ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ ମାର୍କରମ, ବାଦ ପଡ଼ିଲେ ରୁସୋ

ପ୍ରଥମଥର ପାଇଁ ସେ କୌଣସି ଆଇସିସି ଇଭେଣ୍ଟରେ ଦକ୍ଷିଣ ଆଫ୍ରିକାର କମାଣ ସମ୍ଭାଳିବାକୁ ଯାଉଛନ୍ତି।

ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ ମାର୍କରମ, ବାଦ ପଡ଼ିଲେ ରୁସୋ

ଆସନ୍ତା ଜୁନ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ଦକ୍ଷିଣ ଆଫ୍ରିକା ତା’ର ସ୍କ୍ୱାଡ ଘୋଷଣା କରିଛି। ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ବିସ୍ଫୋରକ ବ୍ୟାଟର ଏଡେନ ମାର୍କରମ ନେବେ। ପ୍ରଥମଥର ପାଇଁ ସେ କୌଣସି ଆଇସିସି ଇଭେଣ୍ଟରେ ଦକ୍ଷିଣ ଆଫ୍ରିକାର କମାଣ ସମ୍ଭାଳିବାକୁ ଯାଉଛନ୍ତି।

ଦକ୍ଷିଣ ଆଫ୍ରିକାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ନଥିବା ଦୁଇ ଖେଳାଳି କ୍ୱିଣ୍ଟନ ଡି’କକ ଓ ଅନରିଚ୍‌ ନୋର୍ଖିୟା ଦଳକୁ କମବ୍ୟାକ କରିଛି। ୨୦୨୩ ଦିନିକିଆ ବିଶ୍ୱକପରେ ଡି’କକ ଓ ନୋର୍ଖିୟା ଦକ୍ଷିଣ ଆଫ୍ରିକାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାହରି ଯାଇଥିଲେ। କିନ୍ତୁ ଉଭୟଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ୨୦୨୪ ଟି-୨୦ ବିଶ୍ୱକପ ୧୫ ଜଣିଆ ସ୍କ୍ୱାଡରେ ରଖିଛି।

ଅନ୍ୟପକ୍ଷରେ ଖରାପ ଫର୍ମ ଦେଇ ଗତି କରୁଥିବା ରାଇସେଲ ରୁସୋଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳିନାହିଁ। ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ରେ ନିଜର ଛାପ ଛାଡ଼ିଥିବା ଦୁଇ ଯୁବ ଖେଳାଳି ରାୟନ ରିକେଲଟନ ଓ ଓଣ୍ଟିନେଲ ବାର୍ଟମାନଙ୍କୁ ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଚୟନ କରାଯାଇଛି।

ଦକ୍ଷିଣ ଆଫ୍ରିକା ଟି-୨୦ରେ ରିକେଲଟନ ଏମଆଇ କେପ ଟାଉନ ପକ୍ଷରୁ ଖେଳିଥିଲେ। ସେ ୧୭୩.୭୭ ଷ୍ଟ୍ରାଇକ ରେଟ୍‌ରେ ୫୩୦ କରିଥିଲେ। ସେହିପରି ବାର୍ଟମାନ ସନ ରାଇଜର୍ସ ଇଷ୍ଟର୍ଣ୍ଣ କେପ ପକ୍ଷରୁ ଖେଳୁଥିଲେ। ସେ ପୂରା ଟୁର୍ଣ୍ଣାମେଣ୍ଟରେ ୧୮ଟି ୱିକେଟ ନେବା ସହ ଦଳକୁ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏମାନଙ୍କ ବ୍ୟତୀତ ଦଳରେ ରେଜା ହେଣ୍ଡ୍ରିକ୍ସ, ହେନରିଚ କ୍ଲାସେନ, ଡାଭିଡ ମିଲର ଓ ଯୁବ ବ୍ୟାଟର ଟ୍ରିଷ୍ଟାନ ଷ୍ଟବ୍ସ ରହିଛନ୍ତି।

ଦ୍ରୁତ ବୋଲିଂ ବାହିନୀରେ ନୋର୍ଖିୟାଙ୍କ ବ୍ୟତୀତ କାଗିସୋ ରବାଡା, ମାର୍କୋ ୟାନସେନ ଓ ଗେରାଲ୍ଡ କୋଏଜି ଅଛନ୍ତି। ଦଲର ସ୍ପିନ ବୋଲିଂର ଦାୟିତ୍ୱ ବିଶ୍ୱକପରେ ବଜୋରନ ଫର୍ଚୁନ, କେଶବ ମହାରାଜ ଓ ତାବ୍ରାଇଜ ଶାମିସଙ୍କ ଉପରେ ରହିବ।

ଦକ୍ଷିଣ ଆଫ୍ରିକାର ବିଶ୍ୱକପ ସ୍କ୍ୱାଡ: ଏଡେନ ମାର୍କରମ, କ୍ୱିଣ୍ଟନ ଡି’କକ, ରାୟନ ରିକେଲଟନ ଓ ଓଣ୍ଟିନେଲ ବାର୍ଟମାନ, କାଗିସୋ ରବାଡା, ମାର୍କୋ ୟାନସେନ ଓ ଗେରାଲ୍ଡ କୋଏଜି, ରେଜା ହେଣ୍ଡ୍ରିକ୍ସ, ହେନରିଚ କ୍ଲାସେନ, ଡାଭିଡ ମିଲର, ଟ୍ରିଷ୍ଟାନ ଷ୍ଟବ୍ସ, ବଜୋରନ ଫର୍ଚୁନ, କେଶବ ମହାରାଜ ଓ ତାବ୍ରାଇଜ ଶାମିସ।

ରିଜର୍ଭ ଖେଳାଳି: ନାନ୍ଦ୍ରେ ବର୍ଗର ଓ ଲୁଙ୍ଗି ଏନଗିଡି।