ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ

ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ

ସରୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ବାରମ୍ୱାର ସମନ ପଠାଇବା ପରେ ଇଡିରେ ହାଜର ହେଉନାହାନ୍ତି କେଜ୍ରିୱାଲ। ତାଙ୍କୁ ପୁଣି ଥରେ ସମନ ପଠାଇଛି ଇଡି। ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ଥର ପାଇଁ ସମନ ଜାରି କରିଛି।

ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଟି ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି। ସମନକୁ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର କହିଛନ୍ତି କେଜ୍ରିୱାଲ। ବାରମ୍ବାର ସମନ ପଠାଇବା ପରେ ବି ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା।

ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିଓ୍ୱାଲଙ୍କୁ ୧୭ ଫେବ୍ରୁଆରୀରେ ଡକାଇଥିଲେ। ହେଲେ କେଜ୍ରିଓ୍ୱାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ରହି ଭିଡିଓ କନ୍‌ଫରେନ୍ସି ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବିଧାନସଭାରେ ଆସ୍ଥା ଭୋଟରେ ବ୍ୟସ୍ତ ଥିବା କହି ହାଜର ହେବା ପାଇଁ କୋର୍ଟଙ୍କୁ ନୂଆ ତାରିଖ ମାଗିଥିଲେ। ଏହାପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବା ପାଇଁ କହିଥିଲେ। ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରିଥିଲେ। ଆଜି ପୁଣି ଥରେ ଇଡି ତାଙ୍କୁ ସମନ କରିଛି।