ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍‌, ରୋଗୀ ହୀନସ୍ତା

ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ ।

ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍‌, ରୋଗୀ ହୀନସ୍ତା

ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ ଆଉ କାହାର ଡେଙ୍ଗୁ ଆକ୍ରାନ୍ତ ପିଲାର ଚିକିତ୍ସା ପାଇଁ ସଂଗୃହିତ ହୋଇପାରୁନି ଆବଶ୍ୟକୀୟ ନମୂନା । ଆଜିକୁ ୩ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ପ୍ରଭାବିତ ହେଲାଣି ସ୍ୱାସ୍ଥ୍ୟସେବା। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ିବସିଛନ୍ତି ନର୍ସିଂ ଅଫିସର।

ଫଳରେ ବ୍ରହ୍ମପୁରରୁ ସମ୍ବଲପୁର, ପୁରୀରୁ ଯାଜପୁର, ଅଥବା ମାଲକାନଗିରିରୁ ଜଗତସିଂପୁର। ଏସବୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ମେଡ଼ିକାଲ୍ ଗୁଡ଼ିକରେ ଆବଶ୍ୟକୀୟ ରୋଗୀସେବା ନପାଇ ରୋଗୀ ଓ ସଂପର୍କୀୟ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।

ଗତ ବୁଧବାରଠୁ ୧୦ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ ଅଫିସର। ୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନ ଚଳାଇଛି।

ଗତ ୨ ଦିନ ଜରୁରୀ ସେବା ଯୋଗାଇ ଧାରଣା ଦେଇଥିଲେ। ଆଜି ରାଜ୍ୟ ସଂଘର ଡ଼ାକରାରେ ସମୂହ କାର୍ଯ୍ୟ ବନ୍ଦ କରି ସିରିଞ୍ଜ ଛାଡ଼ ଆନ୍ଦୋଳନ କରିଥିଲେ। ଆଜି ସଂଧ୍ୟା ସୁଦ୍ଧା ଦାବି ପୂରଣ ନହେଲେ କାଲିଠୁ ଅହୋରାତ୍ର ଆନ୍ଦୋଳନ ପାଇଁ ଚେତାବନୀ ଶୁଣାଇଛନ୍ତି ନର୍ସିଂ ଅଫିସର।

ନର୍ସିଂ ଅଫିସରଙ୍କ ଆନ୍ଦୋଳନରେ ଲଗାମ୍ ଲଗାଇବାକୁ ପ୍ରଥମେ ଏସମା ଲାଗୁ କରିଥିଲେ ରାଜ୍ୟ ସରକାର। ଏହାସତ୍ତ୍ବେ ସଂଘ ଆନ୍ଦୋଳନ ଜାରି ରଖିବାରୁ ଗତକାଲି ଆନ୍ତଃ ବିଭାଗୀୟ କମିଟି ଦ୍ୱାରା ଦାବିର ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ ରାଜ୍ୟ ସରକାର। ତଥାପି ଜିଦରେ ଅଟଳ ନର୍ସିଂ ଅଫିସର। ଏଭଳି ସ୍ଥିତିର ମୁକାବିଲା ପାଇଁ ବିଏସସି ନର୍ସିଂ ଛାତ୍ରଛାତ୍ରୀ, ANM ଏବଂ ଅନ୍ୟ କର୍ମଚାରୀଙ୍କୁ ଧରି ରୋଗୀସେବା ଜାରି ରହିଥିବା କହିଛନ୍ତି ନର୍ସିଂ ନିର୍ଦ୍ଦେଶକ। ତେଣେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଆନ୍ଦୋଳନରୁ ଓହରି ଆସିବାକୁ ନର୍ସିଂ ସଂଘକୁ ଅପିଲ୍ କରିଛନ୍ତି। 

ଗୋଟିଏ ପଟେ ଜିଦରେ ଅଟଳ ରହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ନର୍ସିଂ ସଂଘ, ଆରପଟେ ଆନ୍ଦୋଳନରୁ ଓହରିବା ପାଇଁ ସରକାରଙ୍କ ଘନ ଘନ ଅପିଲ୍। ଏଭଳି ସ୍ଥିତିରେ କି ରୂପ ନେଉଛି ନର୍ସ ଆନ୍ଦୋଳନ, ତାକୁ ଅପେକ୍ଷା।