ତୃତୀୟ ଟେଷ୍ଟରୁ ରାହୁଲ ଆଉଟ, ପାଡିକ୍କଲ୍‌ ହେବେ ସାମିଲ!

ଫେବୃଆରୀ ୧୫ରୁ ତୃତୀୟ ଟେଷ୍ଟ ଆରମ୍ଭ ହେଉଥିବା ବେଳେ ରାହୁଲ ଉକ୍ତ ଟେଷ୍ଟରେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ତୃତୀୟ ଟେଷ୍ଟରୁ ରାହୁଲ ଆଉଟ, ପାଡିକ୍କଲ୍‌ ହେବେ ସାମିଲ!

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର କେଏଲ ରାହୁଲ। ପ୍ରଥମ ଟେଷ୍ଟ ପରେ ରାହୁଲ ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଥିଲା।

ଲାଗୁଥିଲା ରବୀନ୍ଦ୍ର ଜାଡେଜା ଓ ରାହୁଲ ଉଭୟ ତୃତୀୟ ଟେଷ୍ଟକୁ ଫେରିବେ। ବିସିସିଆଇ ମଧ୍ୟ ଇଂଲଣ୍ଡ ବିପକ୍ଷ ବାକି ୩ ଟେଷ୍ଟ ପାଇଁ ଘୋଷଣା କରିଥିବା ୧୭ ଜଣିଆ ସ୍କ୍ୱାଡରେ ଉଭୟଙ୍କୁ ସାମିଲ କରିଥିଲା।

ଫେବୃଆରୀ ୧୫ରୁ ତୃତୀୟ ଟେଷ୍ଟ ଆରମ୍ଭ ହେଉଥିବା ବେଳେ ରାହୁଲ ଉକ୍ତ ଟେଷ୍ଟରେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ରାହୁଲ ଆହତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ତେଣୁ ତାଙ୍କୁ ତୃତୀୟ ଟେଷ୍ଟରୁ ବାଦ ଦିଆଯାଇଛି। ତେବେ ସେ ୪ର୍ଥ ଟେଷ୍ଟ ବେଳକୁ ଦଳକୁ ଫେରିବେ।

ଇଂଲଣ୍ଡ ବିପକ୍ଷ ବାକି ୩ ଟେଷ୍ଟ ପାଇଁ ସ୍କ୍ୱାଡ ଘୋଷଣା ବେଳେ ବିସିସିଆଇ କହିଥିଲା ଯେ ରାହୁଲ ଓ ଜାଡେଜା ଫିଟ ହେଲେ ହିଁ ମ୍ୟାଚ ଖେଳିବାକୁ ଉପଲବ୍ଧ ହେବେ। ଜାଡେଜା ଫିଟ ହୋଇଯାଇଥିଲେ ହେଁ ରାହୁଲ ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଏବେ ବି ସେ ବେଙ୍ଗାଲୁରୁ ସ୍ଥିତ ଏନସସିଏ ରହିଛନ୍ତି। ସେ ୪ର୍ଥ ଟେଷ୍ଟ ବେଳକୁ ଫିଟ ହୋଇ ସାରିଥିବେ ବୋଲି ଟିମ ମ୍ୟାନେଜମେଣ୍ଟ ଆଶା ରଖିଛି।

ଅନ୍ୟପକ୍ଷରେ ରାହୁଲଙ୍କ ସ୍ଥାନରେ ବିସିସିଆଇ ଆଉ ଜଣେ କର୍ଣ୍ଣାଟକା ବ୍ୟାଟରଙ୍କୁ ସ୍କ୍ୱାଡରେ ସାମିଲ କରିବ। ବାମହାତୀ ବ୍ୟାଟର ଦେବଦତ୍ତ ପାଡିକ୍କଲ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ସାମିଲ ହୋଇ ପାରନ୍ତି।

ଉଭୟ ରାହୁଲ ଓ ପାଡିକ୍କଲ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପ୍ରତିନିଧିତ୍ୱ କରନ୍ତି। ଚଳିତ ରଣଜୀ ଟ୍ରଫି ଓ ଇଂଲଣ୍ଡ ଲାଏନ୍ସ ବିପକ୍ଷରେ ମଧ୍ୟ ପାଡିକ୍କଲ ଦମଦାର ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।