ଟ୍ରେନ୍‌ ଭିତରେ ଫୁଟିଲା ଗୁଳି, ୪ ମୃତ

ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଜଣେ ମହିଳା ଯାତ୍ରୀ ଅଛନ୍ତି।

ଟ୍ରେନ୍‌ ଭିତରେ ଫୁଟିଲା ଗୁଳି, ୪ ମୃତ

ଟ୍ରେନ୍‌ ଭିତରେ ବସିଥିଲେ ଯାତ୍ରୀ। ହଠାତ୍‌ ବନ୍ଧୁକଧାରୀ ଆସି କଲେ ଆଖିବୁଜା ଗୁଳିମାଡ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ଆମେରିକାରେ।

ଏଠାକାର ଚିକାଗୋରେ ଆକ୍ରମଣକାରୀମାନେ 'ବ୍ଲୁ ଲାଇନ୍‌ ଟ୍ରେନ୍‌' ଭିତରେ ପଶି ୪ ଜଣଙ୍କୁ ଗୁଳି କରି ହତ୍ୟା କରିଛି। ଏହାକୁ ନେଇ ଅନ୍ୟ ରେଳ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଛି।

ଜଣେ ଅଧିକାରୀଙ୍କ କହିବା ମୁତାବକ, ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଚିକାଗୋର ଫରେଷ୍ଟ ପାର୍କରେ ବ୍ଲୁ ଲାଇନ୍ ଟ୍ରେନରେ ଏହି ଗୁଳି ବିନିମୟ ଘଟିଛି। ଫରେଷ୍ଟ ପାର୍କ ହେଉଛି ଚିକାଗୋ ସହରର ପ୍ରାୟ ୧୬ କିଲୋମିଟର ପଶ୍ଚିମରେ ଅବସ୍ଥିତ। ପୁଲିସର ସୂଚନାନୁସାରେ, ଏହି ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକର ବୟସ ୩୦ ବର୍ଷ।

ଫରେଷ୍ଟ ପାର୍କ ମେୟର ରୋରୀ ହୋସକିନ୍ସ କହିଛନ୍ତି ଯେ, ଟ୍ରେନ୍‌ରେ ଯାତ୍ରୀମାନେ ଶୋଇଥିବା ବେଳେ ଆକ୍ରମଣକାରୀମାନେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଗୁଳିମାଡ଼ ପରେ ସନ୍ଧିଗ୍ଧ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ଭିଡିଓ ଫୁଟେଜ ସାହାଯ୍ୟ ପୁଲିସ ଜଣଙ୍କୁ ଗିରଫ କରିଛି।

ତେବେ କେଉଁ କାରଣ ଯୋଗୁ ଏହି ଗୁଳିମାଡ଼ ଘଟିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନହିଁ। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।