ଦୁଇଟି ଯୁଦ୍ଧ

କୋଭିଡ୍‌ ମହାମାରୀକୁ ମୁକାବିଲା କରି ପୃଥିବୀ ଆର୍ଥିକ ଓ ସାମାଜିକ ସ୍ଥିରତା ଚାହୁଁଥିବା ବେଳେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରେ ୭ ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ନାଟୋଠାରୁ ଦୂରେଇ ରଖିବାକୁ ଚେଷ୍ଟାକରି ୟୁକ୍ରେନକୁ ତା’ ସହିତ ମିଶାଇବା ପାଇଁ ରୁଷିଆ ବିଗତ ଅଢ଼େଇ ବର୍ଷ ହେଲାଣି ଯୁଦ୍ଧ କରୁଛି। ଅନ୍ୟପଟେ ଏକ କ୍ରୂର ଉଗ୍ରବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ହମାସକୁ […] The post ଦୁଇଟି ଯୁଦ୍ଧ appeared first on Dharitri Odia News.

ଦୁଇଟି ଯୁଦ୍ଧ

କୋଭିଡ୍‌ ମହାମାରୀକୁ ମୁକାବିଲା କରି ପୃଥିବୀ ଆର୍ଥିକ ଓ ସାମାଜିକ ସ୍ଥିରତା ଚାହୁଁଥିବା ବେଳେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରେ ୭ ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ନାଟୋଠାରୁ ଦୂରେଇ ରଖିବାକୁ ଚେଷ୍ଟାକରି ୟୁକ୍ରେନକୁ ତା’ ସହିତ ମିଶାଇବା ପାଇଁ ରୁଷିଆ ବିଗତ ଅଢ଼େଇ ବର୍ଷ ହେଲାଣି ଯୁଦ୍ଧ କରୁଛି। ଅନ୍ୟପଟେ ଏକ କ୍ରୂର ଉଗ୍ରବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ହମାସକୁ ନିପାତ କରିବାରେ ଲଗିଛି ଇସ୍ରାଏଲ। ଉଲ୍ଲେଖନୀୟ ଯେ ୭ ଅକ୍ଟୋବର ୨୦୨୩ରେ ହମାସ ଇସ୍ରାଏଲ ସୀମା ଭିତରେ ଆକ୍ରମଣ କରି ୧୧୩୯ ଲୋକଙ୍କୁ ହତ୍ୟା କରିଥିଲା । ଦେଖିବାକୁ ଗଲେ ଉଭୟ ଯୁଦ୍ଧ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟରେ ଅଶାନ୍ତ ସ୍ଥିତି ସୃଷ୍ଟି କରିଛି। ଏହା ମଧ୍ୟ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଚାଲିଛି। ଆମେରିକା ଓ ନାଟୋ ସହଯୋଗରେ ରୁଷିଆ ଆକ୍ରମଣକୁ ୟୁକ୍ରେନ ମୁକାବିଲା କରୁଥିବାବେଳେ ଇରାନ,ଜୋର୍ଡାନ, ସାଉଦିଆରବ, ଲେବାନନ୍‌, ଇରାକ ଆଦି ଦେଶଗୁଡ଼ିକ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି। ଇରାନ ସମର୍ଥିିତ ୟେମେନ୍‌ର ହୁଟି, ଲେବାନନ୍‌ର ହିଜ୍‌ବୁଲା ଓ ଇରାକ ପ୍ରୋତ୍ସାହିତ ଉଗ୍ରବାଦୀମାନେ ଇସ୍ରାଏଲ ବିରୋଧରେ ଯୁଦ୍ଧ କରୁଛନ୍ତି। ଏଥିସହିତ ଲୋହିତ ସାଗରରେ ପଣ୍ୟବାହୀ ଜାହାଜଗୁଡ଼ିକ ଉପରେ ହୁଟିର ଆକ୍ରମଣ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରିଦେବା ପରେ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି ଓ ବହୁଦେଶୀୟ ନୌସେନା ଦ୍ୱାରା ଗଠିତ ଅପରେଶନ ପ୍ରସ୍‌ପରଟି ଗାର୍ଡିଅନ(ଓପିଜି) ଗଠନ କରିଛି। ସୂଚିତ କରାଯାଇପାରେ ଯେ, ମଧ୍ୟପ୍ରାଚ୍ୟର ତୈଳ ବଜାର ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ଅଧିକ ନିର୍ଭରଶୀଳ। ତୈଳ ବାରବାରକୁ ଲକ୍ଷ୍ୟକରି ଆମେରିକା ହୁଏତ ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଥାଇପାରେ। କିନ୍ତୁ ଆମେରିକାକୁ ବିଶ୍ୱ ସ୍ତରରେ ଅର୍ଥନୀତିରେ ଚ୍ୟାଲେଞ୍ଜ ଦେଇ ମଧ୍ୟପ୍ରାଚ୍ୟ ସହ ସମ୍ପର୍କ ବୃଦ୍ଧି କରୁଥିବା ଚାଇନାକୁ ଅଟକାଇବା ଏଭଳି ଯୁଦ୍ଧବରତି ପ୍ରସ୍ତାବ ପଛର ଅନ୍ୟତମ କାରଣ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଯେ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ଦାଦାଗିରି ଓ ତାଇଓ୍ବାନ୍‌କୁ ଦଖଲକୁ ନେବାରେ ତାହାର ଉଦ୍ୟମକୁ ପ୍ରତିହତ କରିବା ଲାଗି ଭାରତ, ଅଷ୍ଟ୍ରେଲିଆ, ଜାପାନକୁ ନେଇ ଆମେରିକା ମଧ୍ୟ କ୍ୱାଡ୍‌ ସାମରିକ ମେଣ୍ଟ ଗଠନ କରିଛି। ଗୋଟିଏ ପକ୍ଷରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶୃଙ୍ଖଳା, କୃଷ୍ଣ ସାଗରରେ ରୁଷିଆର ଆଧିପତ୍ୟ ଓ ଅଶାନ୍ତ ଲୋହିତ ସାଗରକୁ ନେଇ ଆମେରିକା ବିବ୍ରତ ଥିବା କୁହାଯାଏ। ଏହାସହ ଇରାନ ଓ ଇସ୍ରାଏଲର ମୁହାଁମୁହିଁ ସ୍ଥିତି ମଧ୍ୟ ଆମେରିକାକୁ ଚିନ୍ତାରେ ପକାଇବା ସ୍ବାଭାବିକ। କାରଣ ଇରାନ, ଚାଇନା ଓ ରୁଷିଆ ସମ୍ପର୍କ ଅଧିକ ମଜଭୁତ ହେବା ଆମେରିକା ଓ ତାହାର ମେଣ୍ଟ ଦେଶଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିବାର ଅଧିକ ସମ୍ଭାବନା ରହିଛି। ତେବେ ଆମେରିକାର ଯୁଦ୍ଧବିରତିକୁ ଇସ୍ରାଏଲ ଗ୍ରହଣ କରିଥିବା କଥା ଆମେରିକା କହୁଥିଲେ ମଧ୍ୟ ଇସ୍ରାଏଲ ଏହାକୁ ସର୍ବସମ୍ମୁଖରେ ସ୍ବୀକାର କରିନାହିଁ। ବରଂ କହିଛି ଯେ, ଯେ ପର୍ଯ୍ୟନ୍ତ ହମାସ ବିନାଶ ହୋଇନାହିଁ ସେ ଯୁଦ୍ଧ ବନ୍ଦ କରିବ ନାହିଁ।
ଆଉ ଏକ ଘଟଣାକ୍ରମରେ ସୁଇଜରଲାଣ୍ଡରେ ଅନୁଷ୍ଠିତ ସମ୍ମିଳନୀରେ ୟୁକ୍ରେନରେ ଶାନ୍ତି ଫେରାଇବା ସକାଶେ ୧୬ ଜୁନ୍‌ରେ ଆଗତ ଶାନ୍ତି ଦସ୍ତାବିଜ୍‌ରେ ଆମେରିକା ସମେତ ୮୦ ଟି ଦେଶ ସ୍ବାକ୍ଷର କରିଛନ୍ତି। ହେଲେ ଚାଇନା, ରୁଷିଆ ଓ ବ୍ରାଜିଲ ଏହି ସମ୍ମିଳନୀରେ ଯୋଗଦେଇ ନାହାନ୍ତି। ଭାରତ ସମେତ ସାଉଦିଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ବିକାଶଶୀଳ ଦେଶ ଏଥିରେ ସ୍ବାକ୍ଷର କରିନାହାନ୍ତି। ଉଲ୍ଲେଖନୀୟ ଯେ, ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭରୁ ଜାତିସଂଘ ଦ୍ୱାରା ରୁଷିଆ ବିରୋଧରେ ଆଗତ ପ୍ରସ୍ତାବରୁ ଭାରତ ଦୂରେଇ ରହିଥିଲା। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆମେରିକା ଓ ନାଟୋର ସିଧାସଳଖ ସମ୍ପୃକ୍ତି ଓ ଏମାନେ ହମାସ ବିରୋଧରେ ଇସ୍ରାଏଲକୁ ସମର୍ଥନ କରିବା ଏବଂ ଅନ୍ୟପଟେ ଅମେରିକାର ଏବକାର ଯୁଦ୍ଧବିରତି ପ୍ରସ୍ତାବକୁ ଦେଖିଲେ ବାସ୍ତବ ଶାନ୍ତି ପ୍ରତିଷ୍ଠାରେ ସନ୍ଦେହ ସୃଷ୍ଟି ହୁଏ। ଏହାବ୍ୟତୀତ ସୁଇସ୍‌ ସମ୍ମିଳନୀରେ ୟୁକ୍ରେନକୁ ସମର୍ଥନ କରୁଥିବା ଅଧିକାଂଶ ପାଶ୍ଚାତ୍ୟ ଦେଶ ରହିଥିବାରୁ ଶାନ୍ତି ଆଣିବାରେ ସେମାନଙ୍କ ନିରପେକ୍ଷତା ଉପରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ବାଭାବିକ। ଶେଷରେ ଏତିକି କୁହାଯାଇପାରେ ଯେ, ସ୍ପଷ୍ଟ ନୀତି ଓ ନିରପେକ୍ଷ ମନୋଭାବ ନ ରହିଲେ ଆରମ୍ଭ ହୋଇଥିବା ଦୁଇଟି ଯୁଦ୍ଧ ପାଇଁ ସବୁ ପକ୍ଷ ଭୟଙ୍କର ମୂଲ୍ୟ ଦେବେ। ଯୁଦ୍ଧର ପରିଣାମ ଏବଂ କ୍ଷତି କେବଳ ସମ୍ପୃକ୍ତ ଦେଶଗୁଡ଼ିକ ମଧ୍ୟରେ ସୀମିତ ରହିବ ନାହିଁ। ଏହି ଯୁଦ୍ଧକ୍ଷେତ୍ରର ପ୍ରଭାବ ସମଗ୍ର ପୃଥିବୀର ଅର୍ଥନୀତି ଉପରେ ପଡୁଛି। ଏଥିପାଇଁ ସବୁବେଳେ କ୍ଷତିଗ୍ରସ୍ତ ହେବେ ଗରିବ ଦେଶ।

ଯୁଦ୍ଧର ପରିଣାମ ଏବଂ କ୍ଷତି କେବଳ ସମ୍ପୃକ୍ତ ଦେଶଗୁଡ଼ିକ ମଧ୍ୟରେ ସୀମିତ ରହିବ ନାହିଁ। ଏହି ଯୁଦ୍ଧକ୍ଷେତ୍ରର ପ୍ରଭାବ ସମଗ୍ର ପୃଥିବୀର ଅର୍ଥନୀତି ଉପରେ ପଡୁଛି। ଏଥିପାଇଁ ସବୁବେଳେ କ୍ଷତିଗ୍ରସ୍ତ ହେବେ ଗରିବ ଦେଶ।

The post ଦୁଇଟି ଯୁଦ୍ଧ appeared first on Dharitri Odia News.