ଦୁର୍ଘଟଣାରୁ ଆରମ୍ଭ ହେଲା ନୂଆ ବର୍ଷ
ଭୁବନେଶ୍ୱର/କଟକ/ ବାଲେଶ୍ୱର : ନୂଆ ବର୍ଷ ସକାଳୁ ଘଟିଯାଇଛି ଅଘଟଣ । ପଳାଶୁଣି ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍କୁ ଧକ୍କା ଦେଲେ ଏକ ଘରୋଇ ବସ। ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୧ଟା ବେଳେ କଟକରୁ ମହିଳା ଜଣଙ୍କ ଓଲା ବାଇକ୍ ଯୋଗେ ସହିଦ ନଗର ଆସୁଥିଲେ। ପଳାଶୁଣି ଛକ ନିକଟରେ […]

ଭୁବନେଶ୍ୱର/କଟକ/ ବାଲେଶ୍ୱର : ନୂଆ ବର୍ଷ ସକାଳୁ ଘଟିଯାଇଛି ଅଘଟଣ । ପଳାଶୁଣି ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍କୁ ଧକ୍କା ଦେଲେ ଏକ ଘରୋଇ ବସ। ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୧ଟା ବେଳେ କଟକରୁ ମହିଳା ଜଣଙ୍କ ଓଲା ବାଇକ୍ ଯୋଗେ ସହିଦ ନଗର ଆସୁଥିଲେ। ପଳାଶୁଣି ଛକ ନିକଟରେ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣା ହେବା ଫଳରେ ବାଇକ୍ ଆରୋହୀ ଜଣଙ୍କ ତଳେ ପଡିଯାଇଥିଲେ। ମହିଳା ଜଣକ ବାଇକ୍ରୁ ଖସିପଡିବାରୁ ତାଙ୍କ ମୁଣ୍ଡ ଡାହାଣ କାନ ମାଡ଼ ହେବାରୁ ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି। ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଅନ୍ୟପଟେ ଆଜି ସକାଳେ କଟକ ରେ ଘଟିଯାଇଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆ ବର୍ଷର ପହିଲି କିରଣ ନ ପଡ଼ୁଣୁ ଦୁର୍ଘଟଣାରେ ଲିଭିଯାଇଛି କୁନି ଝିଅର ଜୀବନ ଦୀପ । ନୂଆ ବର୍ଷରେ ଘେରାଏ ବୁଲି ଆସିବା ପାଇଁ ସକାଳୁ ସକାଳୁ ସଜବାଜ ହୋଇ ମଉସାଙ୍କ ସହ ବାଇକରେ ବାହାରି ଯାଇଥିଲା କୁନି ଝିଆରୀ । ମାତ୍ର କିଛି ବାଟ ଯିବା ପରେ ବାଟରେ ଜଗି ରହିଥିଲା ଯମ । ଯୋବ୍ରା ବ୍ୟାରେଜ୍ ନିକଟରେ ବାଇକ୍କୁ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଉଭୟ ମଉସା, ଝିଆରୀ ତଳେ ପଡ଼ି ଯାଇଥିବା ବେଳେ କୁନି ଝିଅଟି ଉପରେ ମାଡ଼ି ଯାଇଛି ହାଇୱା । ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ତା’ ମଉସା ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ବାଲେଶ୍ୱର ଭୋରାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି ୨ଟି ପିକନିକ ଗାଡି । ଏଥିରେ ମୟୁରଭଞ୍ଜ ଅଞ୍ଚଳର ୬ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ପର୍ଯ୍ୟଟକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳ ଦେଇ ଯାଇଥିବା ୫୭ ନମ୍ବର ରାଜ୍ୟ ରାଜପଥ ବେଣୁଦା ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ନୂଆବର୍ଷ ପିକନିକ୍ ପାଇଁ ଯାଉଥିଲେ ମୟୁରଭଞ୍ଜରୁ କିଛି ପର୍ଯ୍ୟଟକ ଏକ ବୋଲେରୋ ଯୋଗେ ଦିଘା ଯାଉଥିଲେ । ଏହି ସମୟରେ ମହିନ୍ଦ୍ରା ଏକ୍ସୟୁଭି ଗାଡିଟି ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ୫୭ ନମ୍ବର ରାଜ୍ୟରାଜପଥ ବେଣୁଦା ନିକଟରେ ୨ଟି ପିକନିକ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୪ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।