ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍
ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ୍ର ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀ କରିଡର ଅଞ୍ଚଳରେ ସନ୍ଧ୍ୟା ୬ରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯିବା କଥା। ଏଥିପାଇଁ ଏକ କସନ୍ ମେସେଜ୍ ଦିଆଯାଇଥାଏ। କିନ୍ତୁ ତାହାକୁ ଚାଳକ ନ ମାନି ଦ୍ରୁତଗତିରେ ଟ୍ରେନ ଚଳାଇଥିଲେ। ଫଳରେ ରେଳଧାରଣା ପାର ହେଉଥିବା ଦନ୍ତାହାତୀକୁ ଟ୍ରେନ୍ଟି […] The post ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍ appeared first on Dharitri Odia News.
ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ୍ର ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀ କରିଡର ଅଞ୍ଚଳରେ ସନ୍ଧ୍ୟା ୬ରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯିବା କଥା। ଏଥିପାଇଁ ଏକ କସନ୍ ମେସେଜ୍ ଦିଆଯାଇଥାଏ। କିନ୍ତୁ ତାହାକୁ ଚାଳକ ନ ମାନି ଦ୍ରୁତଗତିରେ ଟ୍ରେନ ଚଳାଇଥିଲେ। ଫଳରେ ରେଳଧାରଣା ପାର ହେଉଥିବା ଦନ୍ତାହାତୀକୁ ଟ୍ରେନ୍ଟି ଧକ୍କାଦେଇ ପ୍ରାୟ ୧୦୦ ମିଟର ଘୋଷାରି ନେଇଥିଲା ବୋଲି ସେହି ରାତିରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ କହୁଛନ୍ତି।
ଢେଙ୍କାନାଳ,୩।୧୧(ରତନ ନାୟାର): ହାତୀଙ୍କ ସୁରକ୍ଷିତ ଚଳପ୍ରଚଳକୁ ଗୁରୁତ୍ୱ ଦିଆଯାଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ଚଲାପଥ (ହାତୀ କରିଡର) ଚିହ୍ନଟ ହୋଇଛି। ଏହି କରଡର ଅଞ୍ଚଳରେ ପ୍ରତ୍ୟହ ସନ୍ଧ୍ୟା ୬ରୁ ସକାଳ ୬ଟା ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯିବା ନିୟମ ରହିଛି। ବନ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ୪୯ଟି ହାତୀ ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ରେଳଧାରଣା ପାର୍ ହେଉଥିଲେ। ୧୨ରୁ ୧୫ ବର୍ଷର ଦନ୍ତା ହାତୀଟି ପଛରେ ପାର୍ହେବା ସମୟରେ ତାଳଚେର ଆଡୁ ଦ୍ରୁତଗତିରେ କୋଇଲା ବୋଝେଇ କରି ଆସୁଥିବା ମାଲବାହୀ ଟ୍ରେନ୍ଟି ଧକ୍କା ଦେଇଥିଲା। ନିୟମ ଅନୁଯାୟୀ ବେଗ ରହିଥିଲେ ହାତୀକୁ ଦେଖି ଟ୍ରେନ ଅଟକି ପାରିଥାନ୍ତା। କିନ୍ତୁ ଦ୍ରୁତଗତି ଯୋଗୁ ଟ୍ରେନ୍ଟି ଧକ୍କାଦେଇ ଘୋଷାରି ନେବାରୁ ହାତୀର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟିହୋଇ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।
ଖବରପାଇ ଅନୁଗୋଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା, ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ବନ ବିଭାଗର ଅଧିକାରୀ ଓ ମୋଟଙ୍ଗା ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲେ। ଦୁର୍ଘଟଣା ପରେ ଉକ୍ତ ରେଳ ଧାରଣା ଦେଇ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା। ମୃତ ହାତୀକୁ ଜେସିବି ଲଗାଇ ରେଳଧାରଣାରୁ ଉଠାଇବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ହାତୀଟିକୁ ଜେସିବିରେ ଉଠାଉଥିବା ବେଳେ ଆଉ ଏକ ଦନ୍ତାହାତୀ ହଠାତ୍ ରେଳଧାରଣା ପାରହେବା ସମସ୍ତଙ୍କୁ ଚକିତ କରିଦେଇଥିଲା। ପ୍ରାଣୀ ଚିକିତ୍ସକମାନଙ୍କ ସହଯୋଗରେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇ ଘଟଣାସ୍ଥଳ ନିକଟରେ ପୋତି ଦିଆଯାଇଥିଲା। ସୂଚନାଯୋଗ୍ୟ, ୨୦୧୫ ପରେ ଢେଙ୍କାନାଳ ଜିଲାରେ ଟ୍ରେନ୍ ଧକ୍କାରେ କୌଣସି ହାତୀ ମୃତାହତ ହୋଇ ନ ଥିଲା । ଅନୁଗୋଳସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ଖୋରା କହିଛନ୍ତି, ଏହି ଘଟଣା ଆମ ପାଇଁ ଦୁର୍ଭାଗ୍ୟଜନକ। ଏହି ଟ୍ରାକ୍ ଏକ ସମ୍ବେଦନଶୀଳ ଟ୍ରାକ୍। ଉକ୍ତ ଅଞ୍ଚଳରେ ହାତୀଙ୍କ ସମାଗମ ହେଉଥିବାରୁ ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବେଗ କମାଇବା ପାଇଁ ରେଳ ବିଭାଗକୁ କସନ୍ ଅର୍ଡର ଜାରି କରାଯାଏ। ରାତିରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବନ କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀଙ୍କ କହିବା ମୁତାବକ ଟ୍ରେନ୍ର ବେଗ ଅଧିକ ଥିଲା। ତେଣୁ ବନ ବିଭାଗର ଭୁଲ୍ କି ରେଳ ବିଭାଗର ଭୁଲ୍ ତାହା ତଦନ୍ତ ହେଉଛି। ଯାହାର ଭୁଲ୍ ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ବନ ସଂରକ୍ଷକ କହିଛନ୍ତି। ସେହିପରି ୫୫ନଂ. ଜାତୀୟ ରାଜପଥରେ ହାତୀ ଚଲାପଥର ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଆମେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ। ରେଲଓ୍ବେ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ନିୟମିତ ଆଲୋଚନା ହେଉଛି। ଜାତୀୟ ରାଜପଥରେ ହାତୀ ଚଲାପଥ ନିର୍ମାଣ କାର୍ଯ୍ୟ ଯେତେଶୀଘ୍ର ସରିବ, ସମସ୍ୟାର ସମାଧାନ ସେତେଶୀଘ୍ର ହେବ ବୋଲି ଖୋରା କହିଛନ୍ତି।
The post ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍ appeared first on Dharitri Odia News.