ଡାକ୍ତରଖାନା ଶୌଚାଳୟରେ ପ୍ରସବ, ନବଜାତକ ମୃତ
ପରିବାର ଲୋକେ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।
ମେଘାଳୟର ଏକ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ଶୌଚାଳୟରେ ଜଣେ ମହିଳାଙ୍କ ପ୍ରସବ ହୋଇଛି। ମାତ୍ର ଜନ୍ମିତ ଶିଶୁ କିଛି ସମୟ ପରେ ଆଖି ବୁଜିଛି।
ସୂଚନା ଅନୁସାରେ, ଉମଦେନ ଦିୱନର ମୋନାଲିସା ଲାଙ୍ଗି ଶନିବାର ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଉମଦେନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରସବ ହୋଇ ନ ପାରିବାରୁ ନୋଙ୍ଗପୋହ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ସନ୍ଧ୍ୟାରେ ପୁନର୍ବାର ପ୍ରବଳ ଯନ୍ତ୍ରଣା ହେବାକରୁ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ମେଡିସିନ ଦିଆ ଯାଇଥିଲା ବୋଲି ତାଙ୍କ ସ୍ୱାମୀ କହିଛନ୍ତି। ଏହାପରେ ସେ ଶୌଚାଳୟ ଯାଇଥିଲେ। ସେଠାରେ ତାଙ୍କର ପ୍ରସବ ହୋଇଥିଲା। ମାତ୍ର କିଛି ସମୟ ପରେ ନବଜାତକର ମୃତ୍ୟୁ ଘଟିଛି।
ଏଥିପାଇଁ ପରିବାର ଲୋକେ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ସେପଟେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।