ଦି’ଖଣ୍ଡ ହୋଇଯାଇଥିବା ହାତକୁ ଯୋଡ଼ିଦେଲେ ଡାକ୍ତର  

୭ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ଯୋଡ଼ି ହେଲା ହାତ ।

ଦି’ଖଣ୍ଡ ହୋଇଯାଇଥିବା ହାତକୁ ଯୋଡ଼ିଦେଲେ ଡାକ୍ତର  

ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା । ଦି’ଗଡ଼ ହୋଇଯାଇଥିବା ହାତକୁ ଯୋଡ଼ିଦେଲେ ଡାକ୍ତର। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସିଲଭର ସିଟି କଟକରୁ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ କଟାହାତକୁ ଯୋଡ଼ି ଦିଆଯାଇଛି। ଆଉ ଅସ୍ତ୍ରୋପଚାରର ୨ ସପ୍ତାହ ପରେ ଏବେ ସକ୍ରିୟ ହୋଇଛି ପାପୁଲି। ମିଳିଥିବା ସୂଚନା ଅନୁଯାୟୀ, ଆହତ ହୋଇଥିବା ଯୁବକ ହେଉଛନ୍ତି, କ୍ରାନ୍ତିକୁମାର ପଲେୟା।

ମେସିନରେ କାମ କରୁଥିବାବେଳେ ତାଙ୍କ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା। ଆଉ ସେହି କଟାହାତକୁ ଧରି ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ବିଭୁତି ନାୟକଙ୍କ ପାଖକୁ ଆସିଥିଲେ କ୍ରାନ୍ତିକୁମାର। ଏହାପରେ ପ୍ଲାଷ୍ଟିକ ସର୍ଜନ ଏବଂ ଅର୍ଥୋପେଡିକ୍ ଡାକ୍ତରଙ୍କ ୪ ଜଣିଆ ଟିମର ୭ ଘଣ୍ଟାର ପରିଶ୍ରମ ପରେ କଟାହାତକୁ ଯୋଡ଼ାଯାଇଛି। ତେବେ ଡାକ୍ତରଙ୍କ କହିବା କଥା, ଅଘଟଣର ୨ ଘଣ୍ଟା ଭିତରେ କ୍ରାନ୍ତିକୁମାର ମେଡ଼ିକାଲ୍ ପହଞ୍ଚିଥିବାରୁ ଅପରେସନ୍ ସଫଳ ହୋଇପାରିଛି। ଆଗକୁ କ୍ରାନ୍ତିକୁମାରଙ୍କ ହାତ ସ୍ୱାଭାବିକ ଭାବେ କାମ କରିବ।