ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ; ଆସନ୍ତାକାଲି ମାଓ ମୁକାବିଲା ବୈଠକରେ ଯୋଗଦେବେ
ନକ୍ସଲ ମୁକାବିଲା ବୈଠକରେ ଯୋଗଦେବା ଆଜି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନକ୍ସଲ ମୁକାବିଲା ବୈଠକରେ ଯୋଗଦେବା ଆଜି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ।
୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ହେବେ ମୋହନ ମାଝୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ।
ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗଦେବେ। ସେହିଭଳି ଅତିରିକ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଜ୍ୟଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା କାର୍ଯ୍ୟକ୍ରମ ରହିଛି।