ଡିଜେ ବନ୍ଦ କରିଦେବାରୁ ଦମ୍ପତିଙ୍କୁ ନିର୍ଧୁମ ଛେଚିଲେ

ଡିଜେ ଗାଡ଼ି ଗଲା ବେଳେ ସ୍ଥାନୀୟ କେତେକ ମଦ୍ୟପ ଯୁବକ ବିରୋଧ କରିଥିଲେ। ଅକ୍ଷୟଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ଠେଲାପେଲା ଓ ଆକ୍ରମଣ କରିଥିଲେ।

ଡିଜେ ବନ୍ଦ କରିଦେବାରୁ ଦମ୍ପତିଙ୍କୁ ନିର୍ଧୁମ ଛେଚିଲେ

ଦୋଳ ମେଲଣରେ ଡିଜେ ବନ୍ଦ କରିବାରୁ ତାତିଲେ ମଦ୍ୟପ ଯୁବକ। ଆଉ ଦମ୍ପତିଙ୍କୁ ନିର୍ଧୁମ ଛେଚିଲେ। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସାବରଙ୍ଗ ଥାନା ବାରିକ ଛକ ସ୍ଥିତ ହନୁମାନ ମନ୍ଦିର ନିକଟରେ ରବିବାର ସନ୍ଧ୍ୟା ବେଳେ ଦୋଳ ମେଳଣ ହେଉଥିଲା। ଠାକୁରଙ୍କୁ ପ୍ରୋସେସନ୍‌ରେ ଆଣିବା ପାଇଁ ଡିଜେର ବ୍ୟବସ୍ଥା ହୋଇଥିଲା। ପ୍ରୋସେସନ୍‌ ପରେ ଠାକୁର ଦୋଳ ବେଦିରେ ବସିଥିଲେ। ହେଲେ ପ୍ରୋସେସନ୍‌ ପାଇଁ ଆସିଥିବା ଡିଜେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ବାଜୁଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଅକ୍ଷୟ କୁମାର ବାରିକ ଆସି ଡିଜେ ବନ୍ଦ କରିଥିଲେ। ଆଉ ଡିଜେ ଗାଡ଼ିକୁ ଯିବା ପାଇଁ କହିଥିଲେ।

ଡିଜେ ଗାଡ଼ି ଗଲା ବେଳେ ସ୍ଥାନୀୟ କେତେକ ମଦ୍ୟପ ଯୁବକ ବିରୋଧ କରିଥିଲେ। ଅକ୍ଷୟଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ଠେଲାପେଲା ଓ ଆକ୍ରମଣ କରିଥିଲେ। ଖବର ପାଇ ସେଠାରେ ପହଞ୍ଚିଥିଲେ ଅକ୍ଷୟଙ୍କ ସ୍ତ୍ରୀ ସୁଭସ୍ମିତା। ସେ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ମଦ୍ୟପ ଯୁବକମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଆହତ ହୋଇଥିଲେ। କିନ୍ତୁ ସୁଭସ୍ମିତା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସେ ମେଡିକାଲରେ ଚିକିତ୍ସତ ହେଉଛନ୍ତି।

ଆକ୍ରମଣ ନେଇ ଅକ୍ଷୟ ସାବରଙ୍ଗ ଥାନାରେ ଲିଖିତି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନି ପୁଲିସ୍‌।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ