ଦୁବାଇରେ ଗିରଫ ହୋଇଥିଲେ କି ରାହତ ଫତେ ଅଲୀ ଖାନ?

ପାକିସ୍ତାନୀ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ରାହତ ଫତେ ଅଲୀ ଖାନଙ୍କ ପୂର୍ବତନ ମ୍ୟାନେଜର ତାଙ୍କ ନାଁରେ ମାନହାନୀ କେସ୍‌ କରିଥିଲେ।

ଦୁବାଇରେ ଗିରଫ ହୋଇଥିଲେ କି ରାହତ ଫତେ ଅଲୀ ଖାନ?

ପ୍ରସିଦ୍ଧ ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲୀ ଖାନ ଦୁବାଇରେ ଗିରଫ ହୋଇଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହି ଖବର ଭାଇରାଲ ହେବା ପରେ ନିଜେ ରାହତ ଫତେ ଏହି ଖବରକୁ ଖଣ୍ଡନ କରିଛନ୍ତି। ଏଥିସହ ନିଜ ଫ୍ୟାନ୍ସକୁ ଏପରି ଖବରକୁ ଗୁରୁତ୍ୱ ନ ଦେବାକୁ କହିଛନ୍ତି।

ପାକିସ୍ତାନୀ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ରାହତ ଫତେ ଅଲୀ ଖାନଙ୍କ ପୂର୍ବତନ ମ୍ୟାନେଜର ତାଙ୍କ ନାଁରେ ମାନହାନୀ କେସ୍‌ କରିଥିଲେ। ଏଥିପାଇଁ ତାଙ୍କୁ ଦୁବାଇରେ ଗିରଫ କରାଯାଇଥିଲା।

ଭାରତର ଏକାଧିକ ସିନେମା ଓ ଆଲବମରେ କଣ୍ଠଦାନ କରିଥିବା ରାହତ ଫତେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁବାଇ ଯାଇଥିଲେ। ଏହି ସମୟରେ ତାଙ୍କୁ ଇମିଗ୍ରେସନ କେନ୍ଦ୍ରରେ ଅଟକ ରଖାଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରି ଜେରା ଆରମ୍ଭ କରିଥିଲା।

ପାକିସ୍ତାନର ଜିଓ ଟିଭିରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ରାହତଙ୍କ ପୂର୍ବତନ ମ୍ୟାନେଜର ଅହମଦ ତାଙ୍କ ବିରୋଧରେ ଦୁବାଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

କିଛି ମାସ ତଳେ ଉଭୟଙ୍କ ମଧ୍ୟରେ ବିବଦା ସୃଷ୍ଟି ହୋଇଥିଲା। ଏଥିପାଇଁ ରାହତ ଫତେ ତାଙ୍କ ମ୍ୟାନେଜର ଅହମଦଙ୍କୁ ବିଦା କରିଥିଲେ। ଏହାପରେ ଉଭୟ ପରସ୍ପର ବିରୋଧରେ କେସ୍‌ ଫାଇଲ କରିଥିଲେ।

ଏବେ ସେ ଗିରଫ ହୋଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ଇନଷ୍ଟାଗ୍ରାମରେ ଗୋଟିଏ ଭିଡିଓ ଜାରି କରି ରାହତ ଫତେ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ଗୋଟିଏ ଗୀତ ରେକର୍ଡ କରିବାକୁ ଦୁବାଇ ଆସିଥିଲି। ମୋ ଗିରଫଦାରୀ ନେଇ କିଛି ଖବର ପ୍ରଚାର କରାଯାଉଛି। ଦୟା କରି ସେସବୁରେ ବିଶ୍ୱାସ କରନ୍ତୁ ନାହିଁ।”