ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ରାସ୍ତାରେ ଜନ୍ମ ନେଲା ଶିଶୁ
ଭବାନୀପାଟଣା : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କଳାହାଣ୍ଡିର ସାହାଜଖୋଲ ଜଙ୍ଗଲରେ ଥିବା ଆଦିବାସୀ ଗାଁ ଗୁଡ଼ିକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଏବେବି ଲୋକେ ନାହିଁ ନଥିବା ଯନ୍ତ୍ରଣା ଭୋଗନ୍ତି। ଆମ୍ବୁଲାନ୍ସ ଯିବାରେ ସମସ୍ୟା ଥିବାରୁ ରୋଗୀ, ବିଶେଷକରି ଗର୍ଭବତୀ ମହିଳାଙ୍କୁ ଖଟିଆରେ, ଡୋଳା ରେ ବୋହି ଆଣିବାକୁ ପଡେ। ଅନେକ ସମୟରେ ଗର୍ଭବତୀ ମହିଳା ରାସ୍ତାରେ ଛୁଆ ଜନ୍ମ କରିବାର ବହୁ ଦୃଷ୍ଟାନ୍ତ ରହିଛି। ଆଜି ସେଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଆଜି ସକାଳେ […]
ଭବାନୀପାଟଣା : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କଳାହାଣ୍ଡିର ସାହାଜଖୋଲ ଜଙ୍ଗଲରେ ଥିବା ଆଦିବାସୀ ଗାଁ ଗୁଡ଼ିକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଏବେବି ଲୋକେ ନାହିଁ ନଥିବା ଯନ୍ତ୍ରଣା ଭୋଗନ୍ତି। ଆମ୍ବୁଲାନ୍ସ ଯିବାରେ ସମସ୍ୟା ଥିବାରୁ ରୋଗୀ, ବିଶେଷକରି ଗର୍ଭବତୀ ମହିଳାଙ୍କୁ ଖଟିଆରେ, ଡୋଳା ରେ ବୋହି ଆଣିବାକୁ ପଡେ। ଅନେକ ସମୟରେ ଗର୍ଭବତୀ ମହିଳା ରାସ୍ତାରେ ଛୁଆ ଜନ୍ମ କରିବାର ବହୁ ଦୃଷ୍ଟାନ୍ତ ରହିଛି। ଆଜି ସେଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଆଜି ସକାଳେ କୂଟରୁ ଗାଁ ଅନ୍ତର୍ଗତ ସର୍ଗିପାନି ଗାଁର ଜଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କୁ ପ୍ରସବ ବେଦନା ଆରମ୍ଭ ହେଲା। ଖବର ପାଇ ଆଶାକର୍ମୀ ଉର୍ମିଳା ଠାକୁର କୌଣସିମତେ ପାହାଡ଼ ଚଢ଼ି ୧୦୨ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ହେଲେ ୨୬ ନମ୍ବର ଜାତୀୟ ରାଜପଥର ବିରିମୁହାଣ ଛକ ରୁ ଆଗକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ପରିବାର ଲୋକେ ପଥୁରିଆ ରାସ୍ତାରେ ଗର୍ଭବତୀ ଙ୍କୁ ବୋହି ୩ କିମି ବାଟ ଆଣୁଥିବା ବେଳେ ହୀରାମଣି ରାସ୍ତାରେ ହିଁ ସନ୍ତାନ ପ୍ରସବ କଲେ। ସନ୍ତାନ ଜନ୍ମ ପରେ ଅତି କଷ୍ଟରେ ମହିଳାଙ୍କୁ ତାଙ୍କ ସ୍ୱାମୀ ବୋହି ଆଣି ଆମ୍ବୁଲାନ୍ସ ଯାଏଁ ପହଞ୍ଚାଇଥିଲେ। ପରେ ପ୍ରସୂତି ମହିଳା ଓ ନବଜାତ ଶିଶୁକୁ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା ଡାକ୍ତରଖାନାରେ ସୂତ୍ରରୁ ପ୍ରକାଶ। ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ହିରାମଣି ଅସୁସ୍ଥ ଥିବା କୁହାଯାଉଛି। ସାହାଜଖୋଲ ଜଙ୍ଗଲରେ ଥିବା ଆଦିବାସୀ ବହୁଳ ଗାଁ ଗୁଡ଼ିକୁ ସବୁଦିନିଆ ରାସ୍ତା ନଥିବାରୁ ଲୋକେ ଦହଗଞ୍ଜ ହେବା ହିଁ ସାର ହେଉଛି।