ତାଲିକା ପ୍ରସ୍ତୁତ; କିଏ କେଉଁ ଦେଶ ଯିବେ, ଜାଣନ୍ତୁ

୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ୩୨ଟି ଦେଶକୁ ଗସ୍ତ କରିବେ। ସେମାନଙ୍କ ଗସ୍ତ ମେ’ ୨୩ ତାରିଖରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ତାଲିକା ପ୍ରସ୍ତୁତ; କିଏ କେଉଁ ଦେଶ ଯିବେ, ଜାଣନ୍ତୁ

ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ-ସହନଶୀଳତା ଓ ‘ଅପରେସନ ସିନ୍ଦୂର’ ସଂପର୍କରେ ସାରା ବିଶ୍ୱକୁ ବାର୍ତ୍ତା ଦେବା ପାଇଁ କେନ୍ଦ୍ର ସରକାର ଯେଉଁ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗଠନ କରିଛନ୍ତି, ସେ ସଂପର୍କରେ ସବିଶେଷ ତଥ୍ୟ ଆସିଛି। 

ଏହି ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ମୋଟ ୫୯ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏର ୩୧ ଜଣ ନେତା ଥିବା ବେଳେ ଆଉ ୨୦ ଜଣ ଅନ୍ୟ ଦଳର। ସେମାନଙ୍କ ସହିତ ସରକାର କେତେ ଜଣ ପୂର୍ବତନ ଡିପ୍ଲୋମାଟ୍‌ଙ୍କୁ ମଧ୍ୟ ସାମିଲ କରିଛନ୍ତି।

ଏହି ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି, ବିଜେପି ସାଂସଦ ବୈଜୟନ୍ତ ଜୟ ପଣ୍ଡା, ରବି ଶଙ୍କର ପ୍ରସାଦ, କଂଗ୍ରେସ ସାଂସଦ ଶଶି ଥରୁର, ଜେଡିୟୁର ରାଜ୍ୟସଭା ସାଂସଦ ସଞ୍ଜୟ ଝା, ଶିବ ସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ, ଡିଏମ୍‌କେ ସାଂସଦ କାନିମୋଝି କରୁଣାନିଧି ଓ ଏନ୍‌ସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ।

ଏହି ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ୩୨ଟି ଦେଶକୁ ଗସ୍ତ କରିବେ। ତା’ ସହିତ ବ୍ରୁସେଲ୍‌ସ ଓ ବେଲଜିୟମ ସ୍ଥିତ ଇୟୁ ହେଡ୍‌କ୍ୱାର୍ଟର୍ସକୁ ମଧ୍ୟ ଯିବେ। ସେମାନଙ୍କ ଗସ୍ତ ମେ’ ୨୩ ତାରିଖରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

କେଉଁ ପ୍ରତିନିଧି ମଣ୍ଡଳୀରେ କେଉଁମାନେ ଅଛନ୍ତି ଓ ସେମାନେ କେଉଁ ରାଷ୍ଟ୍ର ଗସ୍ତ କରିବେ?

ବିଜେପିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଫାଙ୍ଗନୋନ କୋନ୍ୟାକ, ରେଖା ଶର୍ମା, ଏଆଇଏମ୍‌ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସି, ରାଜ୍ୟସଭା ସାଂସଦ ସତନାମ ସିଂହ ସାନ୍ଧୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ଓ ଆମ୍ବାସାଡର ହର୍ଷ ଶୃଙ୍ଗଲା ଅଛନ୍ତି। ଏହି ଟିମ୍ ସାଉଦି ଆରବ, କୁଏତ, ବାହରିନ ଓ ଆଲଜେରିଆ ଗସ୍ତରେ ଯିବେ।

ବିଜେପି ସାଂସଦ ରବି ଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀରେ ବିଜେପି ସାଂସଦ ଡି ପୁରନ୍ଦେଶ୍ୱର, ଶିବ ସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ରାଜ୍ୟସଭା ସାଂସଦ ଗୁଲାମ ଅଲି ଖଟାନା, କଂଗ୍ରେସ ସାଂସଦ ଅମର ସିଂହ, ବିଜେପି ସାଂସଦ ସମିକ ଭଟ୍ଟାଚାର୍ଯ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍‌ଜେ ଆକବର ଓ ଆମ୍ବାସାଡର ପଙ୍କଜ ଶରଣ ଅଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ୟୁକେ, ଫ୍ରାନ୍ସ, ଜର୍ମାନୀ, ଇୟୁ, ଇଟାଲୀ ଓ ଡେନମାର୍କ ଗସ୍ତରେ ଯିବ।

ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ, ବିଜେପି ସାଂସଦ ବ୍ରିଜ୍ ଲାଲ, ସିପିଆଇ (ଏମ୍‌) ସାଂସଦ ଜନ ବ୍ରିଟାସ, ବିଜେପି ସାଂସଦ ପ୍ରଦାନ ବରୁଆ ଓ ହେମାଙ୍ଗ ଯୋଶୀ, କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ଆମ୍ବାସାଡର ମୋହନ କୁମାର। ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ଗସ୍ତରେ ଯିବ।

ଶିବ ସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ, ଅତୁଲ ଗର୍ଗ, ମନନ କୁମାର ମିଶ୍ରା ଓ ଏସ୍‌ ଏସ୍‌ ଆଲୁୱାଲିଆ, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍‌ ସାଂସଦ ମହମ୍ମଦ ବସୀର, ବିଜେଡି ସାଂସଦ ସସ୍ମିତ ପାତ୍ର ଓ ଆମ୍ବାସାଡର ସୂଜନ ଚିନୋୟ ଅଛନ୍ତି। ଏହି ଟିମ୍ ୟୁଏଇ, ଲାଇବେରିୟା, କଙ୍ଗୋ ଓ ସିଏରା ଲିୟୋନ ଗସ୍ତରେ ଯିବ।

କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ମଣ୍ଡଳରେ ଏଲ୍‌ଜେପି (ରାମ ବିଳାଶ) ସାଂସଦ ସମ୍ଭାବୀ ଚୌଧୁରୀ, ଜେଏମ୍‌ଏମ୍ ସାଂସଦ ସରଫରାଜ ଅହମଦ, ଟିଡିପି ସାଂସଦ ଜିଏମ୍ ହରିଷ ବାଲଯୋଗୀ, ଶିବ ସେନା ସାଂସଦ ମିଳିନ୍ଦ ମୂରଲି ଦେଓରା, ବିଜେପି ସାଂସଦ ଶଶାଙ୍କମଣି ତ୍ରିପାଠୀ, ଭୁବନେଶ୍ୱର କଲିତା ଓ ତେଜସ୍ୱୀ ସୂର୍ଯ୍ୟ ଏବଂ ଆମ୍ବାସାଡର ତରଣଜିତ ସିଂହ ସାନ୍ଧୁ ଅଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଆମେରିକା, ପାନାମା, ଗୁୟାନା, ବ୍ରାଜିଲ ଓ କୋଲୋମ୍ବିୟା ଗସ୍ତ କରିବେ।

ଡିଏମ୍‌କେ ସାଂସଦ କାନିମୋଝି କରୁଣାନିଧିଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ସମାଜବାଦୀ ସାଂସଦ ରାଜୀବ ରାଏ, ନ୍ୟାସନାଲ କନଫରେନ୍ସ ସାଂସଦ ମିଲନ ଅଲତାଫ ଅହମଦ, ବିଜେପି ସାଂସଦ ବ୍ରିଜେଶ ଚୌଟା, ଆରଜେଡି ସାଂସଦ ପ୍ରେମଚାନ୍ଦ ଗୁପ୍ତା, ଆପ୍ ସାଂସଦ ଅଶୋକ କୁମାର ମିତ୍ତଲ, ଆମ୍ବାସାଡର ମଞ୍ଜୀବ ଏସ୍ ପୁରୀ ଓ ଜୱେଦ ଅସ୍ରଫ ଅଛନ୍ତି। ଏହି ଟିମ୍ ସ୍ପେନ, ଗ୍ରୀସ, ସ୍ଲୋଭେନିୟା, ଲାତବିୟା ଓ ରୁଷ ଗସ୍ତରେ ଯିବେ।

ଏନ୍‌ସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ, ଆପ୍ ସାଂସଦ ବିକ୍ରମଜିତ ସିଂହ ସାହନେୟ, କଂଗ୍ରେସ ସାଂସଦ ମନୀଷ ତିୱାରୀ, ଟିଡିପି ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ, କଂଗ୍ରେସ ନେତା ଆନନ୍ଦ ଶର୍ମା, ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ, ଅନୁରାଗ ସିଂହ ଠାକୁର ଓ ଭି ମୂରଲୀଧରନ ଏବଂ ଆମ୍ବାସାଡର ସୈୟଦ ଅକବରୁଦ୍ଦିନ ପ୍ରମୁଖ ଅଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଇଜିପ୍ଟ, କତାର, ଇଥୋପିଆ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିବ।

ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମର ବୈସାରନରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ପର୍ଯ୍ୟଟକ ଥିଲେ। ଏହା ପରେ ମେ’ ୭ ତାରିଖରେ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ୯ଟି ଆତଙ୍କୀ ଠିକଣାକୁ ଉଡ଼ାଇ ଦେଇଥିଲା ଭାରତ। ଲସ୍କର-ଏ-ତାଇବା, ଜୈଶ-ଇ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦୀନର ଠିକଣାଗୁଡ଼ିକରେ ଭାରତ କରିଥିଲା ଆକ୍ରମଣ। ଏଥିରେ ପ୍ରାୟ ୧୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ। ଜମ୍ମୁ ଓ କଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ବିଭିନ୍ନ ସହରରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଥିଲା ପାକିସ୍ତାନ। ଭାରତ ସେଗୁଡ଼ିକୁ ସଫଳତାର ସହିତ ଆକାଶରେ ନଷ୍ଟ କରି ଦେଇଥିଲା। ଏହା ସହିତ ପାକିସ୍ତାନର ବିଭିନ୍ନ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଭାରତ। ଫଳରେ ପାକିସ୍ତାନ ବ୍ୟାପକ କ୍ଷତି ସହିଥିଲା। ଚାରି ଦିନର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ମେ’ ୧୦ ତାରିଖରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ର ବିରତି ହୋଇଥିଲା ଓ ଅପରେସନ ସିନ୍ଦୂରକୁ ସ୍ଥଗିତ ରଖିଥିଲା ଭାରତ। ତେବେ କୂଟନୈତିକ ସ୍ତରରେ ପାକିସ୍ତାନକୁ ଘେରିବାକୁ ଭାରତ ଏବେ ଜୋର ଦେଇଛି।