ଥମୁନି ଦାଦନ ଯନ୍ତ୍ରଣା; ଆନ୍ଧ୍ରରୁ ଉଦ୍ଧାର ହେଲେ ୨୦ ଶ୍ରମିକ
ଫ୍ୟାକ୍ଟ୍ରିରେ ସାରା ଦିନ କାମ କରିବା ପରେ ଦରମା ବଦଳରେ ମିଳୁଥିଲା ଅସହ୍ୟ ନିର୍ଯାତନା। କାମ କରିବାର ପ୍ରାୟ ଶହେ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦରମା ଦେଇନଥିଲେ ମାଲିକ। ଦୈନିକ ୮ ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରାଉଥିଲେ।
ରାଜ୍ୟରେ ଥମୁନି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ଯାଇ ନାନା ଅସୁବିଧାରେ ପଡୁଛନ୍ତି ଓଡ଼ିଆ ଶ୍ରମିକ। ଅନେକ ସମୟରେ ବାହାର ରାଜ୍ୟରେ ଫସିବା ନେଇ ଖବର ପ୍ରକାଶ ପାଉଛି। ତେବେ ନିକଟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନର ପ୍ରଲୋଭନର ଶିକାର ହୋଇ ସମସ୍ତେ ଆନ୍ଧ୍ରପ୍ରଦେଶରେ ଫସିଥିଲେ।
ମାଗଣା ଖାଇବା ଓ ରହିବା ସହ ଦୈନିକ ୫ ଶହ ଟଙ୍କା ମଜୁରୀ ପାଇବା ଆଶାରେ ସେମାନେ କାମ କରିବାକୁ ଘରୁ ପଦାକୁ ବାହାରିଥିଲେ। ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲା ପେଦାପଡିରେ ହେଉଥିବା ଚିଙ୍ଗୁଡି ଫ୍ୟାକ୍ଟ୍ରି କାମ କରିବାକୁ ଯାଇଥିଲେ ଶ୍ରମିକ। ଏମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୧୯ ଜଣ ଓ କୋରାପୁଟ ଜିଲ୍ଲାର ଜଣେ ଶ୍ରମିକ ଥିବା ଜଣାପଡିଛି।
ମାତ୍ର ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ଫ୍ୟାକ୍ଟ୍ରିରେ ସାରା ଦିନ କାମ କରିବା ପରେ ଦରମା ବଦଳରେ ମିଳୁଥିଲା ଅସହ୍ୟ ନିର୍ଯାତନା। କାମ କରିବାର ପ୍ରାୟ ଶହେ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦରମା ଦେଇନଥିଲେ ମାଲିକ। ଦୈନିକ ୮ ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରାଉଥିଲେ। ମଜୁରୀ ମାଗିଲେ ମାଡ ମିଳୁଥିଲା। ସେମାନଙ୍କୁ ନଜର ବନ୍ଦୀ କରି ରଖାଯାଇଥିଲା। ରାତିରେ ଘରେ ତାଲା ପକାଇ ରଖୁଥିଲେ।
ଜଣେ ସୁରକ୍ଷାକର୍ମୀ ସବୁ ବେଳେ ଜଗି ରହୁଥିଲା। ମୋବାଇଲରେ କଥା ହେବା ପାଇଁ ସୁଯୋଗ ମିଳୁନଥିଲା। ସ୍ବାସ୍ଥ୍ୟ ଖରାପ ହେଲେ ମଧ୍ୟ ମାଡ ମାରି କାମ କରିବା ପାଇଁ କୁହାଯାଉଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏପରି ନିର୍ଯାତନା ପରେ ସେମାନେ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ନବରଙ୍ଗପୁରର ଶ୍ରମିକ ସଂଗଠନ ଜିଲ୍ଲା ଶ୍ରମବିଭାଗ ନିକଟରେ ଅଭିଯୋଗ କରିଥିଲେ l ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନର ସହାୟତାରେ ୨୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।