ଦାଦନ ଦୁର୍ଦ୍ଦଶା

ମଦମୃତ୍ୟୁ, ଆମ୍ବ ଟାକୁଆ ଓ ଦାଦନ ଭଳି ପ୍ରସଙ୍ଗ ପୁଣି ଥରେ ଓଡ଼ିଶାର ରାଜନୀତିକୁ ଫେରିଛି ଏବଂ ଜାତୀୟସ୍ତରରେ ରାଜ୍ୟକୁ ନିନ୍ଦିତ କରୁଛି। ଏଥିମଧ୍ୟରୁ ଉତ୍କଟ ହେଉଛି ଦାଦନ ସମସ୍ୟା। କେଉଁଠି ଦାଦନ ଶ୍ରମିକଙ୍କୁ ମୁଣ୍ଡଜାମିନ୍‌‌ ରଖି ଟଙ୍କା ଦାବି କରାଯାଉଛି ତ ପୁଣି କେତେବେଳେ ପରିବାରର ରୋଜଗାରିଆ ସଦସ୍ୟଙ୍କ ଶବ ନିଜ ଭିଟାମାଟିକୁ ଫେରୁଛି। ଗତ ୪୦ ଦିନ ଭିତରେ କେବଳ କଳାହାଣ୍ଡି ଜିଲ୍ଳାରୁ ଏଭଳି ୫ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା […]

ଦାଦନ ଦୁର୍ଦ୍ଦଶା
sakala editorial

ମଦମୃତ୍ୟୁ, ଆମ୍ବ ଟାକୁଆ ଓ ଦାଦନ ଭଳି ପ୍ରସଙ୍ଗ ପୁଣି ଥରେ ଓଡ଼ିଶାର ରାଜନୀତିକୁ ଫେରିଛି ଏବଂ ଜାତୀୟସ୍ତରରେ ରାଜ୍ୟକୁ ନିନ୍ଦିତ କରୁଛି। ଏଥିମଧ୍ୟରୁ ଉତ୍କଟ ହେଉଛି ଦାଦନ ସମସ୍ୟା। କେଉଁଠି ଦାଦନ ଶ୍ରମିକଙ୍କୁ ମୁଣ୍ଡଜାମିନ୍‌‌ ରଖି ଟଙ୍କା ଦାବି କରାଯାଉଛି ତ ପୁଣି କେତେବେଳେ ପରିବାରର ରୋଜଗାରିଆ ସଦସ୍ୟଙ୍କ ଶବ ନିଜ ଭିଟାମାଟିକୁ ଫେରୁଛି। ଗତ ୪୦ ଦିନ ଭିତରେ କେବଳ କଳାହାଣ୍ଡି ଜିଲ୍ଳାରୁ ଏଭଳି ୫ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ରାୟଗଡ଼଼ା ଜିଲ୍ଳାରୁ ଗତ ବର୍ଷକ ଭିତରେ ୧୦ଜଣ ଦାଦନ ପ୍ରବାସରେ ପ୍ରାଣ ହରାଇଛନ୍ତି। ଆହୁରି ଅଧିକ ବିଡ଼ମ୍ବନା ହେଉଛି ଯେଉଁ ଜାତୀୟ ଦଳ ଓଡ଼ିଶାକୁ ଦାଦନଙ୍କ ରାଜ୍ୟ ଭାବେ ଉପହାସ କରୁଥିଲା ଏବଂ କ୍ଷମତାକୁ ଆସିଲେ ଦାଦନ ସମସ୍ୟାର ସମ୍ପୂର୍ଣ୍ଣ ଦୂର ହେବ ବୋଲି ବାହୁସ୍ଫୋଟ ମାରୁଥିଲା ସେହିଦଳ ଏବେ ରାଜ୍ୟରେ କ୍ଷମତାସୀନ ହେବାର ବର୍ଷେ ନ ପୁରୁଣୁ ଦାଦନ ସମସ୍ୟା ହ୍ରାସ ପାଇବା ବଦଳରେ ବଢ଼଼ିବାରେ ଲାଗିଛି।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଦାଦନ ଖଟିବାକୁ ଯାଉଥିବା ଯୁବକଯୁବତୀ ଓ କିଶୋରକିଶୋରୀଙ୍କ ପ୍ରମୁଖ ସମସ୍ୟା ହେଲା ନିଶ୍ଚିତ କର୍ମନିଯୁକ୍ତି ବା ନିରବଚ୍ଛିନ୍ନ ରୋଜଗାରର ଅଭାବ। ଏମାନେ ସାଧାରଣତଃ କୃଷି ଶ୍ରମିକଭାବେ ନିୟୋଜିତ ହୋଇଥା’ନ୍ତି। କୃଷି ଅମଳ ସରିଯିବା ପରେ ସେମାନଙ୍କ ହାତରେ ଆଉ କାମ କିମ୍ବା ରୋଜଗାରର ବିକଳ୍ପ ନଥିବାରୁ ବାଧ୍ୟ ହୋଇ ବାହାର ରାଜ୍ୟର ଇଟାଭାଟି କିମ୍ବା ଅନ୍ୟାନ୍ୟ ନିର୍ମାଣ ପ୍ରକଳ୍ପରେ କାମ କରିବାକୁ ଯାଇ ସେଠାରେ କମ୍‌‌ ପାରିଶ୍ରମିକରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଏଥିରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଏବଂ ନିଶ୍ଚିତ ରୋଜଗାର ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ବିଫଳତା ହିଁ ଓଡ଼ିଶାକୁ ଜାତୀୟସ୍ତରରେ ନିନ୍ଦିତ କରୁଛି।

ଓଡ଼ିଶାରେ ଶ୍ରମଶକ୍ତିର ୫୧.୭ ଭାଗ କୃଷି କ୍ଷେତ୍ରରେ ସମ୍ପୃକ୍ତ। ଅବଶିଷ୍ଟଙ୍କ ମଧ୍ୟରୁ ୮୦ ଭାଗ ଆତ୍ମନିଯୁକ୍ତ ବା ସାମୟିକ ଶ୍ରମିକ ଭାବେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ସାମାଜିକ-ଆର୍ଥିକ ନିରାପତ୍ତାରୁ ଏବେ ମଧ୍ୟ ବଞ୍ଚିତ। ସେହିପରି ଏବେ ନିର୍ମାଣର ଯାନ୍ତ୍ରୀକିକରଣ ଯୋଗୁଁଁ ମାନବ ସମ୍ବଳର ସଦୁପଯୋଗ ହୋଇପାରୁନାହିଁ। ତେଣୁ ମନରେଗାରେ କେଉଁ କାମ ମିଳିବ ତାହାକୁ ନେଇ ମଧ୍ୟ ଦାଦନ ଶ୍ରମିକମାନେ ସନ୍ଦୀହାନ। ଦାଦନ ବ୍ୟବସ୍ଥାରେ ଠିକାଦାରଙ୍କ ଜରିଆରେ ଏକକାଳୀନ ବୃହତ୍‌‌ ଅର୍ଥରାଶି ଅଗ୍ରୀମ ମିଳୁଥିବାରୁ ତାହା ଲୋକମାନଙ୍କ ସାମାଜିକ ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଅଳ୍ପେବହୁତେ ସମାଧାନ କରିପାରୁଛି। ଅପରପକ୍ଷରେ ମନରେଗାରେ ପ୍ରାପ୍ୟ ପାଇଁ ଦୀର୍ଘଦିନ ପ୍ରତୀକ୍ଷା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ସ୍ୱାଭାବିକ ଭାବେ ଶିଶୁଟିଏ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଏବଂ ସାମୟିକ ଭାବେ ବାହାରକୁ ଯାଇ ଲୋକେ କିଛି ରୋଜଗାର କରିବାକୁ ଉଚିତ ମଣୁଛନ୍ତି।

ଏହି ପୃଷ୍ଠଭୂମିରେ ଗତ ସରକାର ଅମଳରେ ଏକ ସ୍ୱାଗତଯୋଗ୍ୟ ଯୋଜନା ହାତକୁ ନିଆଯାଇଥିଲା। ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ବେକାର ଯୁବକଯୁବତୀ ଆଉ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ – ଏହି ଲକ୍ଷ୍ୟ ନେଇ ନବୀନ ସରକାର ‘ସଘନ ପଞ୍ଚାୟତ’ ଯୋଜନା ଆରମ୍ଭ କରିଥିଲେ। କଳାହାଣ୍ଡି, ନୂଆପଡ଼ା, ବରଗଡ଼଼ ଓ ବଲାଙ୍ଗୀର ଆଦି ୧୧ଟି ଜିଲ୍ଲାର ୨୦ଟି ବ୍ଲକର ସମସ୍ତ ପଞ୍ଚାୟତକୁ ‘ସଘନ ପଞ୍ଚାୟତ’ ଭାବେ ଗ୍ରହଣ କରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଅଧୀନରେ ଲୋକଙ୍କୁ ୨୦୦ ଦିନର କାମ ଯୋଗାଇ ଦିଆଯିବାର ଘୋଷଣା ଓ କାର୍ଯ୍ୟକରୀ କରାଯାଇଥିଲା। ଯୋଜନାରେ ଦୈନିକ ମଜୁରି ୧୮୮ ଟଙ୍କାରୁ ୨୮୬.୩୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ରାଷ୍ଟ୍ରର ସାମଗ୍ରିକ ବିକାଶରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏବଂ ଦାଦନ ଶ୍ରମିକଙ୍କ ମଧ୍ୟରେ ମହିଳାମାନଙ୍କ ଅନୁପାତ ବଢ଼଼ୁଥିବାରୁ ‘ଜୀବିକା ମିସନ୍‌‌’ ଅଧୀନରେ ସଘନ ପଞ୍ଚାୟତର ପ୍ରତି ପରିବାରର ମହିଳା ସଦସ୍ୟଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ୍‌‌ କରି ବିଭିନ୍ନ ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ ଅର୍ଥାଭାବ ଦୂର କରିବା ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ମଧ୍ୟ ଗଠନ କରିଥିଲେ। ଏହାଦ୍ୱାରା ଦାଦନ ଶ୍ରମିକ ସମସ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ବେଳେ ଶ୍ରମିକମାନଙ୍କ ସାମାଜିକ-ଆର୍ଥିକ ବିକାଶରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏବେ କିନ୍ତୁ ନୂଆ ସରକାର ଆସିବା ପରେ ଗତ ସରକାର ଅମଳରେ ହୋଇଥିବା ଅନେକ ଯୋଜନାକୁ ବନ୍ଦ କରିଦେଇ କେବଳ ଆଖିଦୃଶିଆ ପ୍ରଚାରଧର୍ମୀ ଯୋଜନା ଘୋଷଣା କରି ଚାଲିଛନ୍ତି। ଏହିସବୁ ଯୋଜନା ରାଜ୍ୟର ତୃଣମୂଳସ୍ତରର ବିକାଶ ସାଧନରେ ସହାୟକ ହୋଇପାରୁନାହିଁ। ଅଧିକନ୍ତୁ ସହରୀ ବାସିନ୍ଦା ହିଁ ଏହାର ହିତାଧିକାରୀ ହେଉଛନ୍ତି।

ଗତ ବର୍ଷ ୧୭.୬୧ କୋଟି କର୍ମଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ତାହା ୧୦ କୋଟି ତଳକୁ ଖସି ଆସିଛି। ସେହିଭଳି ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୨ ଲକ୍ଷରୁ ଅଧିକ ପରିବାର ମନରେଗାରୁ ବଞ୍ଚିତ ହୋଇଛନ୍ତି। ମନରେଗାରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶ୍ରମିକ ମଜୁରୀ ହାର ମଧ୍ୟ ନୈରାଶ୍ୟଜନକ। ଏବେ ଦରଦାମ ବଢ଼଼ିଚାଲିଥିବା ବେଳେ ତଦନୁଯାୟୀ ମଜୁରୀ ବୃଦ୍ଧି ପାଇବା କଥା। ବିଜୁ ପଟ୍ଟନାୟକଙ୍କ ଅମଳରୁ ଓଡ଼ିଶାରେ ଏହି ଧାରା ଜାରି ରହିଥିଲା। କିନ୍ତୁ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରଠାରୁ ଏ ସଂକ୍ରାନ୍ତ ନିଷ୍ପତ୍ତି ନେବାରେ ସମ୍ବେଦନଶୀଳତା ପ୍ରଦର୍ଶନ କରିନାହାନ୍ତି। ବସ୍ତୁତଃ ଶ୍ରମିକ କଲ୍ୟାଣ ଚିନ୍ତାକୁ ସରକାର ଅଗ୍ରାଧିକାର ଦେଇନାହାନ୍ତି। ଅପରପକ୍ଷରେ ଦିନକୁ ଦିନ ଉତ୍କଟ ହୋଇଚାଲିଥିବା ମହଙ୍ଗା ବଜାରକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଦାଦନ ସମସ୍ୟା ବଢ଼଼ିବା ସ୍ୱାଭାବିକ।

ସମୟ ବଦଳିବା ସହିତ ଲୋକଙ୍କ ସ୍ୱପ୍ନ ବଦଳୁଛି ଏବଂ ଆବଶ୍ୟକତା ମଧ୍ୟ ବଢ଼଼ୁଛି। ଆବଶ୍ୟକତା ପୂରଣ ପାଇଁ ଅଧିକ ରୋଜଗାର ଓ ସମ୍ବଳ ଅପରିହାର୍ଯ୍ୟ ହୋଇପଡ଼ୁଛି। ତେଣୁ ସେମାନେ କାମ ଧନ୍ଦା ଅନ୍ୱେଷଣରେ ଗାଁ, ସହର ଏପରିକି ଦେଶ ଛାଡ଼ି ପ୍ରବାସୀ ହେଉଛନ୍ତି। ନିଜ ଉତ୍ତରପିଢ଼ିର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ପ୍ରବାସରେ ବିପଦାପନ୍ନ ଜୀବନ ବରଣ କରିବାକୁ ବଳିଦାନ ଭାବେ ଗ୍ରହଣ କରିନେଇଛନ୍ତି। ଏବେ ଆମେରିକାରୁ ବିତାଡ଼ିତ ହେଉଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ସେହି ଦାଦନ ବର୍ଗର। ତେଣୁ ଏହି ଜାତୀୟ ସମସ୍ୟାର ସମ୍ପୂର୍ଣ୍ଣ ଦୂରୀକରଣ କରିବାକୁ ହେଲେ ଅଣତିରୋଟ ସମୟରେ କୃଷି ବିକଳ୍ପ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଧ୍ୟାନ ଦେବା ଆବଶ୍ୟକ। କେବଳ ହେଲ୍ପ ଡେକ୍ସ, ନାମକୁ ମାତ୍ର ଥଇଥାନ କ୍ଷତିଭରଣା, ଟାକ୍ସଫୋର୍ସ ଗଠନ କରିଦେଇ ସରକାର କାମ ସରିଗଲା ବୋଲି ଭାବିନେବା ଅନୁଚିତ। ଏହି ଯତ୍ନଶୀଳ ଦୂରଦର୍ଶୀ ଯୋଜନା ପ୍ରଣୟନ ଓ ରୂପାୟନ ଦିଗରେ ଆଶୁ ପଦକ୍ଷେପ ଲୋଡ଼ା।