ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ସାକିବ ଅଲ ହାସନ

ସାକିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଆଉ ଖେଳିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ସାକିବ ଅଲ ହାସନ

ଅବସର ଘୋଷଣା କରିଛନ୍ତି ବାଂଲାଦେଶର କିମ୍ବଦନ୍ତୀ ଅଲରାଉଣ୍ଡର ସାକିବ ଅଲ ହାସନ। ଆସନ୍ତାକାଲି କାନପୁରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହା ପୂର୍ବରୁ ସାକିବ ଅବସର ଘୋଷଣା କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁରରେ ସେ ତାଙ୍କ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବେ ବୋଲି କହିଛନ୍ତି। ବାଂଲାଦେଶକୁ ଅନେକ ମ୍ୟାଚ୍‌ରେ ଜିତାଇଥିବା ସାକିବ ଦୀର୍ଘ ବର୍ଷ ଧରି ୩ଟି ଯାକ କ୍ରିକେଟ ଫର୍ମାଟ ଖେଳି ଆସୁଥିଲେ। ସାକିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଆଉ ଖେଳିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ମ୍ୟାଚ୍‌ ପରେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛି। କିନ୍ତୁ ଯଦି ଉକ୍ତ ମ୍ୟାଚ୍‌ ସମ୍ଭବ ପର ହେବ ନାହିଁ, ତା’ହେଲେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ତାଙ୍କ ନାଲି ବଲ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ସେ ନିଜ ଟି-୨୦ କ୍ୟାରିୟରର ଶେଷ ମ୍ୟାଚ୍‌ ପୂର୍ବରୁ ଖେଳି ସାରିଛନ୍ତି ବୋଲି ସାକିବ କହିଛନ୍ତି।

ଏଯାଏ ୭୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ସାକିବ ୩୮.୩୩ ହାରରେ ୪୬୦୦ ରନ କରିଛନ୍ତି। ତାଙ୍କ ବ୍ୟାଟରୁ ୫ଟି ଶତକ ଓ ୩୧ଟି ୫୦ ଦେଖିବାକୁ ମିଳିଛି। ବ୍ୟାଟିଂ ବ୍ୟତୀତ ସେ ବୋଲିଂରେ ମଧ୍ୟ କମାଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୨୪୨ଟି ୱିକେଟ ନେଇଥିବା ବେଳେ ଏହା ମଧ୍ୟରେ ୫ଟି ଫାଇଫର ରହିଛି। ସେ ୨ ଥର ୧୦ଟି ୱିକେ ନେବାର ମଧ୍ୟ ରେକର୍ଡ କରିଛନ୍ତି। 

ଜଣେ ଭଲ ଅଲରାଉଣ୍ଡରର ମାନ୍ୟତା ପାଇ ଥିବା ସାକିବ ୨୦୦୭ରେ ଭାରତ ବିପକ୍ଷ ଚିତ୍ତୋଗ୍ରାମ ଟେଷ୍ଟରେ ଡେବ୍ୟୁ କରିଥିଲେ। ଏବେ ସେ ୩୭ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।