା: ମେଶିନରେ ହେଉଛି କାର୍ଯ୍ୟ, ତଦନ୍ତ ଦାବି appeared first on Dharitri Odia News.