ଦକ୍ଷତା ବିକାଶରେ ପାଠାଗାର

ନିକଟରେ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପାଠାଗାରର ବ୍ୟବହାର ସମ୍ପର୍କରେ ଏକ ତାଲିମରେ ଯୋଗଦାନ କରିବାର ସୁଯୋଗ ପାଇଥିଲି। ତାଲିମ ଥିଲା ବିଦ୍ୟାଳୟରେ ପାଠାଗାରର ସୃଜନାତ୍ମକ ବ୍ୟବହାରକୁ ନେଇ। ତାଲିମ ପୂର୍ବରୁ ମୋର ଧାରଣା ଥିଲା, ଲାଇବ୍ରେରୀକୁ ନେଇ ଏକ ତାଲିମର ଆବଶ୍ୟକତା କ’ଣ? ଲାଇବ୍ରେରୀକୁ ନେଇ ତ କେବଳ ପୁସ୍ତକ ପଠନ, ପୁସ୍ତକ ତାଲିକା, ପୁସ୍ତକ ସମୀକ୍ଷା, ପୁସ୍ତକ ସମ୍ପର୍କରେ ଆଲୋଚନା ଇତ୍ୟାଦି। ହଁ ଅନେକ ବିଦ୍ୟାଳୟରେ ମାତୃଭାଷା ଆଧାରିତ ବହୁଭାଷୀୟ ଶିକ୍ଷା ବ୍ୟବସ୍ଥାରେ ଶ୍ରେଣୀଗୃହରେ ଭାଷାର […] The post ଦକ୍ଷତା ବିକାଶରେ ପାଠାଗାର appeared first on Dharitri Odia News.

ଦକ୍ଷତା ବିକାଶରେ ପାଠାଗାର

ନିକଟରେ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପାଠାଗାରର ବ୍ୟବହାର ସମ୍ପର୍କରେ ଏକ ତାଲିମରେ ଯୋଗଦାନ କରିବାର ସୁଯୋଗ ପାଇଥିଲି। ତାଲିମ ଥିଲା ବିଦ୍ୟାଳୟରେ ପାଠାଗାରର ସୃଜନାତ୍ମକ ବ୍ୟବହାରକୁ ନେଇ। ତାଲିମ ପୂର୍ବରୁ ମୋର ଧାରଣା ଥିଲା, ଲାଇବ୍ରେରୀକୁ ନେଇ ଏକ ତାଲିମର ଆବଶ୍ୟକତା କ’ଣ? ଲାଇବ୍ରେରୀକୁ ନେଇ ତ କେବଳ ପୁସ୍ତକ ପଠନ, ପୁସ୍ତକ ତାଲିକା, ପୁସ୍ତକ ସମୀକ୍ଷା, ପୁସ୍ତକ ସମ୍ପର୍କରେ ଆଲୋଚନା ଇତ୍ୟାଦି। ହଁ ଅନେକ ବିଦ୍ୟାଳୟରେ ମାତୃଭାଷା ଆଧାରିତ ବହୁଭାଷୀୟ ଶିକ୍ଷା ବ୍ୟବସ୍ଥାରେ ଶ୍ରେଣୀଗୃହରେ ଭାଷାର ବିକାଶକୁ ନେଇ ଅନେକ ପୁସ୍ତକ ଟଙ୍ଗା ହେବା ଏବଂ ପିଲାଏ ଏହାକୁ ନେଇ ଆଗ୍ରହର ସହିତ ପଠନ କରିବାର ଦେଖୁଥିଲି। ଲାଇବ୍ରେରୀ ବହି ପଠନ, ସଜ୍ଜୀକରଣରେ ମୋର ଧାରଣା ସୀମିତ ଥିଲା। କିନ୍ତୁ ଲାଇବ୍ରେରୀ ମାଧ୍ୟମରେ ପିଲାଙ୍କ ଭିତରେ କଳା, ସୌନ୍ଦର୍ଯ୍ୟ, ସୃଜନାତ୍ମକ ଭାବନା ସୃଷ୍ଟି କରାଯାଇପାଇବ, ଏ ସମ୍ପର୍କରେ ପୂର୍ବରୁ ମୋର ଧାରଣା କମ୍‌ ଥିଲା।
ତାଲିମ କେନ୍ଦ୍ରଟି ଭ୍ରାମ୍ୟମାଣ ଲାଇବ୍ରେରୀ ଭାବରେ ସଜ୍ଜାଯାଇଥିଲା। ଜଣେ ଅନୁଭବ କରୁଥିଲା ସେ ଏକ ସୃଜନଶୀଳ ପାଠାଗାର ମଧ୍ୟରେ ରହିଛି। ସେଠାରେ ଜଙ୍ଗଲକୁ ନେଇ ଥିବା ପୁସ୍ତକଗୁଡ଼ିକୁ ରଖାଯାଇଥିଲା। ଏକ କୋଣରେ ପରିବାର ସମ୍ବନ୍ଧୀୟ ପୁସ୍ତକଗୁଡ଼ିକୁ ରଖାଯାଇଥିଲା। ଜୀବନ କାହାଣୀକୁ ନେଇ ଥିବା ପୁସ୍ତକଗୁଡ଼ିକୁ ସଜ୍ଜା ଯାଇଥିଲା। ଗଣିତକୁ ନେଇ କିଛି ପୁସ୍ତକ ରହିଥିଲା ଏବଂ ସେଠାରେ ଗଣିତ ସମ୍ବନ୍ଧୀୟ ସାମଗ୍ରୀ ଯଥା ଗୋଲି, କାଠି, ମାଳି ଆଦି ବିଭିନ୍ନ ରଙ୍ଗବେରଙ୍ଗର ସାମଗ୍ରୀ ସ୍ଥାନ ପାଇଥିଲା। ପୁସ୍ତକକୁ ନେଇ ପୁସ୍ତକ ସମ୍ପର୍କରେ ସୂଚନା, ବିଷୟକୁ ଆଧାରକରି ପୁସ୍ତକ ଖୋଜ, ଚିତ୍ରକୁ ଆଧାର କରି କାହାଣୀ ରଚନା କର, କବିତାକୁ ଆଧାର କରି ଚିତ୍ର ପରିକଳ୍ପନା କର, ବିଷୟକୁ ଆଧାର କରି କାହାଣୀ ଗଢ଼ିବା ଆଦି ଛୋଟ ପିଲାଙ୍କୁ ନେଇ କିପରି ଆଗ୍ରହର ସହିତ ବାନ୍ଧି ରହିବେ, ସେହିଭଳି କିଛି ଗତିବିଧି ସ୍ଥାନ ପାଇଥିଲା। ଝୋଟବ୍ୟାଗ୍‌ରେ ସୁନ୍ଦରଭାବରେ ପୁସ୍ତକଗୁଡ଼ିକ ସାଜସଜ୍ଜା ହୋଇ ଶୋଭା ପାଉଥିଲା। ଏହି ତାଲିମରେ ଅନୁଭବ କରୁଥିଲି ଯେ, ତାଲିମଦାତା ପାଠାଗାର ମାଧ୍ୟମରେ ଜଣେ କୁନି ଲେଖକ, କବି, ଗାଳ୍ପିକ, କାହାଣୀ ଲେଖକ, ଆତ୍ମଜୀବନୀ ଲେଖକ ଭାବରେ ନିଜ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରୁଥିଲା।
ପ୍ରାଥମିକ ସ୍ତରରେ ପାଠାଗାରର ଭୂମିକା ହେଉ କିମ୍ବା ପାଠାଗାରରେ ଥିବା ବହିକୁ ନେଇ କିପରି ଅନେକ ଗତିବିଧି କରାଯାଇପାରେ, ତାହାକୁ ସେହି ତାଲିମ ମାଧ୍ୟମରେ ଅନୁଧ୍ୟାନ କରୁଥିିଲି। ପିଲାଙ୍କ ମନରେ ପୁସ୍ତକ ପ୍ରତି କିପରି ଆଗ୍ରହ ସୃଷ୍ଟି କରାଯାଇପାରିବ, ଶିଶୁଟିକୁ ଚିତ୍ର ମାଧ୍ୟମରେ କିପରି ସକ୍ରିୟାତ୍ମକ ଭାବରେ ସଂପୃକ୍ତି କରାଇ ଶିଶୁଟି ପ୍ରତି ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ, ତାହା ହୃଦ୍‌ବୋଧ କରୁଥିଲି । କେବଳ ଲାଇବ୍ରେରୀରେ ପୁସ୍ତକ ନୁହେଁ, କବିତା, ଚିତ୍ରାଙ୍କନ, ପୁସ୍ତକ ସମ୍ପର୍କରେ ଚର୍ଚ୍ଚା, ପୁସ୍ତକକୁ ନେଇ କୁଇଜ କରିବା, ବିଷୟକୁ ଆଧାରକରି ପୁସ୍ତକ ଖୋଜିବା, ମଜା ଖେଳ, ପାଠାଗାରରେ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କିପରି ସୃଜନାତ୍ମକ ଗତିବିଧି କରାଯାଇପାରେ, ତାହାକୁ ଅନୁଭବ କରୁଥିଲି।
ପଠନ ଦକ୍ଷତା ବୃଦ୍ଧି ନିମନ୍ତେ ଲାଇବ୍ରେରୀ ହେଉ କିମ୍ବା ଶ୍ରେଣୀଗୃହରେ ଆମେ ଯଦି ପ୍ରିଣ୍ଟିଂ ବା ମୁଦ୍ରଣ ସାମଗ୍ରୀର ଉପଲବ୍ଧିକୁ ନଜରକୁ ନେବା, ତେବେ ଅନୁଭବ କରିବା ଯେ ଯେଉଁ ଶିଶୁଟି ସହରରେ ବଢ଼ୁଛି, ନିଜର ମାତାପିତା, ଘରେ ଯଦି କିଛି ବ୍ୟକ୍ତିଙ୍କ ପଠନର ଅଭ୍ୟାସ ରହିଛି, ତେବେ ସେ ବହି ସମ୍ପର୍କରେ ତାହାର ଧାରଣା ସ୍ବତଃପ୍ରବୃତ୍ତ ଭାବରେ ଗଢ଼ିଉଠୁଛି। କିନ୍ତୁ ଯଦି ଗ୍ରାମାଞ୍ଚଳ ହୋଇଥିବ ଏବଂ ଯଦି ପରିବାରରେ ପୂର୍ବରୁ ବିଶେଷ ଭାବରେ ପାଠୁଆବର୍ଗ ଥାଇପାରନ୍ତି କିନ୍ତୁ ପଠନ ପ୍ରତି ନିରନ୍ତର ଅଭ୍ୟାସ ନ ଥିବ, ତେବେ ପିଲାଙ୍କ ମଧ୍ୟରେ ପଠନ ସାମଗ୍ରୀ ଉପରେ ବିଶେଷ ଅନୁଭୂତି ପାଇ ନ ଥିବ।
ବର୍ତ୍ତମାନ ସ୍ଥିତିରେ ଦେଖିବାକୁ ଗଲେ, ସହରାଞ୍ଚଳରେ ପ୍ରତ୍ୟେକ ଶିଶୁ ପଠନ ସାମଗ୍ରୀ ହେଉ କିମ୍ବା ଲିଖନ ପଠନ ପାଇଁ ଅନେକ ପ୍ରକାର ପରିବେଶ ପାଉଛନ୍ତି। ଅଧିକାଂଶ ବିଦ୍ୟାଳୟକୁ ଗଲେ ଆଜିକାଲି କାନ୍ଥବାଡ଼ରେ ଲେଖା, ପଠନ ସାମଗ୍ରୀ, ଅଭ୍ୟାସ ସାମଗ୍ରୀ ରହିଛି। ଗ୍ରାମୀଣ କ୍ଷେତ୍ରରେ ଯଦି ଆମେ ଦେଖିବା, ତେବେ ମଧ୍ୟ ରହିଛି କିନ୍ତୁ ଯଦି ଅଧିକ ଅପହଞ୍ଚ ଅଞ୍ଚଳ ହୋଇଛି, ତେବେ ସେଠାରେ ଶିକ୍ଷଣ ସାମଗ୍ରୀ ପାଇବା କଷ୍ଟକର କିମ୍ବା ଉଇ ହେଉ କିମ୍ବା ଅନ୍ୟ କୌଣସି କାରଣ ହେତୁ ତାହା ନଷ୍ଟ ହୋଇଯାଇଥିବ।
ପ୍ରାଥମିକ ସ୍ତରରେ ଶିଶୁଙ୍କୁ ଶିକ୍ଷା ଦୀକ୍ଷାରେ ଆଗ୍ରହ ସୃଷ୍ଟି କରିବା ଏବଂ ଶିଶୁଙ୍କୁ ମନଲାଖି ହେଲାଭଳି ଶିକ୍ଷଣ ସାମଗ୍ରୀ ଯୋଗାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଶ୍ରେଣୀଗୃହରେ ଗଣିତକୁ ନେଇ ଗଣିତକୋଣ, ଭାଷାକୁ ନେଇ ଭାଷାକୋଣ, ପରିବେଶକୋଣ ଆଦି ଆଜିକାଲି ଅନେକ ବିଦ୍ୟାଳୟରେ ଥିବାର ଦେଖାଯାଉଛି। ଅନେକ ବିଦ୍ୟାଳୟରେ ଲାଇବ୍ରେରୀ ପୁସ୍ତକ ମଧ୍ୟ ଗଚ୍ଛିତ ହୋଇଛି ଏବଂ କେତେକ ବିଦ୍ୟାଳୟରେ ଲାଇବ୍ରେରୀ ନିମନ୍ତେ ଶନିବାର ଦିନ ଶିଶୁମାନଙ୍କୁ ପଠନ କରିବା ପାଇଁ ପୁସ୍ତକ ଦିଆଯାଉଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଶୁଟି ବିଦ୍ୟାଳୟକୁ ନିଜର ବୋଲି ଭାବିବ, ନିର୍ଭୟରେ ଶିକ୍ଷଣ ସାମଗ୍ରୀକୁ ବ୍ୟବହାର କରିବ, ପୁସ୍ତକକୁ ସେ ବିନା ଦ୍ୱିଧାରେ ଓ ବିନା ଭୟରେ ଓଲଟାଇବ।
ଅନେକ ସମୟରେ ଶିକ୍ଷକଙ୍କ ଧାରଣା ଯେ ଶିଶୁ ସମସ୍ତ ଅକ୍ଷର, ମାତ୍ରା, ଯୁକ୍ତାକ୍ଷର ପଢ଼ିଲା ପରେ ଏବଂ ହାଇସ୍କୁଲ ସ୍ତରକୁ ଗଲାବେଳେ ପୁସ୍ତକ ଦେବା ଦରକାର। ଅନେକ ପରିବାର ନିଜର ପାଠପଢ଼ା ବହି ବ୍ୟତୀତ ଅନ୍ୟ ବହି ଦେଇ ନ ଥାନ୍ତି। କିନ୍ତୁ ବର୍ତ୍ତମାନ ଲାଇବ୍ରେରୀକୁ ଅନେକ ପୁସ୍ତକ ଦିଆଯାଉଛି। ପୁସ୍ତକକୁ ନେଇ ଉଚ୍ଚ ସ୍ବରରେ ପଠନ ମାଧ୍ୟମରେ ଅଭ୍ୟାସ କରାଯାଇପାରେ। ଶିଶୁମାନଙ୍କୁ ପୁସ୍ତକକୁ ଦେଖି ଚିତ୍ର କରିବାକୁ ଦିଆଯାଇପାରେ, ଶିଶୁମାନଙ୍କୁ ନେଇ ବିଭିନ୍ନ ରଙ୍ଗର ପୁସ୍ତକ ସମ୍ପର୍କରେ ଆଲୋଚନା କରାଯାଇପାରେ। ଛୋଟ ଛୋଟ କବିତାକୁ ନେଇ ଚିତ୍ର କରାଯାଇପାରେ। ଚିତ୍ରକୁ ନେଇ କବିତା ରଚନା କରାଯାଇପାରେ। ବୟସ ଆଧାରକୁ ନେଇ ଶିଶୁଙ୍କ ନିମନ୍ତେ ବିଭିନ୍ନ ଗତିବିଧି ବା କାର୍ଯ୍ୟକ୍ରମ କରାଯାଇପାରେ। କିନ୍ତୁ ଏଥିରେ ଶିକ୍ଷକଙ୍କ ସହଯୋଗୀର ଭୂମିକା ରହିବା ଦରକାର। ଶିଶୁଟି ସହିତ ଶିକ୍ଷକଙ୍କ ସହଯୋଗୀ ଓ ସଖାର ଭାବ ରହିବା ଦରକାର!
କିଛିଦିନ ତଳେ ରାୟଗଡ଼ା ଜିଲାର ବିଷମକଟକ ବ୍ଲକର ସାହାଡ଼ା ଅଞ୍ଚଳକୁ ଯାଇ କିଛି ପ୍ରାଥମିକ ସ୍ତରର ଶିଶୁଙ୍କ ସହ ପୁସ୍ତକ ପଠନ ନେଇ ପଚାରୁଥିଲି, କିଛି ଶିଶୁ ଆଗ୍ରହରେ କହିଥିଲେ ମୁଁ ଚାରୋଟି ପୁସ୍ତକ ପଢ଼ିଛି, କିଏ ତିନୋଟି ପୁସ୍ତକ ପଢ଼ିଛି, ଲାଇବ୍ରେରୀ କମିଟି ଗଠନ କରିଛୁ ଏହିଭଳି ଆଗ୍ରହର ସହିତ ଅନେକ କଥା। ବଡ଼କଥା ହେଲା ଶିଶୁମାନେ ପୁସ୍ତକର ନାମ, ପୁସ୍ତକର କାହାଣୀର ସାରାଂଶ କହିଦେଉଥିଲେ। କଥା ହେଉଛି ଯଦି ବିଦ୍ୟାଳୟକୁ ସକ୍ରିୟ କରିପାରିବା, ତେବେ ନିଶ୍ଚିତ ଭାବରେ ସେସବୁ ଚଳଚଞ୍ଚଳ ହୋଇପାରିବ। ବିଦ୍ୟାଳୟରେ ପାଠାଗାରକୁ ସକ୍ରିୟ କରିବା ହେଉ, ଶିକ୍ଷଣ ସାମଗ୍ରୀଗୁଡ଼ିକ ଜୀବନ୍ତ କରିବା ଏବଂ ଏହାକୁ ବ୍ୟବହାର କରିବା ହେଉ, ବିଦ୍ୟାଳୟରେ ଶିଶୁକୈନ୍ଦ୍ରୀକ ଶିକ୍ଷାଦାନ କାର୍ଯ୍ୟକ୍ରମ ହେଉ, ଯଦି ଏଭଳି କିଛି ଚାଲେ, ନିଶ୍ଚୟ ଆମ ଶିଶୁମାନେ ହସିବେ, ବିଦ୍ୟାଳୟଗୁଡ଼ିକ ମଧ୍ୟ ହସିବ। ବିଦ୍ୟାଳୟ ହସିଲେ ଗାଁ ହସିବ, ପରିବେଶ ହସିବ, ଆଉ ଗାଁ ବିଦ୍ୟାଳୟ ହେଉ କିମ୍ବା ଗାଁହେଉ ଖାଁ ଖଁା ଲାଗିବ ନାହିଁ ! ଏଥିପାଇଁ ଆମର ମନୋବୃତ୍ତିଟିଏ ଦରକାର ! ଶିକ୍ଷକଟିଏ ସୃଜନଶୀଳ ହେଲେ ସମାଜର ବିକାଶରେ କେଉଁ ପ୍ରଭାବ ପ୍ରଭାବ ପଡ଼ିଥାଏ, ତାହା ମଧ୍ୟ ଭାବୁଥିଲି !
ଚତୁର୍ଥ ଗଳି, ରାଣୀଗୁଡ଼ା, ରାୟଗଡ଼ା
ମୋ:୯୪୩୮୦୮୧୪୩୦

The post ଦକ୍ଷତା ବିକାଶରେ ପାଠାଗାର appeared first on Dharitri Odia News.