ତିନି ଅଧୁରା ସ୍ୱପ୍ନର କାହାଣୀ

ଶ୍ରେୟା ଯାଦବ, ତାନ୍ୟା ସୋନି ଓ ନବୀନ ଡେଲଭିନ। ଗତ ଜୁଲାଇ ମାସ ୨୭ ତାରିଖରେ ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦିଲ୍ଲୀରେ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସର୍ବଭାରତୀୟ ସେବାରେ ଯୋଗ ଦେବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରୁଥିବା ଏହି ତିନି ତରୁଣୀ ତରୁଣ। ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼େ ଦିଲ୍ଲୀ। ପୁରୁଣା ରାଜେନ୍ଦ୍ର ନଗରର ସ୍ୱନାମଧନ୍ୟ ଆଇଏଏସ କୋଚିଂ ସଂସ୍ଥାର ବେସମେଣ୍ଟରେ ଥିବା ପୁସ୍ତକାଳୟ ଜଳାର୍ଣ୍ଣବ ହୋଇଯାଏ। ସେଠାରୁ ପ୍ରାଣରକ୍ଷାର […]

ତିନି ଅଧୁରା ସ୍ୱପ୍ନର କାହାଣୀ
sakala article

ଶ୍ରେୟା ଯାଦବ, ତାନ୍ୟା ସୋନି ଓ ନବୀନ ଡେଲଭିନ। ଗତ ଜୁଲାଇ ମାସ ୨୭ ତାରିଖରେ ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦିଲ୍ଲୀରେ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସର୍ବଭାରତୀୟ ସେବାରେ ଯୋଗ ଦେବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରୁଥିବା ଏହି ତିନି ତରୁଣୀ ତରୁଣ। ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼େ ଦିଲ୍ଲୀ। ପୁରୁଣା ରାଜେନ୍ଦ୍ର ନଗରର ସ୍ୱନାମଧନ୍ୟ ଆଇଏଏସ କୋଚିଂ ସଂସ୍ଥାର ବେସମେଣ୍ଟରେ ଥିବା ପୁସ୍ତକାଳୟ ଜଳାର୍ଣ୍ଣବ ହୋଇଯାଏ। ସେଠାରୁ ପ୍ରାଣରକ୍ଷାର ସୁଯୋଗ ନପାଇ ସଲିଳ ସମାଧି ଲଭିଲେ ଏହି ତିନି ଜଣ। କିଏ ଯେମିତି ଭାଙ୍ଗି ଛାରଖାର କରିଦେଲା ତାଙ୍କ ସ୍ୱପ୍ନର ଉଆସ। ଶ୍ରେୟା ଓ ତାନ୍ୟାଙ୍କର ବୟସ ଥିଲା ପଚିଶ ଓ ନବୀନଙ୍କର ଅଠେଇଶ।

ସବୁ ସରିଗଲା ପରେ ସଚରାଚର ଯାହା ହୁଏ, ତାହା ହିଁ ହେଲା। ଖୋଳତାଡ଼, ତୀକ୍ଷ୍ଣ ପ୍ରଶ୍ନବାଣର ଝଡ଼ ଉଠିଲା। ଅଘଟଣ ପାଇଁ ଦାୟୀ କିଏ? କୋଚିଂ ସଂସ୍ଥାର ମାଲିକ ଓ ତତ୍ତ୍ୱାବଧାରକଙ୍କୁ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଗଲା। ଉଦାସୀନ ପୌର କର୍ତ୍ତୃପକ୍ଷ ନିଦରୁ ଉଠି ଏହି ଅଞ୍ଚଳର ଅବୈଧ ନିର୍ମାଣକୁ ବନ୍ଦ କରିବାକୁ ଘୋଷଣା କଲେ। ଆରୋପ-ପ୍ରତ୍ୟାରୋପ ଭିତରେ ଜୁଲାଇ ମାସ ସରିଗଲା। ଅଗଷ୍ଟରେ କେରଳର ୱାୟନାଡରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ, ସଂସଦରେ ବଜେଟ ଉପରେ ସରଗରମ ଆଲୋଚନା, ଅଲିମ୍ପିକସରେ ଭାରତର ସଫଳତା-ବିଫଳତା, ବାଂଲାଦେଶରେ ରାଜନୈତିକ ଉତ୍‌‌ଥାନ-ପତନ ଓ କଲିକତାର ରାଧାଗୋବିନ୍ଦ କର ମେଡିକାଲ କଲେଜର ବୀଭତ୍ସ କାଣ୍ଡ ଇତ୍ୟାଦିରେ ସମ୍ୱାଦର ଶିରୋନାମ ବଦଳିଗଲା। ଧୀରେ ଧୀରେ ପୁରୁଣା ରାଜେନ୍ଦ୍ର ନଗରରେ ସବୁକିଛି ସ୍ୱାଭାବିକ ହୋଇଗଲା।

ପୁଣି ଫୁଟପାଥରେ, ଦୋକାନରେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବିଭିନ୍ନ ବ୍ୟାଚର ଅଶାୟୀଙ୍କର ଭିଡ଼। କିଏ ନାମୀ ପ୍ରତିଷ୍ଠାନରୁ ଇଞ୍ଜିନିୟରିଂ ପାସ କରିଛି ତ କିଏ ଡାକ୍ତର, କିଏ ଆଇନର ଛାତ୍ର। ପୁଣି କିଏ ରାଜନୀତିବିଜ୍ଞାନ କିମ୍ବା ଅର୍ଥନୀତିରେ ପିଏଚ୍‌‌ଡି କରିଛି। ନିଃସନ୍ଦେହରେ ଏଇମାନେ ଦେଶର ଅନ୍ୟତମ ଉର୍ବର ମସ୍ତିଷ୍କ ଓ ଉଜ୍ଜ୍ୱଳ ଭବିଷ୍ୟତ। ଏଇ ମାନଙ୍କ ଭିତରୁ ଅନେକ ଭବିଷ୍ୟତରେ ଦେଶର ପ୍ରଶାସନର ଅଂଶୀଦାର ହେବେ। କିଏ ପୁଣି ସମ୍ୱିଧାନ ଓ ଆଇନର ରକ୍ଷକ ହେବ। କିଏ ବିଦେଶରେ ଦେଶର ପ୍ରତିନିଧିତ୍ୱ କରି ଗୌରବ ଆଣିଦେବ। କେବଳ ପୁରୁଣା ରାଜେନ୍ଦ୍ରନଗର ନୁହେଁ, ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଖାର୍ଜିନଗର ଏଥିପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ପଟେଲ ନଗର, ଲକ୍ଷ୍ମୀ ନଗର, ଶାଲିମାର ବାଗ, ପ୍ରୀତ ବିହାର ଏବଂ କରୋଲ ବାଗ ଆଖପାଖରେ ୟୁପିଏସସି କୋଚିଂ ସଂସ୍ଥାର କେତେ ଶାଖା। ଏହିସବୁ ମହଲାରେ ପାଦ ଦେଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଲେଖାହୋଇଥିବ- ଅମୁକ ସାରଙ୍କର ପଲିଟି କ୍ଲାସ ସମୁକ ମାଡାମଙ୍କ ଏଥିକ୍ସ ସେଶନ। ହୋର୍ଡ଼ିଂର ଆଢୁଆଳରେ ବହୁତଳ ପ୍ରାସାଦ। କେଉଁଠି କୋଚିଂ ସେଣ୍ଟର ତ କେଉଁଠି ପିଜି ବା ଛାତ୍ରାବାସ।

ଏଇସବୁ ଅଞ୍ଚଳରେ ଛାତ୍ରାବାସ କହିଲେ ଗୋଟିଏ ଗୋଟିଏ ପାରାଭାଡ଼ି ଭିତରେ ତିନି/ଚାରି ଜଣ କରି ଶହଶହ ପିଲା। ଆଉ କେଉଁଠି ବାରଣ୍ଡାର ଗୋଟିଏ ଅଂଶରେ, ଦୁଇ ପ୍ରାଚୀର ମଧ୍ୟରେ ପାଞ୍ଚ ଫୁଟ ଦୂରତା ଭିତରେ ଗୋଟେ ଖଟ, ଚେୟାର ଓ ଟେବୁଲଟିଏ। କେଉଁଠି କେଉଁଠି ବହିପତ୍ର ରଖିବା ପାଇଁ ଛୋଟ ଥାକଟିଏ। ଅଧିକାଂଶ ଘରେ ଝରକା ନାହିଁ। ବାଥରୁମ କମନ। ମାସିକ ଭଡ଼ା ବାର ହଜାରରୁ ପନ୍ଦର ହଜାର ପର୍ଯ୍ୟନ୍ତ। ସବୁଆଡ଼େ ଦଲାଲ। ପଚାରିଲେ କହିବେ ଏଇ ଘରଟା ଭାରି ଶୁଭ। ଏଇ ଘରେ ଆଗରୁ ପାଞ୍ଚ ପାଞ୍ଚ ଜଣ ୟୁପିଏସ୍‌‌ସି ପରୀକ୍ଷାରେ ପ୍ରଥମ ହୋଇଛନ୍ତି। ଏହାର ମାସିକ ଭଡ଼ା କୋଡ଼ିଏ ହଜାର। କହିଲେ ଅଠର ହଜାରରେ କରେଇଦେବି।

ଯେଉଁମାନେ ୟୁପିଏସ୍‌‌ସି ପାଇଁ ପ୍ରସ୍ତୁତି କରନ୍ତି, ସେମାନେ ଅନ୍ୟ କୌଣସି କାର୍ଯ୍ୟ କରି ରୋଜଗାର ବା ପାର୍ଟ ଟାଇମ ଚାକିରି କରିପାରନ୍ତି ନାହିଁ। କାରଣ ପରୀକ୍ଷା ଏତେ କଠିନ, ପାଠ୍ୟକ୍ରମ ଏତେ ବିଶାଳ ଓ ବୈଚିତ୍ର୍ୟମୟ ଏବଂ ପ୍ରତିଯୋଗିତା ଏତେ ତୀବ୍ର ଯେ ପ୍ରସ୍ତୁତି ପାଇଁ ପୂରା ସମୟ ଦେବାକୁ ହୁଏ। ଫଳରେ ଅଧିକାଂଶ କ୍ଷେତ୍ରରେ ଖର୍ଚ୍ଚ ପାଇଁ ପିଲାମାନେ ଅନନ୍ୟୋପାୟ ହୋଇ ଘରୁ ପଇସା ଆଣିଥାଆନ୍ତି ବଡ଼ କୁଣ୍ଠାର ସହିତ। ପଚିଶ/ତିରିଶ ବର୍ଷ ବୟସରେ କାହାକୁ ବା ଘରୁ ପଇସା ଆଣି ଚାକିରି ପାଇଁ ପ୍ରସ୍ତୁତି କରିବାକୁ ଭଲ ଲାଗେ! ତେଣୁ ଅଧିକାଂଶ କ୍ଷେତ୍ରରେ ପିଲାଙ୍କର ପଇସା ସରିଗଲେ ବା ଘରୁ ଟଙ୍କା ଆସିବାରେ ବିଳମ୍ୱ ହେଲେ କେବେ କେବେ ଅପରାହ୍ନରେ ଜଳଖିଆ କେବେ ରାତି ଖାଇବା ବାଦ ପଡ଼ିଯାଏ। କେବଳ ଅଭିଳଷିତ ଲକ୍ଷ୍ୟ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସମସ୍ତେ ଦିନରାତି ଏକ କରି ଦିଅନ୍ତି।

ସ୍ମରଣକୁ ଆସୁଛି ୨୦୨୩ରେ ମୁକ୍ତି ଲାଭ କରିଥିବା ନିର୍ମାତା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କର ସଫଳ ଚଳଚ୍ଚିତ୍ର ‘ଟୁଏଲଭେଥ ଫେଲ’। ଏଇ ପୁରୁଣା ରାଜେନ୍ଦ୍ର ନଗର, ମୁଖାର୍ଜି ନଗର ଭଳି ସଂଘର୍ଷର କାହାଣୀ। ଦୁଃଖ-କଷ୍ଟ, ଜୟ-ପରାଜୟ, ଆନନ୍ଦ-ଅବସାଦ, ବନ୍ଧୁ-ବିଚ୍ଛେଦ ମଧ୍ୟରେ ଏକଦା ଦ୍ୱାଦଶ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ମନୋଜ ଶର୍ମାଙ୍କର ଆଇପିଏସ ହେବାର ସଫଳ କାହାଣୀ, ଯାହା ଅନେକାଂଶରେ ବାସ୍ତବ ଆଧାରିତ।

ଏଇଠି ପ୍ରଶିକ୍ଷଣ ଆରମ୍ଭରୁ ହିଁ ଅଭିଜ୍ଞ ପ୍ରଶିକ୍ଷକ ଜଣେଇ ଦିଅନ୍ତି ୟୁପିଏସସି ପାଇଁ ପ୍ରସ୍ତୁତି ଟ୍ୱେଣ୍ଟି ଟ୍ୱେଣ୍ଟି ବା ଦିନିକିଆ କ୍ରିକେଟ ମ୍ୟାଚ ଭଳି ନୁହେଁ। ଏହା ଟେଷ୍ଟ ମ୍ୟାଚଠାରୁ ଆହୁରି ଦୀର୍ଘଦିନର ସଂଗ୍ରାମ। ମାନସିକ ସ୍ତରରେ ସଂଗ୍ରାମ। ନିଜ ସଙ୍ଗେ ନିଜର ସଂଗ୍ରାମ। ପାରିପାର୍ଶ୍ବିକ ପରିସ୍ଥିତି ସହିତ ନିରନ୍ତର ଯୁଝିବାର କ୍ଷମତା। ଯେ ଯୋଗ୍ୟ, ସଫଳତା କେବଳ ତାହାର। ହୁଏତ ଏମିତି ସଂଗ୍ରାମ କରି ଚାଲିଥିଲେ ଶ୍ରେୟା, ତାନ୍ୟା ଓ ନବୀନ। କେତେ ସ୍ୱପ୍ନ ନେଇ ଧାଇଁ ଆସିଥିଲେ ଦିଲ୍ଲୀ। କିଏ ଉତ୍ତର ପ୍ରଦେଶରୁ କିଏ ବିହାରରୁ କିଏ ସୁଦୂର କେରଳରୁ। କେତେ ଲକ୍ଷ ଟଙ୍କା ଦେଇ ଭର୍ତ୍ତି ହୋଇଥିଲେ ନାମୀ କୋଚିଂ ସଂସ୍ଥାରେ। ମା’ ବାପାଙ୍କର ମସ୍ତକ ଉନ୍ନତ କରିବା ଆଶାରେ। କିନ୍ତୁ ଅସମୟରେ ଘରକୁ ଫେରିଥିଲା ତିନୋଟି ମୃତ ଦେହ। କିଏ ଯେମିତି ନୀଳ ଆକାଶରୁ ସମସ୍ତ ନୀଳିମା ପୋଛିଦେଲା। ସ୍ୱପ୍ନ ସେମିତି ଅଧୁରା ରହିଗଲା।

ଗିରିଜା ଶଙ୍କର ମିଶ୍ର
ଭୁବନେଶ୍ୱର, ମୋ: ୯୯୫୫୫୪୨୧୫୫