ଝିଅ ବିଦା ହେବା ପରେ
ଝିଅଟିଏ ବିବାହ କରି ବାପାକୁ ଛାଡ଼ି ଶାଶୁଘରକୁ ଚାଲିଯାଏ । ସେହି କ୍ଷଣର ବ୍ୟଥା ଝିଅକୁ ବିଦାୟ ଦେଇଥିବା ବାପା ହିଁ ଅନୁଭବୀ। ତେବେ ଝିଅଟିଏ ଯଦି ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ପାଖରେ ସୁଖରେ ରୁହେ ତେବେ ବାପା ତା’ର ସବୁ ଦୁଃଖ ଭୁଲିଯାଏ। କିନ୍ତୁ କୌଣସି କାରଣବଶତଃ ଝିଅ ଯଦି ଦୁଃଖରେ ରୁହେ ତେବେ ବାପା ମା’ଙ୍କର ଦୁଃଖ ବୋଝ ଉପରେ ନଳିତା ବିଡ଼ା ପରି ବଢ଼ିଯାଏ। ଏଭଳି ଏକ ସାମାଜିକ ସମସ୍ୟାରେ ଆଜିର […] The post ଝିଅ ବିଦା ହେବା ପରେ appeared first on Dharitri Odia News.
ଝିଅଟିଏ ବିବାହ କରି ବାପାକୁ ଛାଡ଼ି ଶାଶୁଘରକୁ ଚାଲିଯାଏ । ସେହି କ୍ଷଣର ବ୍ୟଥା ଝିଅକୁ ବିଦାୟ ଦେଇଥିବା ବାପା ହିଁ ଅନୁଭବୀ। ତେବେ ଝିଅଟିଏ ଯଦି ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ପାଖରେ ସୁଖରେ ରୁହେ ତେବେ ବାପା ତା’ର ସବୁ ଦୁଃଖ ଭୁଲିଯାଏ। କିନ୍ତୁ କୌଣସି କାରଣବଶତଃ ଝିଅ ଯଦି ଦୁଃଖରେ ରୁହେ ତେବେ ବାପା ମା’ଙ୍କର ଦୁଃଖ ବୋଝ ଉପରେ ନଳିତା ବିଡ଼ା ପରି ବଢ଼ିଯାଏ। ଏଭଳି ଏକ ସାମାଜିକ ସମସ୍ୟାରେ ଆଜିର ଅନେକ ପରିବାର ପୀଡ଼ିତ। ଦୁନିଆର ସବୁ ବନ୍ଧନରେ ଦୁଃଖ ଥାଏ କିନ୍ତୁ ବିବାହ ହେଉଛି ସୁଖର ବନ୍ଧନ। ହେଲେ ବିବାହରେ ବର ଏବଂ କନ୍ୟା ଚୟନରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼େ। ବିଶେଷତଃ ପୁଅଝିଅ ନିଜ ଇଚ୍ଛାରେ ଯେବେ ଗାନ୍ଧର୍ବ ବିବାହ କରନ୍ତି ସେତେବେଳେ ଏହି ଚୟନରେ ସତର୍କତାର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ଦେଖାଯାଉଛି ଅନେକ ସ୍ଥାନରେ ନାରୀ ନିର୍ଯାତିତ ହେଉଛି; ଯଦ୍ଦ୍ବାରା ନିଜ ଇଚ୍ଛାରେ ବିବାହ କରିଥିବା ନାରୀଟିଏ ବେଳେବେଳେ ଉପାୟଶୂନ୍ୟ ହୋଇଯାଉଛି। ଏହିଭଳି ଏକ ଘଟଣାକୁ ମହାକବି କାଳିଦାସ ନିଜର ଅଭିଜ୍ଞାନଶାକୁନ୍ତଳମ୍ ନାଟକରେ ଦର୍ଶେଇଛନ୍ତି ଏବଂ ପ୍ରାୟ ଦୁଇହଜାର ବର୍ଷ ପୂର୍ବରୁ କାଳିଦାସ ଯାହା ଲେଖିଯାଇଛନ୍ତି ଆଜି ସମାଜରେ ସେହି ସମାନ ଘଟଣାବଳୀ ଦୃଷ୍ଟିଗୋଚର ହେଉଛି। ତେଣୁ ବିବାହ ବନ୍ଧନ କେତେ ଗୁରୁତ୍ୱ ବହନ କରେ ଏହା କାଳିଦାସ ଭବିଷ୍ୟ ପିଢ଼ିକୁ ସତର୍କ କରେଇଛନ୍ତି।
ଏକଦା ହସ୍ତିନାପୁରର ରାଜା ଦୁଷ୍ୟନ୍ତ ଅରଣ୍ୟ ଭ୍ରମଣରେ ଯାଇ କଣ୍ବ ମୁନିଙ୍କର ଆଶ୍ରମରେ ପ୍ରବେଶ କରିଛନ୍ତି। ସେଠାରେ କଣଙ୍କର ପାଳିତ କନ୍ୟା ଶକୁନ୍ତଳାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି। ଉଭୟ ଉଭୟଙ୍କର ରୂପଲାବଣ୍ୟରେ ବିମୋହିତ ହୋଇ ପ୍ରେମ ବିବାହ କରିଛନ୍ତି, କିନ୍ତୁ ଏହା କଣ୍ବଙ୍କର ଅଗୋଚରରେ। ଦୁଷ୍ୟନ୍ତ ବିବାହ କରି ନିଜ ରାଜ୍ୟକୁ ଶାସନ କାର୍ଯ୍ୟରେ ଚାଲିଯିବାକୁ ପ୍ରସ୍ତୁତ। କିନ୍ତୁ ଏହା ଭିତରେ ଶକୁନ୍ତଳା ଗର୍ଭବତୀ। ଶକୁନ୍ତଳା ଭୟଭୀତ ହୋଇଛନ୍ତି। କିନ୍ତୁ ଦୁଷ୍ୟନ୍ତ ଆଶ୍ୱାସନା ଦେଇ ଗଲେ ଯେ, ସେ ଯଥାଶୀଘ୍ର ରାଜ୍ୟ କାର୍ଯ୍ୟ ସମାପନ କରି ରାଣୀ ଶକୁନ୍ତଳାଙ୍କର ସ୍ବାଗତ ପାଇଁ ସମସ୍ତ ବ୍ୟବସ୍ଥା କରି ଆସିବେ ଏବଂ ନିଜ ରାଜ୍ୟକୁ ନେଇଯିବେ। ସମୟ ବିତି ଯାଇଛି। କିନ୍ତୁ ଦୁଷ୍ୟନ୍ତ ଆସିଲେ ନାହିଁ। ଏହା ଭିତରେ କଣ୍ବମୁନି ଜାଣିପାରିଲେ ନିଜର ଝିଅ ଶକୁନ୍ତଳା ଦୁଷ୍ୟନ୍ତଙ୍କୁ ବିବାହ କରିଛନ୍ତି ଏବଂ ଝିଅ ଗର୍ଭଧାରଣ କରିଛନ୍ତି। ଦୁଷ୍ୟନ୍ତଙ୍କର ଆଗମନରେ ବିଳମ୍ବ ଏବଂ ବିବାହିତ ଝିଅଟିଏ ନିଜ ସ୍ବାମୀ ଘରେ ରହିବା ଅସୁନ୍ଦର ବୋଲି ଭାବି ଶକୁନ୍ତଳାଙ୍କୁ ଦୁଷ୍ୟନ୍ତଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କଲେ। ଯେତେବେଳେ ଶକୁନ୍ତଳା ଆଶ୍ରମରୁ ବିଦାୟ ନେଇ କଣ୍ବଙ୍କର ଶିଷ୍ୟମାନଙ୍କ ସହିତ ଦୁଷ୍ୟନ୍ତଙ୍କର ରାଜ୍ୟକୁ ଯାଉଛନ୍ତି କଣ୍ବ ଦୁଃଖରେ ମ୍ରିୟମାଣ ହୋଇଛନ୍ତି। କଣ୍ବ ଏକ ସୁନ୍ଦର କଥା କହିଛନ୍ତି ଯଥା ମୁଁ ବଣର ଜଣେ ତପସ୍ବୀ। ଶକୁନ୍ତଳା ମୋର ନିଜ ଜନ୍ମିତ ଝିଅ ନୁହନ୍ତି, ସେ ମୋର ପାଳିତ ପୁତ୍ରୀ। ତଥାପି ମୁଁ ଜଣେ ତପସ୍ବୀ ହୋଇ ଝିଅର ବିଦାୟରେ ଯଦି ଏତେ କଷ୍ଟ ପାଉଛି ସାଂସାରିକ ବ୍ୟକ୍ତିଟିଏ ଝିଅର ବିଦାୟରେ କେତେ କଷ୍ଟ ପାଉ ନ ଥିବେ।
କଣ୍ବଙ୍କର ଶିଷ୍ୟମାନେ ଶକୁନ୍ତଳାଙ୍କୁ ନେଇ ଦୁଷ୍ୟନ୍ତଙ୍କର ରାଜଧାନୀ ହସ୍ତିନାପୁରରେ ପହଞ୍ଚିଲେ। ରାଜା ଦୁଷ୍ୟନ୍ତଙ୍କୁ ତାଙ୍କର ପତ୍ନୀ ଶକୁନ୍ତଳାଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଯେତେବେଳେ ଅନୁମତି ମାଗିଲେ, ରାଜା ଦୁଷ୍ୟନ୍ତ କହିଲେ ମୁଁ ଏ ଝିଅକୁ କେବେ ବିବାହ କରିଥିବାର ମୋର ତ ମନେପଡୁନାହିଁ। ଅନେକ ଯୁକ୍ତିତର୍କ ହେଲା କିନ୍ତୁ ଶକୁନ୍ତଳା ପ୍ରମାଣିତ କରିପାରିଲେ ନାହିଁ ସେ ଦୁଷ୍ୟନ୍ତଙ୍କର ପତ୍ନୀ। ବର୍ତ୍ତମାନ ଏକବିଂଶ ଶତକର ଅତ୍ୟାଧୁନିକ ସମୟରେ ବି ଯଦି ଜଣେ ନାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛି ଦୁଇହଜାର ବର୍ଷ ପୂର୍ବେ କାଳିଦାସଙ୍କ ସମୟରେ ଏହାର ପ୍ରଭାବ ନିଶ୍ଚୟ ଅତ୍ୟଧିକ କଷ୍ଟକର ଥିବ। ପ୍ରମାଣଶୂନ୍ୟା ଶକୁନ୍ତଳା ଦୁଷ୍ୟନ୍ତଙ୍କୁ ଆପ୍ରାଣ ନିବେଦନ କରିଛନ୍ତି କିନ୍ତୁ ପ୍ରତିବଦଳରେ ଶୁଣିଛନ୍ତି ଭର୍ତ୍ସନା। ବାପ ଘରକୁ ଫେରିଗଲେ ଲଜ୍ଜା, ସ୍ବାମୀ ଘରେ ମୁଣ୍ଡଗୁଞ୍ଜିବାକୁ ପ୍ରମାଣର ଅଭାବ। ଶକୁନ୍ତଳା ଆତ୍ମହତ୍ୟା କରିବା ପାଇଁ ଯେତେବେଳେ ଯାଇଛନ୍ତି ସ୍ବର୍ଗର ଏକ ଅପ୍ସରା ତାଙ୍କୁ ସମବେଦନାର ସହିତ ନିଜ ସାଙ୍ଗରେ ନେଇଯାଇଛନ୍ତି।
ଏଠାରେ ଅନେକ ପ୍ରଶ୍ନ ସାମାଜିକର ହୃଦୟରେ ଜାଗରିତ ହୁଏ। ଯଦି ପ୍ରଶ୍ନ ଉଠିବ ଶକୁନ୍ତଳା ନିଜ ବାପାଙ୍କର ଅଜ୍ଞାତରେ ଦୁଷ୍ୟନ୍ତଙ୍କୁ ବିବାହ କରିବା କେତେଦୂର ଯୁକ୍ତିଯୁକ୍ତ ସେଠାରେ ଏକ ପ୍ରତିପକ୍ଷ ଉତ୍ତର ନିଶ୍ଚୟ ଆସିବ ତେବେ ପ୍ରେମ ରୂପକ ସୁନ୍ଦର ତତ୍ତ୍ୱ କେମିତି ସାକାର ହେବ। କ’ଣ ପ୍ରେମ କରିବା ଭୁଲ୍ ? ଏଠି ପ୍ରଶ୍ନ ପ୍ରେମର ନୁହେଁ, ପ୍ରଶ୍ନ ହେଉଛି ଯାହାକୁ ବିବାହ କରାଯାଏ ତାହାର ସମସ୍ତ ବିବରଣୀ ଗୃହର ସମସ୍ତ ସଦସ୍ୟ ତଥା ବିବାହ କରିବାକୁ ଯାଉଥିବା ଝିଅଟି ସ୍ବୟଂ ବିବାହ ପୂର୍ବରୁ ଜାଣିବା ଏକାନ୍ତ ଆବଶ୍ୟକ। କାରଣ ଆଜିର ସମାଜରେ ଅନେକ ନାରୀ ପ୍ରତାରକ ମାନଙ୍କ ଦ୍ୱାରା ପ୍ରତାଡ଼ିତ ହୋଇ ପୋଲିସ ଷ୍ଟେଶନଠାରୁ ନ୍ୟାୟାଳୟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି। ପରିବାରର ବାପା ଏବଂ ମା’ ପୁଅଝିଅଙ୍କର ହୃଦୟକୁ ବୁଝିବା ପାଇଁ ଚେଷ୍ଟା କରିବା ସହିତ ପୁଅଝିଅମାନେ ମଧ୍ୟ ବାପାମା’ଙ୍କର ହୃଦୟକୁ ବୁଝିବାର ଆବଶ୍ୟକତା ରହିଛି।
ଡଃ. ଭାରତ ଭୂଷଣ ରଥ
ଉପନିର୍ଦ୍ଦେଶକ, ଦୂରଶିକ୍ଷା ନିର୍ଦ୍ଦେଶାଳୟ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ
ତିରୁପତି (ଆ.ପ୍ର.)
ମୋ:୮୮୯୭୪୨୬୨୪୩
The post ଝିଅ ବିଦା ହେବା ପରେ appeared first on Dharitri Odia News.