ଡାଇମଣ୍ଡ ଲିଗ୍: ଖେଳ ବିଗାଡ଼ି ଦେଲା ଏକ ସେଣ୍ଟିମିଟର, ଦ୍ୱିତୀୟରେ ରହିଗଲେ ନୀରଜ 

ବେଲଜିୟମରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ ଚୋପ୍ରା।

ଡାଇମଣ୍ଡ ଲିଗ୍: ଖେଳ ବିଗାଡ଼ି ଦେଲା ଏକ ସେଣ୍ଟିମିଟର, ଦ୍ୱିତୀୟରେ ରହିଗଲେ ନୀରଜ 

ପ୍ୟାରିସ୍ ଅଲିମ୍ପିକ୍ସ ପରେ ପୁଣି ଥରେ ନୀରଜ ଚୋପ୍ରାଙ୍କୁ ସିଲଭରରେ ସନ୍ତୁଷ୍ଟ ହେବାକୁ ପଡିଛି। ବେଲଜିୟମରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ମଧ୍ୟ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ। ମାତ୍ର ଗୋଟିଏ ସେଣ୍ଟିମିଟର ପାଇଁ ସେ ଏହି ଟ୍ରଫି ହାତେଇବାରେ ବିଫଳ ହୋଇଛନ୍ତି।

ସେପଟେ, ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜଙ୍କ ପଛରେ ଥିବା ଅର୍ଥାତ୍ ବ୍ରୋଞ୍ଜ୍ ବିଜେତା ଆଣ୍ଡରସନ୍ ପିଟର୍ସ ଡାଇମଣ୍ଡ ଲିଗ୍ ଟ୍ରଫି ହାତେଇଛନ୍ତି। ନୀରଜ 87.86 ମିଟର ଥ୍ରୋ କରି ଥିବାବେଳେ ପିଟର୍ସ 87.87 ଥ୍ରୋ ସହ ମାତ୍ର ଗୋଟିଏ ସେଣ୍ଟିମିଟର ଆଗର ରହିଥିଲେ। ଫଳରେ ପିଟର୍ସ ପ୍ରଥମ ଏବଂ ନୀରଜ ଦ୍ୱିତୀୟ ହୋଇଥିଲେ। ସେହିପରି ଜର୍ମାନୀର ଜୁଲିଆନ ୱେବରେ 85.97 ମିଟର ଥ୍ରୋ ସହ ତୃତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି।

ପ୍ୟାରିସ୍ ଅଲିମ୍ପିକ୍ସ ଚାମ୍ପିଅନ ଅର୍ଶଦ ନଦୀମ ଏବଂ ଗତ ବର୍ଷର ଡାଇମଣ୍ଡ ଟ୍ରଫି ବିଜେତା ଜାକ୍ୟୁବ ଭଡଲେଜ ବ୍ରୁସେଲ୍ସ ଡାଇମଣ୍ଡ ଲିଗ୍ ଫାଇନାଲରେ ଭାଗ ନେଇ ନଥିଲେ।

ତେବେ ଭାରତର ଜାଭଲିନ୍  ଷ୍ଟାର୍ ନୀରଜ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଡାଇମଣ୍ଡ ଲିଗର ରନର୍ ଅପ୍ ହୋଇଛନ୍ତି। ସେ 2022 ଡାଇମଣ୍ଡ ଲିଗରେ ସ୍ୱର୍ଣ୍ଣ ଜିତି ଥିବାବେଳେ 2023ରେ ସିଲଭର୍ ବିଜେତା ହୋଇଥିଲେ।