ଡିଜିଟାଲ ଶୋଷଣ ମହାମାରୀ
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍ ସେଫ୍ ଆଣ୍ଡ ୱାଇଜ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା ବିରୋଧରେ ଲଢ଼ିବା ପାଇଁ ପରିବାର, ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଆଜି ବିଶ୍ୱର ୩୦ଟି ଦେଶର ପ୍ରାୟ ଏକ-ତୃତୀୟାଂଶ ପିଲା ସାଇବର ମାଫିଆଙ୍କ ଶିକାର ହେଉଛନ୍ତି। […] The post ଡିଜିଟାଲ ଶୋଷଣ ମହାମାରୀ appeared first on Dharitri Odia News.
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍ ସେଫ୍ ଆଣ୍ଡ ୱାଇଜ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା ବିରୋଧରେ ଲଢ଼ିବା ପାଇଁ ପରିବାର, ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଆଜି ବିଶ୍ୱର ୩୦ଟି ଦେଶର ପ୍ରାୟ ଏକ-ତୃତୀୟାଂଶ ପିଲା ସାଇବର ମାଫିଆଙ୍କ ଶିକାର ହେଉଛନ୍ତି। ଇଣ୍ଟରନେଟ୍ର କୁପ୍ରଭାବରୁ ପ୍ରତି ପାଞ୍ଚ ଜଣରୁ ଜଣେ ପିଲା ସ୍କୁଲ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସଂଯୁକ୍ତ ବିଶ୍ୱର ଏକ ରିପୋର୍ଟ ଅନୁସାରେ ବିଶର ୭୯% ୧୫ରୁ ୨୪ ବର୍ଷର ପିଲାମାନେ ଇଣ୍ଟରନେଟ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି। ସରକାର ରାଜସ୍ବ ପାଇଁ ଭାରତର ଗଁା ଗଁାରେ ସାଇବର ଟାୱାର ନିର୍ମାଣ କରୁଛନ୍ତି। ଅଧିକାଂଶ ଲୋକ ଏହାର ସଦୁପଯୋଗ କରିବା ଜାଗାରେ ଏହାର ଅପବ୍ୟବହାର କରୁଛନ୍ତି। ସରକାର ବିଛାମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇଥିବାରୁ ଡିଜିଟାଲ ଶୋଷଣ ଭଳି ଭୟଙ୍କର ମହାମାରୀକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ପିଲାମାନେ ଡିଜିଟାଲ ମିଡିଆ ମାଧ୍ୟମରେ ଆସୁଥିବା ଅଶ୍ଳୀଳ ଓ ଭୟାନକ ସିନେମା ଦେଖି କୁବାଟରେ ଯାଉଛନ୍ତି। ନ୍ୟାଶନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ଏକ ରିପୋର୍ଟ ଅନୁସାରେ ୨୦୨୦ରେ ଭାରତରେ ୨୧୫୦୯ ପିଲା ଡିଜିଟାଲ ଯୌନ ଶୋଷଣର ଶିକାର ହୋଇଥିଲେ। ବିଶେଷଜ୍ଞମାନଙ୍କ ମତରେ ଏହିସଂଖ୍ୟା ବହୁତ ଅଧିକ। ଯେଉଁ ପିଲାମାନଙ୍କର ମାତାପିତା ଶିକ୍ଷିତ ନୁହନ୍ତି, ସେମାନଙ୍କ ପିଲାମାନେ ପାଠ ପଢ଼ିବା ବାହାନାରେ ଅଶ୍ଳୀଳ ଓ ହିଂସାତ୍ମକ ଚିତ୍ର ଦେଖି ନିଜର ମତିଭ୍ରମ କରୁଛନ୍ତି। ମାତାପିତା ଉଚ୍ଚ ଶିକ୍ଷିତ ଓ ବଡ଼ ଚାକିରି କରି ଯଦି ପିଲାଙ୍କ ପାଇଁ ସମୟ ନ ଦିଅନ୍ତି, ତେବେ ପିଲାମାନେ ମଧ୍ୟ ଡିଜିଟାଲ ଶୋଷଣର ଶିକାର ହୋଇଥା’ନ୍ତି। ବୁଦ୍ଧିଜୀବୀମାନେ ବିଭିନ୍ନ ସଭା ଓ ଗଣମାଧ୍ୟମରେ ଏହି ମାନସିକ ଅଧୋପତନ ଉପରେ ଭାଷଣ ଦେଉଛନ୍ତି। ସେମାନେ ସଭା ସମିତିରେ ଅଧିକ ସମୟ ନଷ୍ଟ ନ କରି ନିଜର ସାହି ବସ୍ତିରେ ଥିବା ପିଲାମାନଙ୍କ ପାଇଁ ସମୟ ଦେଇ ଏହି ଡିଜିଟାଲ ମହାମାରୀରୁ ପିଲାଙ୍କ ଜୀବନ ରକ୍ଷା କରିବା ନିହାତି ଦରକାର। ଓଡ଼ିଶାରେ ଏହି ଡିଜିଟାଲ ମହାମାରୀ ତୀବ୍ର ଗତିରେ ବଢ଼ି ଚାଲିଛି। ଫଳରେ ପିଲାମାନଙ୍କ ଭିତରେ ଯୌନ ପ୍ରବୃତ୍ତି ବଢ଼ିବା ସଙ୍ଗେ ସଙ୍ଗେ ସିଜୋଫର୍ନିଆ ଭଳି ମାନସିକ ବ୍ୟାଧି ଅଧିକ ସଂଖ୍ୟାରେ ଦେଖାଦେଉଛି।
ଡିଜିଟାଲ ମିଡିଆର କୁପ୍ରଭାବ ଯୋଗୁ ଓଡ଼ିଶାରେ ବଳାତ୍କାର, ପାରିବାରିକ ହିଂସା, ଛାଡ଼ପତ୍ର, ପ୍ରତାରଣା ଓ ସ୍ବାସ୍ଥ୍ୟହାନି ଇତ୍ୟାଦି କ୍ରମାଗତ ବଢ଼ି ଚାଲିଛି।
ନିକଟରେ ସୁପ୍ରିମ୍କୋର୍ଟଙ୍କ ଏକ ରାୟ ଅନୁସାରେ ଇଣ୍ଟରନେଟ୍ ମାଧ୍ୟମରେ ନଗ୍ନଚିତ୍ର ଦେଖିବା ଓ ଏହାକୁ ଡାଉନ୍ଲୋଡ କରିବା ଦଣ୍ଡନୀୟ ଅପରାଧ। ଡିଜିଟାଲ ଅପରାଧୀମାନେ ଅନେକ ଜାଗାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଅଣଦେଖା କରୁଛନ୍ତି। ସରକାର ଏହି ଅଶ୍ଳୀଳ ୱେବ୍ସାଇଟ୍ଗୁଡିକୁ ତୁରନ୍ତ ବନ୍ଦ କରିଦେବା ଉଚିତ। ଏହି ୱେବ୍ସାଇଟ ତିଆରି କରି ପିଲାଙ୍କ ମାନସିକତାକୁ ନଷ୍ଟ କରିବା ଏକ ଜଘନ୍ୟ ଅପରାଧ। ସୁପ୍ରିମକୋର୍ଟ ରାୟ ଅନୁସାରେ ଓଡ଼ିଶା ସରକାର ଏହି ଡିଜିଟାଲ ଶୋଷଣକୁ ବନ୍ଦ କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ। ରାଜ୍ୟରେ ଥିବା ଦକ୍ଷ, କର୍ମଠ ଓ ସଚ୍ଚୋଟ ଅଧିକାରୀଙ୍କୁ ଏହି ଟାସ୍କଫୋର୍ସରେ ନିଯୋଜିତ କରି ଡିଜିଟାଲ ମାଫିଆଙ୍କ ଜଡ଼କୁ ନଷ୍ଟ କରିଦେବା ଉଚିତ। ଲୋକଙ୍କ ଭିତରେ ସକାରାତ୍ମକ ଚିନ୍ତାର ଉଦ୍ରେକ ନ ହେଲେ ଏହି ଧ୍ୱଂସକାରୀ ଭୂତାଣୁର ବିନାଶ ଅସମ୍ଭବ ଜଣାପଡୁଛି। ପିଲାଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ଶିକ୍ଷିତ ପରିବାର, ସମାଜସେବୀ ସଂସ୍ଥା, ସରକାର, ରାଜନେତା, ଧାର୍ମିକ ସଂସ୍ଥା, ସାଂସ୍କୃତିକ ଅନୁଷ୍ଠାନ, କର୍ପୋରେଟ୍ ଓ ବୁଦ୍ଧିଜୀବୀମାନେ ପିଲାମାନଙ୍କ ପାଇଁ ନୈତିକ ବିକାଶ କାର୍ଯ୍ୟଶାଳା, ଯୋଗ କ୍ୟାମ୍ପ, କୌଶଳ ବିକାଶ କାର୍ଯ୍ୟକ୍ରମ ଓ ଖେଳ ପ୍ରତିଯୋଗିତା ଇତ୍ୟାଦିର ଆୟୋଜନ କରିବା ଦରକାର। କାରଣ ପରିବାରରେ ଜଣେ ପିଲା ଯଦି କୁବାଟରେ ଚାଲିଯାଏ, ତେବେ ପରିବାରର ସମସ୍ତ ସଦସ୍ୟ ମାନସିକ ଅଶାନ୍ତି ଭୋଗ କରିଥାନ୍ତି। ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ୍ ଓ ପାର୍ସି ପରିବାରଗୁଡ଼ିକ ଗୋଟିଏ କିମ୍ବା ଦୁଇଟି ସନ୍ତାନ କରୁଛନ୍ତି। ଯଦି ପରିବାରର ଏକମାତ୍ର ସନ୍ତାନ କୁବାଟରେ ଚାଲିଯାଏ, ତେବେ ପରିବାର ନଷ୍ଟ ହୋଇଯାଏ। ଯେତେ ଧନ ରଖିଲେ ମଧ୍ୟ ତାହା କୌଣସି କାମରେ ଆସେନାହିଁ।
ଏହି ଭୟାନକ ଡିଜିଟାଲ ନିଶାକୁ ଛଡ଼ାଇବା ପାଇଁ ସରକାର ପ୍ରଥମେ କଡ଼ା ନିୟମ ଲାଗୁ କରିବା ଉଚିତ। ଏପଟେ ଇଣ୍ଟରନେଟ୍ ମାଗଣା ଦେଇ ସେପଟେ ପିଲାଙ୍କ ମାନସିକ ଅଧୋଗତି ପାଇଁ କୁମ୍ଭୀରକାନ୍ଦଣା କଲେ କିଛି ଲାଭ ନାହିଁ। ଏହି ଡିଜିଟାଲ ନିଶାକୁ ଛଡ଼ାଇବା ପାଇଁ ସରକାର ଓ ଶିକ୍ଷିତସମାଜ ପ୍ରଥମେ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଓ ଖେଳକୁଦରେ ବିନିଯୋଗ କରିବା ଦରକାର। ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାଉଥିବା ଧନରାଶିର କିଛି ଅଂଶ ଉତ୍ତମ ସ୍କୁଲ ଓ ଖେଳକୁଦର ବିକାଶରେ ଲଗାଇବା ଦରକାର।
ଓଡ଼ିଶାର ସାଂସ୍କୃତିକ ଓ ବ୍ୟବସାୟିକ ପୀଠ କଟକର ପୂର୍ବ ଓ ପଶ୍ଚିମ ଭାଗରେ ଥିବା ପୁରାତନ ସାହିଗୁଡ଼ିକରେ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ କୌଣସି ସୁବିଧା ନାହିଁ। ଯେଉଁ ଖାଲି ଜାଗାଗୁଡ଼ିକ ଥିଲା ସେଥିରେ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହୋଇଛି। ଅଳିଆ ପ୍ରୋସେସିଂ ପ୍ଲାଣ୍ଟଗୁଡ଼ିକ ସହରର ଉପକଣ୍ଠରେ ନ ହୋଇ ଏହି ଖାଲି ଜାଗାରେ ତିଆରି ହୋଇଛି। ସହରର ଅନେକ ସରକାରୀ ଜାଗା ଜବରଦଖଲ ହୋଇଯାଇଛି। ଫଳରେ ସାହିପିଲାମାନେ ଖୋଲା ପରିବେଶ ଓ ଖେଳକୁଦର ସୁବିଧା ନ ପାଇ ବାଧ୍ୟ ହୋଇ ଘର ଭିତରେ ରହି ଡିଜିଟାଲ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଶାର ସମସ୍ତ ସହରରେ ଏହି ପରିବେଶ ଦେଖାଦେଇଛି। ଏହି ବିକଟ ସମସ୍ୟାର ସମାଧାନ ପାଇଁ ରାଜନେତା ଓ ଶିକ୍ଷିତ ସମାଜ ଇଚ୍ଛାଶକ୍ତି, ପାରଦର୍ଶିତା, ସମାଜ ପ୍ରତି ସଂବେଦନଶୀଳତା ଓ ସାହସ ଦେଖାଇବା ଦରକାର।
ସୁଧାଂଶୁ ରଞ୍ଜନ ଦାସ
ମୋ:୭୭୦୨୩୮୩୮୮୦
The post ଡିଜିଟାଲ ଶୋଷଣ ମହାମାରୀ appeared first on Dharitri Odia News.