ଡିଜେଲ ବୋଝେଇ ଟ୍ରେନ୍‌ରେ ଲାଗିଗଲା ନିଆଁ

ନିଆଁ ଲାଗିବା ପରେ ଷ୍ଟେସନ ସହିତ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ଡିଜେଲ ବୋଝେଇ ଟ୍ରେନ୍‌ରେ ଲାଗିଗଲା ନିଆଁ

ତାମିଲନାଡୁର ତିରୁଭଲ୍ଲୁର ରେଳ ଷ୍ଟେସନ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଡିଜେଲ ନେଇ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ କେହି ହତାହତ ହୋଇନଥିବା ବେଳେ ବେଶ୍ କିଛି ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ନିଆଁ ଖୁବ୍ ଉଚ୍ଚକୁ ଉଠିଥିବା ବେଳେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଲବାହୀ ଟ୍ରେନ୍‌ଟିରେ ଡିଜେଲ ବୋଝେଇ ହୋଇଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ତେବେ ସେମାନେ ନିଆଁକୁ ଆୟତ୍ତକୁ ଆଣିବାକୁ ସଫଳ ହୋଇଥିଲେ।

ନିଆଁ ଲାଗିବା ପରେ ଷ୍ଟେସନ ସହିତ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଯୋଗୁ ଘଟଣାସ୍ଥଳ ଆଖପାଖ ଅଞ୍ଚଳରେ ଥିବା ଜନବସତିରେ କୌଣସି କ୍ଷୟକ୍ଷତି ଘଟିନାହିଁ। କୌଣସି ପ୍ରକାର ଭିତ୍ତିଭୂମି ଏଥିରେ ପ୍ରଭାବିତ ହୋଇନାହିଁ।

ଏହି ଅଗ୍ନିକାଣ୍ଡର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ। ସେନେଇ ତଦନ୍ତ ଜାରି ରହିଛି। ଏହି ଘଟଣା ଯୋଗୁ ବହୁ ସମୟ ଧରି ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଥିଲା।