ଟ୍ରେଡମିଲ୍‌‌ରେ ଟ୍ରମ୍ପ

ଆମେରିକାର ନିବନିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଓ ରାଷ୍ଟ୍ରବାଦୀ ଆଭିମୁଖ୍ୟ ବିଶ୍ୱ ବାଣିଜ୍ୟ ପ୍ରତି ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି। ବସ୍ତୁତଃ ବହୁଧ୍ରୁବୀୟ ବିଶ୍ୱବାଣିଜ୍ୟ ଆଗାମୀ ଦିନରେ ପୁଣି ଥରେ ଦ୍ୱିଧ୍ରୁବୀୟ ହେବାର ଅନୁମାନ କରାଯାଉଛି- ଯେଉଁଥିରେ ଗୋଟିଏ ପଟେ ଆମେରିକା ନେତୃତ୍ୱ ଓ ଅନ୍ୟପଟେ ଚୀନ୍‌‌ ଓ ୟୁରୋପୀୟ ସଂଘର ନେତୃତ୍ୱରେ ବିକାଶଶୀଳ ଦେଶମାନେ ରହିବେ। ଯଦି ଟ୍ରମ୍ପଙ୍କ ସାମ୍ପ୍ରତିକ ଶାସନ କାଳରେ ଏହା ବାସ୍ତବତାର ରୂପ ନିଏ ତେବେ […]

ଟ୍ରେଡମିଲ୍‌‌ରେ ଟ୍ରମ୍ପ
sakala editorial

ଆମେରିକାର ନିବନିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଓ ରାଷ୍ଟ୍ରବାଦୀ ଆଭିମୁଖ୍ୟ ବିଶ୍ୱ ବାଣିଜ୍ୟ ପ୍ରତି ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି। ବସ୍ତୁତଃ ବହୁଧ୍ରୁବୀୟ ବିଶ୍ୱବାଣିଜ୍ୟ ଆଗାମୀ ଦିନରେ ପୁଣି ଥରେ ଦ୍ୱିଧ୍ରୁବୀୟ ହେବାର ଅନୁମାନ କରାଯାଉଛି- ଯେଉଁଥିରେ ଗୋଟିଏ ପଟେ ଆମେରିକା ନେତୃତ୍ୱ ଓ ଅନ୍ୟପଟେ ଚୀନ୍‌‌ ଓ ୟୁରୋପୀୟ ସଂଘର ନେତୃତ୍ୱରେ ବିକାଶଶୀଳ ଦେଶମାନେ ରହିବେ। ଯଦି ଟ୍ରମ୍ପଙ୍କ ସାମ୍ପ୍ରତିକ ଶାସନ କାଳରେ ଏହା ବାସ୍ତବତାର ରୂପ ନିଏ ତେବେ ପ୍ରଥମ ବିଶ୍ୱବାଣିଜ୍ୟ ଯୁଦ୍ଧ ଅବଶ୍ୟାମ୍ଭାବୀ ବୋଲି କୁହାଯାଇପାରେ। ଏହି ଯୁଦ୍ଧର ତତ୍କାଳ ଫାଇଦା ନା ତ ଆମେରିକାକୁ ମିଳିବ ନା ଚୀନ୍‌‌ କିମ୍ବା ୟୁରୋପୀୟ ସଂଘ ପାଇବେ। ଅଧିକନ୍ତୁ ଦୀର୍ଘମିଆଦୀ କାଳରେ ବିକାଶଶୀଳ ଦେଶମାନେ ଏହି ଯୁଦ୍ଧର ସର୍ବାଧିକ କ୍ଷତି ସହିବେ।

ବିଶ୍ୱ ବାଣିଜ୍ୟ ଯୁଦ୍ଧର ପ୍ରାକ୍‌‌ ବା ବର୍ତ୍ତମାନର ସ୍ଥିତି ଅନୁମାନ କରାଯାଉ। ବିନିର୍ମାଣ ଓ ରପ୍ତାନୀ ବାଣିଜ୍ୟ ଉପରେ ନିର୍ଭରଶୀଳ ଚୀନ୍‌‌ର ଅର୍ଥନୀତିର ସ୍ଥିତି ଆମେରିକା ତୁଳନାରେ ଉତ୍ତମ। ଆମେରିକାକୁ ଚୀନ୍‌‌ର ବାଣିଜ୍ୟ ବଳକା ବା ଆମଦାନୀ ତୁଳନାରେ ରପ୍ତାନୀ ପରିମାଣ ଗତ ଆର୍ଥିକ ବର୍ଷରେ ଅଧିକ ୧ ଲକ୍ଷ କୋଟି ଡଲାର ଟପିଛି। ତେଣୁ ମୂଲଚାଲ୍‌‌ ସ୍ଥିତିରେ ଚୀନ୍‌‌ର ଆଧିପତ୍ୟ ଭାରି ଜଣାପଡ଼ୁଛି। ଗତବର୍ଷକ ମଧ୍ୟରେ ଚୀନ୍‌‌ର ବହିଃବାଣିଜ୍ୟ ୧୨% ବୃଦ୍ଧି ଘଟିଛି। ତେଣୁ ଚୀନ୍‌‌ରୁ ଆମଦାନୀ ସାମଗ୍ରୀ ଉପରେ ଟ୍ରମ୍ପ ପ୍ରଶାସନ ଅତିରିକ୍ତ ୧୦% ସୀମାଶୁଳ୍କ ଓ ଆମଦାନୀ ଶୁଳ୍କ ବୃଦ୍ଧି ଘୋଷଣା କରିବା ପରେ ଚୀନ୍‌‌ ତତ୍କାଳ ପାଲଟା ଜବାବ ଦେଇଛି। ସେମିକଣ୍ଡକ୍ଟର ନିର୍ମାଣରେ ବ୍ୟବହୃତ କେକେତ କଞ୍ଚାମାଲ୍‌‌ର ଆମେରିକା ରପ୍ତାନୀକୁ ଚୀନ୍‌‌ ସ୍ଥଗିତ କରିଛି। ଏହିସବୁ କଞ୍ଚାମାଲ୍‌‌ ଚୀନ୍‌‌ରୁ ଆମଦାନୀ କରୁଥିବା ଅନ୍ୟଦେଶମାନଙ୍କଠାରୁ ଆମେରିକା କିଣିବାର ଯୋଜନାରେ ଥିବାରୁ ଚୀନ୍‌‌ ସତର୍କ ହୋଇ ସେହି ଦେଶମାନଙ୍କ ଉପରେ କଟକଣା ଜାରି କରିଛି। ଗୁଗୁଲ୍‌‌ର କାର୍ଯ୍ୟାବଳୀ ଉପରେ ଚୀନ୍‌‌ ଅନୁସନ୍ଧାନ ଆରମ୍ଭ କରିବା ସହିତ ଆମେରିକୀୟ ଉତ୍ପାଦ ଏବଂ ଆମେରିକାରୁ ଆମଦାନୀ ହେଉଥିବା ତରଳ ପ୍ରାକୃତିକ ବାଷ୍ପ, କୋଇଲା, କୃଷି ଉପକରଣ ଉପରେ ୧୫% ଶୁଳ୍କ ବୃଦ୍ଧି କରିଛି। ଆମେରିକା-ଚୀନର ଏହି ବାଣିଜ୍ୟ ଯୁଦ୍ଧରେ ଆମେରିକାବାସୀଙ୍କ ପାରିବାରିକ ଖର୍ଚ୍ଚ ବାର୍ଷିକ ୧୨୦୦ ଡଲାର ପର୍ଯ୍ୟନ୍ତ ବଢ଼଼ିଯିବ ବୋଲି ଆକଳନ କରାଯାଇଛି। ଏଥିରେ ଚୀନ୍‌‌ର ବିବଶତା ବା ଦୁର୍ବଳତା ହେଲା ଆମେରିକୀୟ ଡଲାର ତୁଳନାରେ ୟୁଆନ୍‌‌ର କ୍ରମାଗତ ମୂଲ୍ୟ ହ୍ରାସ। ତେଣୁ ଚୀନ୍‌‌ର ରପ୍ତାନୀ ବାଣିଜ୍ୟ ବୃଦ୍ଧି ପାଉଥିଲେ ମଧ୍ୟ ତଦନୁଯାୟୀ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରୁନାହିଁ। ଏଭଳି ପରିସ୍ଥିତି ଟ୍ରମ୍ପଙ୍କ ପ୍ରଥମ ଶାସନକାଳରେ ମଧ୍ୟ ଦେଖାଦେଇଥିଲା। ୨୦୧୮ରେ ଆମେରିକାର ଚୀନ୍‌‌ ଉପରେ ବାଣିଜ୍ୟ କଟକଣା ଲାଗୁ ପରେ ୨୦୨୦ରେ ପୁଣି ଥରେ ଦୁଇ ଦେଶ ଆପୋସ ବୁଝାମଣା କରିବାକୁ ବାଧ୍ୟ ହୋଇଥିଲେ। ତେଣୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ଜରିଆରେ ବିଶ୍ୱ ବାଣିଜ୍ୟରେ ଆଧିପତ୍ୟ ପାଇଁ ଚୀନ୍‌‌ରୁ ଆରମ୍ଭ କରିଥିବା ଦୌଡ଼ ପୁଣି ଟ୍ରେଡମିଲ୍‌‌ ସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇହେଉନାହିଁ।

ସେହିଭଳି ୨୭ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘକୁ ମଧ୍ୟ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସେହିସବୁ ରାଷ୍ଟ୍ରରୁ ଆମେରିକା ବିପୁଳ ପରିମାଣର କାର, ଖାଦ୍ୟ ସାମଗ୍ରୀ ଓ କୃଷିଜାତ ସାମଗ୍ରୀ ଆମଦାନୀ କରୁଥିବା ବେଳେ ୟୁରୋପୀୟ ସଂଘ ଆମେରିକାର କାର କିଣୁ ନଥିବାରୁ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ତେଣୁ ୟୁରୋପୀୟ ସଂଘରୁ ଆମଦାନୀ ଉପରେ ଟ୍ରମ୍ପ ଟିକସ ବୃଦ୍ଧି କରିବାର ଯୋଜନାରେ ଅଛନ୍ତି। ଅପରପକ୍ଷରେ ଆମେରିକୀୟ କାରଗୁଡ଼ିକର ବିଭିନ୍ନ ଅଂଶ ମେକ୍ସିକୋ ଓ କାନାଡ଼ାରେ ନିର୍ମାଣ ହୋଇ ଆମେରିକାକୁ ଆସୁଛି ଏବଂ ଆମେରିକାରେ ସେହିସବୁ ଅଂଶ ଯୋଡ଼ା ଯାଇ ଆମେରିକୀୟ କାର ଭାବେ ବିଶ୍ୱ ବଜାରରେ ବିକ୍ରି ହେଉଛି। ତେଣୁ ଯଦି ମେକ୍ସିକୋ ଓ କାନାଡ଼ା ଉପରେ ଟିକସ ଲାଗୁ ହୁଏ ତେବେ ସେଠାରୁ ଆମଦାନୀ ଯନ୍ତ୍ରାଂଶ ଅଧିକ ମହଙ୍ଗା ହେବ ଏବଂ ଆମେରିକା ହିଁ ଅଧିକ କ୍ଷତି ସହିବ। ୟୁରୋପୀୟ ସଂଘ ଉପରେ ଟିକସ କଟକଣା ଲାଗୁ ହେଲେ ୟୁରୋପୀୟମାନେ ଏପରିକି ଆମେରିକାବାସୀ ମଧ୍ୟ ଆମେରିକା କାର ନ କିଣି ଜାପାନ, ଜର୍ମାନୀ ଓ ଦକ୍ଷିଣ କୋରିଆ ନିର୍ମିତ କାର ସୁଲଭ ମୂଲ୍ୟରେ କିଣିବାକୁ ପସନ୍ଦ କରିବେ। ମେକ୍ସିକୋ ଓ କାନାଡ଼ା ବାଣିଜ୍ୟ ମଧ୍ୟ ୟୁରୋପ ମୁହାଁ ହେବେ। ଏହି କାରଣରୁ ମେକ୍ସିକୋ ଓ କାନାଡ଼ା ଉପରେ ଲାଗୁ ହୋଇଥିବା ୨୫% ଶୁଳ୍ପ ବୃଦ୍ଧି ନିର୍ଦ୍ଦେଶନାମାକୁ ଟ୍ରମ୍ପ ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରି ନେଇଛନ୍ତି। ଏହା ହିଁ ଟ୍ରମ୍ପଙ୍କ ଟିକସ-ଟ୍ରେଡମିଲ୍‌‌ ଦୌଡ଼କୁ ଆହୁରି ଅଧିକ ସ୍ପଷ୍ଟ ଭାବେ ଚିତ୍ରିତ କରୁଛି।

ବାଣିଜ୍ୟ ବିଶ୍ୱଯୁଦ୍ଧରେ ଟ୍ରମ୍ପ ଯଦି ନିଜ ପାଖରେ ଥିବା ବ୍ରହ୍ମାସ୍ତ୍ର – ‘ବିଶ୍ୱ ବାଣିଜ୍ୟ ସଂଗଠନ ବା ଡବ୍ଲୁଟିଓକୁ ଭାଙ୍ଗି ଦେବାର ଯୋଜନା’କୁ ବାସ୍ତବ ରୂପ ଦିଅନ୍ତି ତେବେ ଏହି ଯୁଦ୍ଧର ପରିଣାମ ଭୟାବହ ହେବ। ୨୦୧୯ରୁ ଡବ୍ଲୁଟିଓର ଅଭିଯୋଗ ସମାଧାନ ପାଇଁ ଗଠିତ ମଞ୍ଚକୁ ଟ୍ରମ୍ପ ଭାଙ୍ଗି ଦେଇଥିବାରୁ ଟିକସ ବୃଦ୍ଧି-ହ୍ରାସ କିମ୍ବା ବାଣିଜ୍ୟ ପାତରଅନ୍ତର ନୀତି ବିରୋଧରେ କୌଣସି ରାଷ୍ଟ୍ର ଅଭିଯୋଗ କରିପାରିବେ ନାହିଁ କି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଡବ୍ଲୁଟିଓ ଭାଙ୍ଗି ଗଲେ ଆମେରିକା ୧୯୯୫ ମସିହା ପୂର୍ବବର୍ତ୍ତୀ ସ୍ଥିତିକୁ ଫେରି ଅଧିକ ଶକ୍ତିଶାଳୀ ହେବ। ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରପାଣ୍ଠିର ପରିଚାଳନାରେ ଆମେରିକାର କର୍ତ୍ତୃତ୍ୱ ଥିବାରୁ ବିକାଶଶୀଳ ଦେଶମାନଙ୍କ ଉପରେ ନିଜର ଆର୍ଥିକ ଆଧିପତ୍ୟ ଓ ବାଣିଜ୍ୟ କଟକଣା ଜାହିର କରିବ। ଏ କ୍ଷେତ୍ରର ବିକାଶଶୀଳ ଓ ଅନୁନ୍ନତ ଦେଶମାନଙ୍କ ଉପରେ ଆଧିପତ୍ୟ ବିସ୍ତାର ପାଇଁ ଚୀନ୍‌‌ର ସାମ୍ପ୍ରତିକ ଋଣକୌଶଳ ଗୌଣ ହୋଇଯିବ। ଚୀନ୍‌‌ର ଜିଡିପିରେ ୬% ପର୍ଯ୍ୟନ୍ତ ହ୍ରାସ ଘଟିବ। ଏହି ବାଣିଜ୍ୟ ବିଶ୍ୱଯୁଦ୍ଧ ଭୂ-ରାଜନୀତିକୁ ପ୍ରଭାବିତ କରି ବିକାଶଶୀଳ ରାଷ୍ଟ୍ରମାନଙ୍କୁ ନିଜ ନିଜ ସପକ୍ଷକୁ ଆଣିବା ପାଇଁ ଆମେରିକା ଓ ଚୀନ୍‌‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼଼ିବ। ଆମେରିକା-ଚୀନ୍‌‌-ୟୁରୋପୀୟ ବାଣିଜ୍ୟ ଯୁଦ୍ଧରେ ଭାରତର ଫାଇଦା ହେବାକୁ ଥିଲେ ମଧ୍ୟ ସେଠାକାର ମୁଦ୍ରାସ୍ଫୀତି ସମସ୍ୟା ଯୋଗୁଁଁ ବିରାଟ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ। ଜାତିସଂଘ ଭଳି ବୈଶ୍ୱିକ ସଂଗଠନଗୁଡ଼ିକ ଦ୍ୱାରା ଆରମ୍ଭ ହୋଇଥିବା ଦାରିଦ୍ର୍ୟ ଓ ଅପୁପୁଷ୍ଟି ନିରାକରଣ, କ୍ଷୁଧାମୁକ୍ତ ବିଶ୍ୱଗଠନ, ନିରନ୍ତର ବିକାଶ ଲକ୍ଷ୍ୟ ଭଳି ଏକାଧିକ ବିଶ୍ୱ କଲ୍ୟାଣ ଯୋଜନା ସୁଦୂରପରାହତ ହେବ।

ଡୋନାଲ୍ଡ ଟ୍ରମ୍ପ ଏବେ ବାଣିଜ୍ୟ-ତରିଫ୍‌‌ ପ୍ରତିଯୋଗିତାରେ ଯେଉଁ ଦୌଡ଼ ଆରମ୍ଭ କରିଛନ୍ତି ସେଥିରେ ଏପର୍ଯ୍ୟନ୍ତ ତାଙ୍କର ପାଦଯୋଡ଼ିକ ସମ୍ପ୍ରତି ଟ୍ରେଡମିଲ୍‌‌ରେ ରହିଛି, ଯାହାର ଫଳାଫଳ ଯେଉଁଠାରୁ ଆରମ୍ଭ ସେଠାରେ ହିଁ ଶେଷରେ ସମାପ୍ତ ହେବା ଭଳି ଲାଗୁଛି। ଚୀନ୍‌‌ର ତରିଫ୍‌‌ ବୃଦ୍ଧି ଦୌଡ଼ ମଧ୍ୟ ଟ୍ରେଡ୍‌‌ମିଲ୍‌‌ରେ ସୀମିତ ରହିଲେ ଏହି ପ୍ରତିଯୋଗିତା ଅହିତକର ନ ହୋଇ ଉପଭୋଗ୍ୟ ହେବ ଏବଂ ବିଶ୍ୱ ଓ ଭାରତ ପାଇଁ କଲ୍ୟାଣକାରୀ ସାବ୍ୟସ୍ତ ହେବ।