ଦୂଷିତ ପାଣିରୁ ଝାଡ଼ାବାନ୍ତି

ଭୁବନେଶ୍ବର : ରାଜ୍ୟର ୫ ଜିଲାରେ ବ୍ୟାପିିଛି ଝାଡ଼ାବାନ୍ତି। ସବୁଠୁ ଆଗରେ ରହିଛି ଯାଜପୁର। ବିଶେଷ କରି ଦୂଷିତ ପାଣିରୁ ଝାଡାବାନ୍ତି ବ୍ୟାପିଛି ବୋଲି କେନ୍ଦ୍ରୀୟ ଦଳ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ବର୍ଷାଦିନ ହେତୁ ନିୟମିତଭାବେ ବି‌େ‌ଶଷ କରି ପ୍ରତି ତିନିଦିନରେ ଜଳ ଉତ୍ସକୁ ବିଶୋଧନ କରିବା ସହିତ ଚିକିତ୍ସା ବ୍ୟବସ୍ଥା ଉପରେ ବିଭାଗକୁ ପରାମର୍ଶ ଦେଇଛି। ଏହାଛଡା ସ୍ଥିତିର ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ […]

ଦୂଷିତ ପାଣିରୁ ଝାଡ଼ାବାନ୍ତି

ଭୁବନେଶ୍ବର : ରାଜ୍ୟର ୫ ଜିଲାରେ ବ୍ୟାପିିଛି ଝାଡ଼ାବାନ୍ତି। ସବୁଠୁ ଆଗରେ ରହିଛି ଯାଜପୁର। ବିଶେଷ କରି ଦୂଷିତ ପାଣିରୁ ଝାଡାବାନ୍ତି ବ୍ୟାପିଛି ବୋଲି କେନ୍ଦ୍ରୀୟ ଦଳ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ବର୍ଷାଦିନ ହେତୁ ନିୟମିତଭାବେ ବି‌େ‌ଶଷ କରି ପ୍ରତି ତିନିଦିନରେ ଜଳ ଉତ୍ସକୁ ବିଶୋଧନ କରିବା ସହିତ ଚିକିତ୍ସା ବ୍ୟବସ୍ଥା ଉପରେ ବିଭାଗକୁ ପରାମର୍ଶ ଦେଇଛି। ଏହାଛଡା ସ୍ଥିତିର ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଡାକ୍ତରଖାନାରେ ଔଷଧ ମହଜୁଦ ଥିବା ସତ୍ତ୍ୱେ ଜଣେ ବୟସ୍କ ନାଗରିକଙ୍କୁ ବାହାରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇଥିବାରୁ ଜଣେ ଡାକ୍ତରଙ୍କୁ ଆଜି ନିଲମ୍ବନ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ସୂଚିତ କରିଥିଲେ। ବିଶେଷ କରି ଗ୍ରାମ୍ୟ ପାନୀୟ ଜଳଉତ୍ସଗୁଡ଼ିକର ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ କରିବା, ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ସଚିବଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ରାଜ୍ୟ ରାପିଡ୍ ଆକ୍ସନ ଟିମର କ୍ଷେତ୍ର ପରିଦର୍ଶନ ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାପରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍‌ କେନ୍ଦ୍ରୀୟ ଟିମ୍‌ମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରରୁ ଆସିଥିବା ତିନୋଟି ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ ପରେ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଝାଡ଼ାବାନ୍ତି ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟରୁ ଆରମ୍ଭ ହୋଇଛି। ତେଣୁ ପ୍ରତି ଜଳ ଉତ୍ସକୁ ନିୟମିତ ଭାବେ ସଠିକ୍‌ ଭାବେ ବିଶୋଧିତ କରିବା ଏବଂ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଅଗଭୀର ନଳକୂପ, ଖୋଲାକୂପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବା ଆଶଙ୍କା ରହିଛି। ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ୍‌ ବଟିକା ପକାଇ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ପରେ କେନ୍ଦ୍ରୀୟ ଦଳ ଭିନ୍ନ ଭିନ୍ନ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଗୃହନିର୍ମାଣ ଓ ନଗର ଉନ୍ନୟନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଆଜି ୨୫ଟି ଜଳ ନମୁନା ଓ ୨୦ଟି ଖାଦ୍ୟ ନମୁନା ପରୀକ୍ଷା କରାଯାଇଛି ଏବଂ ୩୫ଟି ହୋଟେଲ, ଢାବା ଓ ପାଣି ବୋତଲ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଛି। ଏହା ମଧ୍ୟରେ ସମଗ୍ର ରାଜ୍ୟରେ ପାନୀୟ ଜଳ ବିଶୋଧନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। କଟକ, ସୁବର୍ଣ୍ଣପୁର, କେନ୍ଦୁଝର, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ୱରରେ ପାନୀୟ ଜଳ ବିଭାଜନଗୁଡ଼ିକ ପକ୍ଷରୁ ବିଶୋଧନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପାନୀୟ ଜଳ ସ୍ରୋତଗୁଡ଼ିକ ବିଶୋଧନ କରାଯାଇଥିଲା। ଏହା ସହ ରାଜ୍ୟର ଅନ୍ୟ ସମସ୍ତ ପାନୀୟ ଜଳ ବିଭାଜନରେ ପାନୀୟ ଜଳ ସ୍ରୋତଗୁଡ଼ିକର ବିଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର କିଛି ଜିଲାରେ ହଇଜା ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବ୍ଲକ୍‌ ଏବଂ ପୌର ପରିଷଦରେ ସଚେତନତାର ବାର୍ତ୍ତା ନେଇ ‘ବିକାଶ ବାହନ’ ଭ୍ରମଣ କରୁଛି। ଜିଲାର ସମସ୍ତ ଜଳ ସାଥୀମାନଙ୍କୁ ସଙ୍ଗଠିତ ଏବଂ ତତ୍ପର କରାଯିବ ଏବଂ ଆବଶ୍ୟକ ସ୍ଥଳେ ଜଳ ନମୁନା ପରୀକ୍ଷା ପାଇଁ କିଟ୍‌ ଯୋଗାଇ ଦିଆଯିବ। ଏହି ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକ ସଂପର୍କ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି ବିଭାଗ ଆୟୁକ୍ତ ତଥା ଶାସନ ସଚିବଙ୍କ ଉପସ୍ଥିତିରେ ସ୍ଥିତି ସଂପର୍କରେ ପଚାରି ବୁଝିବା ସହ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଓ ନିର୍ଦେଶ ଦେଇଛନ୍ତି।
ସେହିପରି ଅପରାହ୍ଣରେ ରାଜ୍ୟର ସମସ୍ତ ଜିଲାରେ ଝାଡ଼ାବାନ୍ତି ମୁକାବିଲା ସ୍ଥିତି ବିଷୟରେ ସ୍ୱାସ୍ଥ୍ୟ ସଚିବ ସମୀକ୍ଷା କରିଥିଲେ। ଏହି ବୈଠକରେ ସମସ୍ତ ଜିଲାର ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ, ସମସ୍ତ ଭେଷଜ ମହାବିଦ୍ୟାଳୟ ଡିନ ଓ ମେଡିକାଲ ଅଧୀକ୍ଷକ ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ। ବୈଠକରେ ଝାଡ଼ାବାନ୍ତି ସଂକ୍ରମିତ ବିଭିନ୍ନ ଜିଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତାକାଲି ବିଶେଷଜ୍ଞ ଦଳ କଟକ, ଯାଜପୁର ଓ ଭଦ୍ରକ ଜିଲା ଗସ୍ତ କରିବେ। ପ୍ରତି ଜିଲାରେ କୋର କମିଟି ଗଠନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ଏହି କୋର କମିଟି ଦୈନିକ ସନ୍ଧ୍ୟାରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ଓ ତଦନୁଯାୟୀ ପରଦିନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ।