ଦୁଇଦିନ ପୂର୍ବରୁ ଗୁପ୍ତଚର
ରୁଷିଆ ୨୪ ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ଏହା ଘଟାଯାଇଥିବାରୁ ସେ ଘୋର ନିନ୍ଦିତ ହୋଇଛନ୍ତି। ଉକ୍ତ ଘଟଣାର ଠିକ୍ ଦୁଇ ବର୍ଷ ପୂରିବାକୁ ଯାଉଥିବା ବେଳେ ତାଙ୍କ ବିରୋଧୀ ତଥା ରୁଷିଆ ଭିତରେ ଶକ୍ତିଶାଳୀ ସମାଲୋଚକ ଭାବେ ଜଣାଶୁଣା ଏଲେକ୍ସି ନାଭାଲ୍ନିଙ୍କର ୧୬ ଫେବୃୟାରୀ ୨୦୨୪ରେ ମୃତ୍ୟୁ ଘଟିବା ପୁଟିନ୍ଙ୍କ ସାମଗ୍ରିକ ଭୂମିକାକୁ ସନ୍ଦେହ ଘେରକୁ ଠେଲିଦେଇଛି। ଏକଚ୍ଛତ୍ରବାଦ ଚିନ୍ତାଧାରା ପୋଷଣ କରିବା ସହ ତାଙ୍କ ସରକାର […] The post ଦୁଇଦିନ ପୂର୍ବରୁ ଗୁପ୍ତଚର appeared first on Dharitri Odia News.
ରୁଷିଆ ୨୪ ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ଏହା ଘଟାଯାଇଥିବାରୁ ସେ ଘୋର ନିନ୍ଦିତ ହୋଇଛନ୍ତି। ଉକ୍ତ ଘଟଣାର ଠିକ୍ ଦୁଇ ବର୍ଷ ପୂରିବାକୁ ଯାଉଥିବା ବେଳେ ତାଙ୍କ ବିରୋଧୀ ତଥା ରୁଷିଆ ଭିତରେ ଶକ୍ତିଶାଳୀ ସମାଲୋଚକ ଭାବେ ଜଣାଶୁଣା ଏଲେକ୍ସି ନାଭାଲ୍ନିଙ୍କର ୧୬ ଫେବୃୟାରୀ ୨୦୨୪ରେ ମୃତ୍ୟୁ ଘଟିବା ପୁଟିନ୍ଙ୍କ ସାମଗ୍ରିକ ଭୂମିକାକୁ ସନ୍ଦେହ ଘେରକୁ ଠେଲିଦେଇଛି। ଏକଚ୍ଛତ୍ରବାଦ ଚିନ୍ତାଧାରା ପୋଷଣ କରିବା ସହ ତାଙ୍କ ସରକାର ନାମରେ ଅନେକ ଦୁର୍ନୀତି ରହିଥିବା ବିଷୟକୁ ନାଭାଲ୍ନି ପଦାରେ ପକାଇ ଆସୁଥିଲେ। କଳେବଳେକୌଶଳେ ସମାଲୋଚକଙ୍କୁ ଦମନ କରିବାର କଳା ଜାଣିଥିବା ପୁଟିନ୍ ବିରୋଧୀ ନାଭାଲ୍ନିଙ୍କୁ ଉଗ୍ରବାଦୀ ସଜାଇ ଦେଇଥିଲେ। ଏହି ଦୋଷରେ ତାଙ୍କୁ ୧୯ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ଗତବର୍ଷ ଶେଷ ଆଡ଼କୁ ତାଙ୍କୁ ମସ୍କୋଠାରୁ ବହୁ ଦୂରରେ ଆର୍କଟିକ୍ ପେନାଲ କଲୋନୀ ଜେଲରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏଭଳି ଜେଲରେ ଅତି ଭୟଙ୍କର ଅପରାଧୀଙ୍କୁ ରଖାଯାଇଥାଏ। ଫେବୃଆରୀ ୧୬ରେ ତାଙ୍କ ମୃତ୍ୟୁ ନେଇ ରୁଷିଆର ପ୍ରିଜନ୍ ସର୍ଭିସ୍ ପକ୍ଷରୁ କୁହାଯାଇଥିଲା ଯେ, ନାଭାଲ୍ନି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ‘ଦି ଗୁଲାଗୁ ଡଟ୍ ନେଟ୍ ଓ୍ବେବ୍ସାଇଟ୍’ ସୂତ୍ରକୁ ଉଦ୍ଧାର କରି ବ୍ରିଟେନ୍ର ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ପ୍ରକାଶ କରିଛି ଯେ, ନାଭାଲ୍ନିଙ୍କ ମୃତ୍ୟୁର ଦୁଇ ଦିନ ପୂର୍ବରୁ ରୁଷିଆର କେତେ ଜଣ ଗୁପ୍ତଚର ସେହି ଜେଲ ପରିଦର୍ଶନରେ ଯାଇଥିଲେ। ଏଥିରୁ ସନ୍ଦେହ ଜାତ ହୋଇଛି ଯେ, ତାଙ୍କ ମୃତ୍ୟୁ ପାଇଁ ପୂର୍ବପ୍ରସ୍ତୁତି କରାଯାଇଥିଲା। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୨୦ରେ ନାଭାଲ୍ନିଙ୍କୁ ବିଷ ଦିଆଯାଇ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ହୋଇଥିଲା।
୨୦୧୨ରେ ପୁଟିନ୍ ରୁଷିଆର ରାଷ୍ଟ୍ରପତି ହେବା ପରେ ତାଙ୍କ ଶାସନକୁ ଘୋର ବିରୋଧ କରୁଥିବା ୧୧ ଜଣଙ୍କୁ ରହସ୍ୟଜନକ ଭାବେ ହତ୍ୟା କରାଯାଇସାରିଲାଣି ଓ ଅନେକେ ଜେଲଦଣ୍ଡ ଭୋଗୁଛନ୍ତି। ଏପରିକି ଓଡ଼ିଶାର ରାୟଗଡ଼ାଠାରେ ଡିସେମ୍ବର ୨୦୨୨ରେ ଦୁଇ ଜଣ ପୁଟିନ୍ ବିରୋଧୀ ରୁଷୀୟ ନାଗରିକଙ୍କ ମୃତ୍ୟୁ ସନ୍ଦେହଜନକ ଥିଲା। ସାଧାରଣରେ ବିଦେଶୀ ମଲେ ତାଙ୍କ ଶବକୁ ଦୂତାବାସ ସାହାଯ୍ୟରେ ନିଜ ଦେଶକୁ ଫେରାଇ ନେବାର ବ୍ୟବସ୍ଥା ରହିଥାଏ। କିନ୍ତୁ ଓଡ଼ିଶା ପୋଲିସ ସେଭଳି କିଛି ନ କରି ଅତିଶୀଘ୍ର ରାୟଗଡ଼ାରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରିଦେଇଥିଲା। ମୁଖାଗ୍ନି କିଏ ଦେଇଥିବେ ଜଣାନାହିଁ। କିନ୍ତୁ ତାଙ୍କ ଚିତାଭସ୍ମ ପ୍ରମାଣସ୍ବରୂପ ନିଶ୍ଚିତ ପୁଟିନ୍ଙ୍କ ପାଖରେ ପହଞ୍ଚତ୍ଥିବ। ତେବେ ନାଭାଲ୍ନିଙ୍କ ମୃତ୍ୟୁ ପୂର୍ବରୁ ଘରୋଇ ସଶସ୍ତ୍ର ବାହିନୀ ‘ଓ୍ବାଗନର’ର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ୍ଙ୍କ ଗତବର୍ଷ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିବାକୁ ମଧ୍ୟ ବିଶ୍ୱ ସନ୍ଦେହ ଦୃଷ୍ଟିରେ ଦେଖିଥିଲା। କାରଣ ପ୍ରିଗୋଝିନ୍ ଓ ତାଙ୍କ ସୈନ୍ୟମାନେ ପୁଟିନ୍ଙ୍କ ବିରୋଧରେ କିଛିମାସ ପୂର୍ବରୁ ବିଦ୍ରୋହ କରିଥିଲେ। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ପୁଟିନ୍ଙ୍କ ବାଟ ଓଗାଳୁଥିବା ବ୍ୟକ୍ତି ଦୀର୍ଘ ଦିନ ତିଷ୍ଠି ରହିବା ସମ୍ଭବ ନୁହେଁ। ନାଭାଲ୍ନିଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ପାଶ୍ଚାତ୍ୟର ବଡ଼ ନେତାମାନେ ପୁଟିନ୍ଙ୍କ ବିରୋଧରେ ସ୍ବର ଉଠାଇଛନ୍ତି। ଦେଖିବାକୁ ଗଲେ ପୁଟିନ୍ଙ୍କ ଭଳି ଏକଜିଦିଆ ନେତାମାନେ କ୍ଷମତା ଜାବୁଡ଼ି ଧରିବା ଲାଗି ଏକଚ୍ଛତ୍ରବାଦୀ ପାଲଟିଯାଉଛନ୍ତି। ପୁଟିନ୍ ୨୦୨୧ରେ ସମ୍ବିଧାନରେ ସଂଶୋଧନ ଆଣି ୨୦୩୬ ଯାଏ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରି ରାଷ୍ଟ୍ରପତି ଚଉକିରେ ବସିବାର ସବୁ ବ୍ୟବସ୍ଥା କରିସାରିଛନ୍ତି।
ସୁଶାସନ କରି କେତେକ ନେତା ନାଗରିକଙ୍କ ହୃଦୟ ଜିତିଥାଆନ୍ତି। ଅନ୍ୟପକ୍ଷରେ ଦେଶର ଜନସାଧାରଣଙ୍କୁ ଭୟଭୀତ କରାଇ ରାଷ୍ଟ୍ର ଭିତରେ ଘୃଣା ଓ ବିଭେଦ ସୃଷ୍ଟିକରି ନିଜର ଶାସନକାଳକୁ ବୃଦ୍ଧି କରିବାକୁ ପ୍ରାୟ ନେତା ଚେଷ୍ଟା କରିଆସୁଛନ୍ତି। ପୁଟିନ୍ ଦ୍ୱିତୀୟ ବର୍ଗରେ ଆସୁଥିବାରୁ ଦେଶର ଭବିଷ୍ୟତ ଓ ପରବର୍ତ୍ତୀ ପିଢ଼ିଙ୍କ ମଙ୍ଗଳ ତାଙ୍କୁ ଯେମିତି ଦେଖାଯାଉ ନାହିଁ। ୟୁକ୍ରେନ୍ ଉପରେ ଆକ୍ରମଣକୁ ରୁଷିଆର ବହୁ ନାଗରିକ ବିରୋଧ କରିଥିଲେ ମଧ୍ୟ ତାହାର ସୁଫଳ ଅଦ୍ୟାବଧି ମିଳିପାରିଲା ନାହିଁ। ୨୪ ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦୁଇ ବର୍ଷରେ ପହଞ୍ଚତ୍ବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜର୍ମାନୀର ମ୍ୟୁନିକ୍ ନିରାପତ୍ତା ସମ୍ମିଳନୀରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ରୁଷିଆ ରାଷ୍ଟ୍ରପତିଙ୍କୁ ଏକ ନୃଶଂସ ବ୍ୟକ୍ତି ଭାବେ ଅଭିହିତ କରି କହିଛନ୍ତି ଯେ, ସେ ଦୁର୍ନୀତି ଓ ହିଂସାକୁ ଆଧାର କରି କ୍ଷମତା ଜାବୁଡ଼ି ରଖିଛନ୍ତି।
୨୦୨୪ ମାର୍ଚ୍ଚରେ ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଛି। ସାମ୍ବିଧାନିକ ସଂସ୍କାର ପରେ ପୁଟିନ୍ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ନାଭାଲ୍ନିଙ୍କ ଭଳି ସମାଲୋଚକଙ୍କ ସ୍ବରକୁ ସବୁଦିନ ପାଇଁ ଚାପି ଦିଆଯିବା ଦେଶର ଅନ୍ୟ ବିରୋଧୀଙ୍କ ପାଇଁ ଚେତାବନୀ ବୋଲି ଅନ୍ତର୍ଜାତୀୟ ରାଜନୈତିକ ସମୀକ୍ଷକମାନେ ମତ ବାଢ଼ୁଛନ୍ତି। ତେବେ ଗୋଟିଏ କଥା କୁହାଯାଇପାରେ, ନିଜ ନାଗରିକଙ୍କୁ ଦମନ କରି କୌଣସି ନେତା ଦୀର୍ଘକାଳ ସେମାନଙ୍କ ହୃଦୟରେ ବିରାଜମାନ କରିପାରିବେ ନାହିଁ। ତେବେ ଏହି ଆସ୍ପର୍ଦ୍ଧା କେବଳ ପୁଟିନ୍ଙ୍କ ପାଖରେ ସୀମିତ ରହିନାହିଁ। ମନେହେଉଛି ଏହିଭଳି ଆଭିମୁଖ୍ୟ ବିଶ୍ୱର ଅନ୍ୟ ନେତାଙ୍କୁ ମଧ୍ୟ ଗ୍ରାସ କଲାଣି।
The post ଦୁଇଦିନ ପୂର୍ବରୁ ଗୁପ୍ତଚର appeared first on Dharitri Odia News.