ଟ୍ରମ୍ପଙ୍କ ସଂଶୋଧିତ ଟାରିଫ: ଭାରତକୁ ଅଣଦେଖା, ପାକିସ୍ତାନକୁ ସହାୟତା

ଏହି ସଂଶୋଧିତ ଟାରିଫ ତାଲିକାରେ ଭାରତର ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ ଅତୁଟ ରହିଛି। ଅର୍ଥାତ ଭାରତ ଉପରେ ଟ୍ରମ୍ପ ଲଗାଇଥିବା ୨୫% ଶୁଳ୍କ ନୀତିରେ କାଏମ ରହିଛନ୍ତି। କିନ୍ତୁ ପାକିସ୍ତାନ ପ୍ରତି ଟ୍ରମ୍ପ କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି।

ଟ୍ରମ୍ପଙ୍କ ସଂଶୋଧିତ ଟାରିଫ: ଭାରତକୁ ଅଣଦେଖା, ପାକିସ୍ତାନକୁ ସହାୟତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ଶୁକ୍ରବାର ଟ୍ରେଡ ଡିଲ୍‌ ଡେଡଲାଇନ ପୂର୍ବରୁ ଏକାଧିକ ଦେଶ ଉପରେ ବର୍ଦ୍ଧିତ ଶୁଳ୍କର ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆମେରିକା ବ୍ୟବସାୟକୁ ସୁହାଇବା ପାଇଁ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲାଗୁ କରିଥିବା ସଂଶୋଧିତ ଟାରିଫ ତାଲିକା ଜାରି କରିଛନ୍ତି।

ଏହି ସଂଶୋଧିତ ଟାରିଫ ତାଲିକାରେ ଭାରତର ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ ଅତୁଟ ରହିଛି। ଅର୍ଥାତ ଭାରତ ଉପରେ ଟ୍ରମ୍ପ ଲଗାଇଥିବା ୨୫% ଶୁଳ୍କ ନୀତିରେ କାଏମ ରହିଛନ୍ତି। କିନ୍ତୁ ପାକିସ୍ତାନ ପ୍ରତି ଟ୍ରମ୍ପ କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ଉପରେ ଟ୍ରମ୍ପ ପୂର୍ବରୁ ଲଗାଇଥିବା ଟାରିଫକୁ ହ୍ରାସ କରି ଦେଇଛନ୍ତି।

ଭାରତ ପ୍ରତି କଠୋର ଆଭିମୁଖ୍ୟ ଅପାଣାଇଥିବା ଟ୍ରମ୍ପ ଗୁରୁବାର ପାକିସ୍ତାନ ସହ ତୈଳ ଭଣ୍ଡାର ବିକଶିତ କରିବାର ଚୁକ୍ତି କରିଥିଲେ। ଏବେ ପାକିସ୍ତାନରୁ ଆମଦାନୀ ହେଉଥିବା ଜିନିଷ ଉପରେ ୨୯ ବଦଳରେ ୧୯% ଟାରିଫ ଲାଗିବ ବୋଲି ସେ ଜାରି କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେ କରିଛନ୍ତି।

୬୯ଟି ଦେଶ ଉପରେ ଆସନ୍ତା ୭ ଦିନ ଭିତରେ ନୂଆ ଟାରିଫ ନୀତି ଲାଗୁ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ସିରିୟା ଉପରେ ଟ୍ରମ୍ପ ୪୧% ସୀମା ଶୁଳ୍କ ଲଗାଇଥିବା ବେଳେ କାନାଡାର ଅଧିକାଂଶ ଦ୍ରବ୍ୟ ଉପରେ ୩୫% ଟାରିଫ ଲଗାଯାଇଛି। ବ୍ରାଜିଲ ଉପରେ ୫୦%, ଭାରତ ଉପରେ ୨୫%, ତାଇୱାନ ଉପରେ ୨୦% ଓ ସ୍ୱିଜରଲ୍ୟାଣ୍ଡ ଉପରେ ଆମେରିକା ୩୯% ଶୁଳ୍କ ଲଗାଇଛି। ତେବେ ପାକିସ୍ତାନ ଉପରେ ଲାଗୁ ହେଉଥିବା ୨୯% ଶୁଳ୍କକୁ ଟ୍ରମ୍ପ ୧୯%କୁ ହ୍ରାସ କରି ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ମେକ୍ସିକୋର ଷ୍ଟିଲ, ଆଲୁମିନିୟମ ଓ ତମ୍ବା ଉପରେ ୫୦% ଟାରିଫ ଲାଗୁ ହେବ। ସେହିପରି ମେକ୍ସିକାନ ଅଟୋ ଓ ଅଣ ୟୁଏସଏମସିଏ ଦ୍ରବ୍ୟ ୨୫% ଟାରିଫ ଆଦାୟ ହେବ। ଦକ୍ଷିଣ କୋରିଆ ଉପରେ ଲାଗୁ ହେଉଥିବା ୨୫% ଟାରିଫ ୧୫%କୁ ଖସି ଆସିଛି। କିନ୍ତୁ ଭାରତ ଉପରେ ଲାଗୁ ହୋଇଥିବା ୨୫% ଟାରିଫ ବ୍ୟବସ୍ଥା କାଏମ ରହିଛି।

ଏଥିସହ ଭାରତ ଉପରେ ରୁଷ ଠାରୁ ତେଲ କିଣିବା ପାଇଁ ଟ୍ରମ୍ପ ଅଘୋଷିତ ଜୋରିମାନା ମଧ୍ୟ ଲଗାଇଛନ୍ତି। ଏହାବାଦ ଆଫଗାନିସ୍ତାନ ଉପରେ ୧୫%, ଆଲଜେରିଆ ଉପରେ ୩୦%, ଅଙ୍ଗୋଲା ଉପରେ ୧୫%, ବାଂଲାଦେଶ ଉପରେ ୨୦%, ବୋଲିଭିଆ ଉପରେ ୧୫% ଟାରିଫ ଲାଗୁ କରାଯାଇଛି।