ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା ଲାଗି ରହିଛି। ଏହାଦ୍ୱାରା ବ୍ୟାପକ ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଗତ୍‌ସିଂହପୁର ଜିଲାରେ ଗତ ୨୦ ତାରିଖରୁ ଲଗାଣ ବର୍ଷା ଯୋଗୁ ବିଶେଷକରି ଧାନ ଫସଲ କ୍ଷତିଗ୍ରସ୍ତ ହେବା ଆରମ୍ଭ କରିଛି। ଅନେକ ସ୍ଥାନରେ ବିଲରେ ପାଣି ଜମି ରହିବା ସହ ଧାନ ଫସଲ ଶୋଇପଡିଛି। ଫଳରେ ଧାନ […] The post ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ appeared first on Dharitri Odia News.

ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା ଲାଗି ରହିଛି। ଏହାଦ୍ୱାରା ବ୍ୟାପକ ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଗତ୍‌ସିଂହପୁର ଜିଲାରେ ଗତ ୨୦ ତାରିଖରୁ ଲଗାଣ ବର୍ଷା ଯୋଗୁ ବିଶେଷକରି ଧାନ ଫସଲ କ୍ଷତିଗ୍ରସ୍ତ ହେବା ଆରମ୍ଭ କରିଛି। ଅନେକ ସ୍ଥାନରେ ବିଲରେ ପାଣି ଜମି ରହିବା ସହ ଧାନ ଫସଲ ଶୋଇପଡିଛି। ଫଳରେ ଧାନ କେଣ୍ଡା ପାଣି ଓ ମାଟି ସଂସ୍ପଶର୍ର୍ରେ ଆସି ରୋଗାକ୍ରାନ୍ତ ହେଉଥିବା ବାରି ହୋଇଛି। ବିଶେଷକରି କବକଜାତୀୟ ସଂକ୍ରମଣ (ଫଙ୍ଗାଲ ଇନଫେକ୍ସନ୍‌) ଯୋଗୁ ଧାନଗୁଡିକ କଳା ପଡି ନଷ୍ଟ ହୋଇଯାଉଛି। ଏ ପରିସ୍ଥିତିରେ ଚାଷୀମାନେ ତୁରନ୍ତ ପାଣି ଓ ମାଟି ସଂସ୍ପର୍ଶରେ ଥିବା ଧାନକୁ ବିଲରେ ଅଧିକ ସମୟ ନ ରଖି ଅମଳ କରିବା ଆବଶ୍ୟକ। ସେଗୁଡିକୁ ତୁରନ୍ତ ହାତରେ ଛାଣି ନିରାପଦ ସ୍ଥାନରେ ଫ୍ୟାନ ସାହାଯ୍ୟରେ ଶୁଖାଇବାକୁ ପଡିବ। ଏହା ନ କଲେ ସମ୍ଭାବ୍ୟ କ୍ଷତିକୁ ରୋକାଯାଇ ପାରିବ ନାହିଁ। ନଚେତ ଜିଲାର ଅଧିକାଂଶ ଚାଷୀ ପ୍ରଭୁତ କ୍ଷତି ସହିବେ ବୋଲି କେତେଜଣ କୃଷି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଏଥିସହ ଅନ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୮୫,୨୦୦ ହେକ୍ଟର ବିଲରେ ଧାନ ଚାଷ ହୋଇଛି। ଧାନ ଭଲ ହୋଇଥିବାରୁ ଚାଷୀ ମନରେ ଖୁସି ଭରି ଯାଇଥିଲା। କିନ୍ତୁ ଠିକ୍‌ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି। କ୍ରମାଗତ ୨ ଦିନ ଧରି ବର୍ଷା କାରଣରୁ ଜିଲାର ପ୍ରାୟତଃ ବିଲରେ ଏବେ ପାଣି ଜମି ରହିଛି। କମ୍‌ ଧାନ ଅମଳ ହୋଇଥିବାବେଳେ ଅଧିକ କଟା ପୂର୍ବରୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ଚାଷୀ ମନରେ ନିରାଶ ଭରି ଦେଇଛି। ଏ ପରିସ୍ଥିତିରେ ଚାଷୀମାନେ କ’ଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଆଦ୍ରତା (ମଏଷ୍ଚର) କାରଣରୁ ଧାନ ଗଜା ହେବା ଆଶଙ୍କା ରହିଛି।
ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଦ୍ୱାରିକା ମୋହନ ଦାସଙ୍କ କହିବା କଥା ହେଲା, ୨ ଦିନ ବର୍ଷା ଯୋଗୁ ଧାନ ଉପରେ ଏହାର ପ୍ରଭାବ ପଡିବ। ଧାନ କାଟିବା କଷ୍ଟକର ହେବ। ଏହା କାଟିବାରେ ବିଳମ୍ବ ହେଲେ ଗଜା ହେବାର ମଧ୍ୟ ଭୟ ରହିଛି। ତେଣୁ ଯେଉଁ ଧାନ ମାଟି ଓ ପାଣି ସଂସ୍ପର୍ଶରେ ଆସୁଛି ତାକୁ ପ୍ରାଥମିକତା ଭିତ୍ତିରେ ଅମଳ କରିବାକୁ ପଡିବ। ଯେଉଁଗୁଡିକ ଛିଡା ହୋଇଛି ସେଗୁଡିକ ପାଇଁ ସେତେଟା ବିପଦ ନାହିଁ। ଜିଲାରେ ପାଣି ଜମି ବହୁ ସ୍ଥାନରେ ଧାନ କଳା ପଡିବା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷୀମାନେ ଅମଳ ପ୍ରତି ଧ୍ୟାନ ଦେବାକୁ ପଡିବ। ଏବେ ବିଲରେ ମେଶିନ୍‌ ପଶିବନି। ଯଦିଓ କାଦୁଅରେ ଟ୍ରଲର ଭଳି କମ୍ବାଇନ୍‌ଡ ହାର୍ଭେଷ୍ଟର ପଶିପାରିବ କିନ୍ତୁ ପାଣି ବିଲରୁ ନିଗିଡିବା ଦରକାର। ଆଦ୍ରତା ଥିଲେ ଏହି ମେଶିନ୍‌ ରିଲରେ ଧାନ ହଳା ଗୁଡାଇ ହୋଇଯିବ। ରବିବାରଠାରୁ ବର୍ଷା ନ ହୋଇ ୩-୪ ଦିନ ଖରା ହେଲେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଯିବ। କିନ୍ତୁ ପାଗ କୋହଲା କଲେ ଚାଷୀ ଓ ମଜୁରିଆ ମିଶି ଦା’ରେ ଧାନ କାଟି ଅମଳ କରିବାକୁ ପଡ଼ିବ ବୋଲି ଦାସ କହିଛନ୍ତି। ଅନ୍ୟପଟେ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କୃଷି ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ। ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ଅଛି। ଏହାକୁ ନିୟନ୍ତ୍ରଣ ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମିଲିଲିଟର ହିସାବରେ ଲାମ୍ବଡ଼ା ସାଇହାଲୋଥ୍ରୀନ କିମ୍ବା ୨ ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍‌ ସହ ସାଇପରମେଥ୍ରୀନ ମିଶାଇ ସିଞ୍ଚନ କରିବାକୁ ପଡ଼ିବ। ଏଥିସହ ହୁଡା ଚାରିପଟେ ମାଲାଥିଅନ ୫-ଡି କୁ ଏକର ପ୍ରତି ୧୦ କିଲୋଗ୍ରାମ ହିସାବରେ ଛିଞ୍ଚତ୍ ବିଷ ବଳୟ ସୃଷ୍ଟି କରିବା ଜରୁରୀ। ଧାନ ଅମଳ ପରବର୍ତ୍ତୀ ଜମିରେ ରବି ଫସଲ ବୁଣାବୁଣି କରୁଥିଲେ ସାମୟିକ ଭାବେ ସ୍ଥଗିତ ରଖିବାକୁ ପଡିବ। ବର୍ଷା ହେତୁ ସହଳ ବୁଣା ଚିନାବାଦାମ ଫସଲରେ ମୂଳ ଓ କାଣ୍ଡ ପଚା ଲାଗିବାର ସମ୍ଭାବନା ଅଛି। ଏହାକୁ ନିୟନ୍ତ୍ରଣ ପାଇଁ ବର୍ଷା କମିଗଲାପରେ ପ୍ରତି ଲିଟର ଜଳରେ ୧.୫ ଗ୍ରାମ ଥାଓଫାନେଟ ମିଥାଇଲ ମିଶାଇ ସିଞ୍ଚନ କରିବାକୁ ହେବ। ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡ଼ିବ। କୀଟନାଶକ ସିଞ୍ଚନ ସହ ସାମୟିକ ସମୟ ପାଇଁ ଜଳସେଚନ ବନ୍ଦ ରଖିବାକୁ ହେବ। ପରିବା ତଳି ଘେରାକୁ ଧଳା ପଲିଥିନରେ ଘୋଡ଼ାଇବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଆବଶ୍ୟକ। ପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଏବଂ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥିଲେ ପତ୍ରଗୁଡିକୁ ଛିଣ୍ଡାଇ ଦେବାକୁ ପଡ଼ିବ। ବର୍ଷା ପରେ ପରିବା ଫସଲରେ ମୂଳସଢ଼ା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ ଓ ୨୦ ଗ୍ରାମ ମେଟାଲିକ୍ସିଲ ସହ ମାଙ୍କୋଜେବ ମିଶାଇ ଫସଲର ମୂଳ ଭାଗକୁ ସିଞ୍ଚନ କରିବାକୁ ହେବ ବୋଲି ପରାମର୍ଶ ଦିଆଯାଇଛି।

The post ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ appeared first on Dharitri Odia News.