ଦୋଛକିରେ ସାମାଜିକ ସମ୍ପର୍କ
ସମ୍ପର୍କ ଏମିତି ଏକ ଉପାଦାନରେ ଗଢ଼ା, ଯାହା କେବଳ ରକ୍ତଗତ ଭାବ ମଧ୍ୟରେ ସୀମିତ ନରହି ଭାବଗତ ଭାବକୁ ଆଧାର କରି ଆଗକୁ ମାଡ଼ିଚାଲେ। ଆତ୍ମୀୟତା ଭାବ ଯେଉଁଠି ଥାଏ, ସେଇଠି ଆସେ ବିଶ୍ୱାସ। ଏଇ ବିଶ୍ୱାସ ହିଁ ପାଲଟିଥାଏ ସମ୍ପର୍କର ମୂଳପୁଞ୍ଜି।୍ ଏମିତ ିବି ହୁଏ, କେବେକେବେ ରକ୍ତ ବି ରକ୍ତକୁ ଧୋକାଦିଏ। ବିଶ୍ୱାସରେ ମିଶିଯାଏ ବିଷ। ସବୁକିଛି ଆଶା ଓ ବିଶ୍ୱାସ ଧୂଳିସାତ୍ ହୋଇଯାଏ। ମନଭିତରୁ ଅପସରିଯାଏ ଆତ୍ମୀୟତା। ସୁତରାଂ ଏଠି ସଂକୁଚିତ ହୋଇଯାଏ […]

ସମ୍ପର୍କ ଏମିତି ଏକ ଉପାଦାନରେ ଗଢ଼ା, ଯାହା କେବଳ ରକ୍ତଗତ ଭାବ ମଧ୍ୟରେ ସୀମିତ ନରହି ଭାବଗତ ଭାବକୁ ଆଧାର କରି ଆଗକୁ ମାଡ଼ିଚାଲେ। ଆତ୍ମୀୟତା ଭାବ ଯେଉଁଠି ଥାଏ, ସେଇଠି ଆସେ ବିଶ୍ୱାସ। ଏଇ ବିଶ୍ୱାସ ହିଁ ପାଲଟିଥାଏ ସମ୍ପର୍କର ମୂଳପୁଞ୍ଜି।୍ ଏମିତ ିବି ହୁଏ, କେବେକେବେ ରକ୍ତ ବି ରକ୍ତକୁ ଧୋକାଦିଏ। ବିଶ୍ୱାସରେ ମିଶିଯାଏ ବିଷ। ସବୁକିଛି ଆଶା ଓ ବିଶ୍ୱାସ ଧୂଳିସାତ୍ ହୋଇଯାଏ। ମନଭିତରୁ ଅପସରିଯାଏ ଆତ୍ମୀୟତା। ସୁତରାଂ ଏଠି ସଂକୁଚିତ ହୋଇଯାଏ ସମ୍ପର୍କ।
ଆଜିର ମଣିଷ ଏଡ଼େ ସ୍ୱାର୍ଥପର ହୋଇଗଲାଣି ଯେ, ତା’ ସ୍ୱାର୍ଥରେ ଟିକିଏ ବି ଆଞ୍ଚ ଆସିଲେ ସମ୍ପର୍କ ତୁଟାଇବାକୁ ପଛଘୁଞ୍ଚା ଦେଉନାହିଁ। ଅତୀତର ଉପକାର, ଭଲପାଇବା କ୍ଷଣିକ ମଧ୍ୟରେ ପାଲଟି ଯାଉଛି କୁହେଳିକା। ଅତି ଆପଣାର ମଣିଷମାନେ ଅଚିହ୍ନା, ଅଲୋଡ଼ା ହୋଇଯାଉଛନ୍ତି। ସବୁକିଛି ସମ୍ପର୍କକୁ ତୁଟାଇ ଶତ୍ରୁତା ତିଆରି ପାଇଁ ସେମାନେ ବଦ୍ଧପରିକର ଯେମିତି। ସମ୍ପର୍କ ସେଇଠି ହାର୍ ମାନିଯାଏ, ସେଇଠି ମନରେ ଆସେ ସ୍ୱାର୍ଥ। ସାମାନ୍ୟ ଭାଇଭାଗ ପାଇଁ ସମ୍ପର୍କରେ ସୃଷ୍ଟିହୁଏ ଫାଟ। ରକ୍ତରେ ଖେଳାଯାଏ ହୋଲି। ଛିନ୍ନ କରିଦିଆଯାଏ ଯାବତୀୟ ବନ୍ଧନ। ମନରେ ଆସିଥିବା ଅହଂଭାବ ଟିକକ ହିଁ ସବୁକିଛି ଛଡ଼େଇନିଏ ଆମ ପାଖରୁ। ଏ ତିକ୍ତତା କ୍ରମଶଃ ଏପରି ଉଗ୍ର ରୂପ ଧାରଣ କରେ ଯେ ବିପଦ କାଳରେ ମଧ୍ୟ ସମ୍ପର୍କ କିଛି ବୋଲ ମାନେ ନାହିଁ। ପରସ୍ପରଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ସେମାନେ। ସବୁକିଛି ଜାଣି ମଧ୍ୟ ନ ଜାଣିବାର ଅଭିନୟ କରନ୍ତି। କର୍ତ୍ତବ୍ୟବୋଧ ଓ ବ୍ୟସ୍ତଜୀବନର ଆଳ ଦେଖାଇ ମଧ୍ୟ ଅନେକେ ସମ୍ପର୍କଠାରୁ କ୍ରମଶଃ ଦୂରେଇ ଯାଉଥିବାର ଦେଖିବାକୁ ମିଳିଥାଏ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉନ୍ନତିର ଶୀର୍ଷ ସୋପାନରେ ପହଞ୍ଚିସାରିଥିଲେ ମଧ୍ୟ ଏହା ମାଧ୍ୟମରେ ସମ୍ପର୍କର ସ୍ଥାୟିତ୍ୱ ରଖିବା ପାଇଁ ନିଅଣ୍ଟ ପଡ଼େ ସମୟ। ଫୋନ୍ ମାଧ୍ୟମରେ ଭଲମନ୍ଦ ବୁଝିବା ପାଇଁ ନା ଥାଏ ଆନ୍ତରିକତା ନା ଥାଏ ଇଚ୍ଛାଶକ୍ତି। ସୁତରାଂ ଏ କ୍ଷେତ୍ରରେ ସମ୍ପର୍କ ସଂକୁଚିତ ହେବା ସାର ହୋଇଥାଏ।
ଆମେ ନିଜେ ଖାଲି ସମ୍ପର୍କଠାରୁ ଦୂରେଇ ଯାଉନୁ, ଆମ ପିଲାମାନଙ୍କୁ ମଧ୍ୟ ଏକରକମ ସବୁ ସମ୍ପର୍କଠାରୁ ଦୂରେଇ ରଖିବାକୁ ପ୍ରୟାସ ଜାରି ରଖିଛୁ। ପାଠ ପଢ଼଼ିବାର ଚାପ ଓ ବିଭିନ୍ନ ଆଳ ଦେଖାଇ ଆମ ପିଲା ଛୁଟିରେ ଆଉ ମାମୁଘର ଯାଉନାହାନ୍ତି। ମାଉସୀଘର, ଅପା ଘର, ନାନୀ ଭିଣେଇ ଘରର ସବୁ ସମ୍ପର୍କ ଯେମିତି ଫିକା ପାଲଟିଯାଉଛି। ଆମ୍ୱତୋଟାରେ ଖେଳିବା, ଝରଣାରୁ ମାଛ ଧରିବା, ପୋଖରୀରେ ପହଁରିବା, ମାମୁଘର ଗାଁର ମେଳାକୁ ମନଭରି ଉପଭୋଗ କରିବା ଆମ ପିଲାଙ୍କ ପାଇଁ ଅବାସ୍ତବ ପାଲଟିଯାଇଛି। ଏପରି ସ୍ଥିତିରେ ସମ୍ପର୍କର ସଂଜ୍ଞା ନିରୂପଣ କରିବା ଆମ ପାଇଁ ବେଶ୍ କଷ୍ଟସାଧ୍ୟ ହୋଇପଡ଼ିଛି। ଆଗରୁ ପ୍ରଥମାଷ୍ଟମୀ, ରଜ, ଖୁଦୁରୁକୁଣୀ ଓଷା, ସାବିତ୍ରୀ ବ୍ରତ ପରି ଓଷାବ୍ରତମାନଙ୍କରେ ବାପଘରୁ ଆସୁଥିଲା ଭାର। ସେଥିରେ ଭରି ରହିଥିଲା ପ୍ରଚୁର ଆତ୍ମୀୟତା। ଏବେ କୁଆଡ଼େ ଗଲାଣି ସେ ସବୁ! ଏବେ ତ ଫୋନ୍ ପେ’ର କାରବାର। ଫଳମୂଳ, ଶାଢ଼ି, ପୋଷାକ ପାଇଁ ପଇସା ପଠାଇଦେଲେ ଗଲା। ସମୟ ନଷ୍ଟ ନାହିଁ କି ଯିବା ଆସିବା ଖର୍ଚ୍ଚ ବି ନାହିଁ। ସୁତରାଂ ଏପରି ପରିସ୍ଥିତିରେ ଯେଉଁଠି ବର୍ଷକୁ ଥରେ ଅଧେ ଆତ୍ମୀୟସ୍ୱଜନଙ୍କ ମୁଖ ଦର୍ଶନର ସୁଯୋଗ ମିଳେନାହିଁ କି ଆତ୍ମୀୟତା ପଣ ଆସେ ନାହିଁ। ସେଇଠି ସମ୍ପର୍କ ସଂକୁଚିତ ହେବା ତ ନିଶ୍ଚିତ।
ଏବେ ସବୁରି ମୁହଁରେ ବ୍ୟସ୍ତତାର ବଖାଣ। ଦୁଃଖରେ କେବେ କେମିତି ଆଶ୍ୱାସନା ମିଳୁଛି ସତ, ହେଲେ ମିଳୁନି କାଣିଚାଏ ସହଯୋଗ। ବିପଦ କାଳରେ ପାଖରେ ଠିଆ ହେବା ପାଇଁ ମଧ୍ୟ ସମୟର ଘୋର ଅଭାବ। କେବଳ ଫୋନ୍ ମାଧ୍ୟମରେ ଆଶ୍ୱାସନା ପଦେ ଜଣାଇଦେଲେ କାମ ଶେଷ। ମେଡିକାଲରେ ପଡ଼ି ରହିଥିଲେ ଆତ୍ମୀୟସ୍ୱଜନ କେବଳ ମେଞ୍ଚେ ଫଳମୂଳ ନେଇ ଦେଖାଦେଖିରେ ସିନା କାମ ଚଳେଇ ଦିଅନ୍ତି, କିନ୍ତୁ ରୋଗୀର ସହାୟକ ସାଜି ତା’ ପାଖରେ ଦିନେ ଦି’ଦିନ ରହିବା ପାଇଁ କାମବାହାନା ଦେଖାନ୍ତି। ସୁଖର ସାଧନ ଛାଡ଼ିବାକୁ ଚାହୁଁନଥିବା ଏ ଧରଣର ବ୍ୟକ୍ତିମାନେ ଆତ୍ମୀୟସ୍ୱଜନଙ୍କ ମୃତ୍ୟୁବେଳରେ କେବଳ ଶବାଧାରରେ ମାଲଭାଇ ସାଜି ମଶାଣିଯାଏଁ ଯାଆନ୍ତି। ଦଶାହ ସରୁ ନ ସରୁଣୁ ସେଠୁ ମୁକୁଳି ମୁକ୍ତିର ନିଃଶ୍ୱାସ ମାରନ୍ତି। ସେଇ ଅସହାୟ ପରିବାରର ପରବର୍ତ୍ତୀ ସ୍ଥିତି ଜାଣିବାକୁ ତାଙ୍କର ବେଳ ନ ଥାଏ କି ଆଗ୍ରହ ମଧ୍ୟ ନଥାଏ। ଏପରି ପରିସ୍ଥିତିରେ ସମ୍ପର୍କ କେମିତି ଭଲା ସଂକୁଚିତ ନହେବ ଯେ!
ବିଶ୍ୱାସ ଓ ନିଃସ୍ୱାର୍ଥପର ଭାବନାର ମଜବୁତ୍ ମୂଳଦୁଆ ଉପରେ ଛିଡ଼ାହୋଇଥାଏ ସୁନ୍ଦର ସମ୍ପର୍କଟିଏ। ଏଠି ଈର୍ଷା, ଛଳନା ବା ପରଶ୍ରୀକାତରତାର ସ୍ଥାନ ହିଁ ନଥାଏ। ହଁ, କେବଳ ଥାଏ ନିଛକ ଭଲପାଇବା। ସୁନ୍ଦର ମନସମୂହର ସମ୍ମିଳିତ ଭାବନା ଭିତରେ ସମ୍ପର୍କ ହସିଉଠେ। ପରସ୍ପର ପ୍ରତି ସମର୍ପଣ ଭାବ ଓ ଆତ୍ମୀୟତାର ରଜ୍ଜୁ ଭିତରେ ବନ୍ଧାଥିବା ଏ ସମ୍ପର୍କ ତ ସଂକୁଚିତ ହୁଏନାହିଁ, ବରଂ ଦିନକୁଦିନ ହୋଇଥାଏ ଦୃଢ଼ତର। ଯାବତୀୟ ଝଡ଼ଝଞ୍ଜାକୁ ପଛରେ ପକାଇ ଏହି ପବିତ୍ର ଭାବ ଟିକକ ମନରେ ଅନବରତ ଆଣିଦେଇଥାଏ ଅଭୂତପୂର୍ବ ଉତ୍ସାହ ଓ ପ୍ରେରଣା। ତା’ ସହିତ ଅଦମ୍ୟ ସାହସ ଓ ଉଦ୍ଦୀପନା। ସମ୍ପର୍କ ଭାଙ୍ଗିଦେବା ସହଜ, ମାତ୍ର ଗଢ଼ିବା ସହଜ ନୁହେଁ। ମଧୁର ସମ୍ପର୍କଟିଏ ଗଢ଼ିବା ପାଇଁ ଯେଉଁ ପୁଞ୍ଜି ଟିକକ ଆମର ଲୋଡ଼ା ହୋଇଥାଏ, ସେତକ ଆମ ପାଖରେ ରହିବା ଏକାନ୍ତ ଆବଶ୍ୟକ। ସୁସ୍ଥ ମନ ଓ ସୁସ୍ଥ ଚିନ୍ତନ ଏ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ସମ୍ପର୍କ ତ ବିଭିନ୍ନ ସ୍ତରରେ ଓ ବିଭିନ୍ନ ମାଧ୍ୟମରେ କରାଯାଇଥାଏ, ମାତ୍ର ତା’ ସ୍ଥାୟୀତ୍ୱ ଆମ ଉପରେ ହିଁ ନିର୍ଭର କରିଥାଏ। ପାରସ୍ପରିକ ସଦ୍ଭାବ ଓ ଛନ୍ଦହୀନ ବିଚାରଧାରା ଏହାକୁ ମଜବୁତ୍ କରିବାରେ ବିଶେଷ ସହାୟକ ହୋଇଥାଏ। ସମ୍ପର୍କ ପାଇଁ ସମଭାବାପନ୍ନ ମାନସିକତାର ଆବଶ୍ୟକତା ରହିଛି। ଅନ୍ୟର ସୁଖ ବେଳେ ନୁହେଁ, ବରଂ ଦୁଃଖ ସମୟରେ ପରସ୍ପରକୁ ସାହାଯ୍ୟ କରିବା, ସମବେଦନା ଜଣାଇବା, ଆଶ୍ୱାସନା ଦେବା, ସାହସ ଦେବାର ସୁସ୍ଥ ପରମ୍ପରା ଟିକକ ମନ ଭିତରେ ରହିବା ଏକାନ୍ତ ପ୍ରୟୋଜନ।
ଏକ ଖିଆଲି ମନୋଭାବ ନେଇ ଗଢ଼ା ସମ୍ପର୍କ ତିଷ୍ଠି ରହିପାରିନଥାଏ। ଏହା ଏମିତି ଉପାଦାନ ଉପରେ ଗଢ଼ା ହେବା ଦରକାର, ଯେମିତି ନଟେଇ ସହିତ ଗୁଡ଼ିର, ଫୁଲ ସହିତ ବାସ୍ନାର, ଜଳ ସହିତ ଶୀତଳତାର, ଆକାଶ ସହିତ ମାଟିର, ଗଛ ସହିତ ଛାଇର ପୁଣି ନିଅାଁ ସହିତ ତେଜର। ଅନ୍ୟର ସୁଖକୁ ନିଜର ନ ଭାବିଲେ ନାଇଁ, ଅନ୍ତତଃପକ୍ଷେ ବିପଦକୁ ନିଜର ମଣିବା ହେଉଛି ସମ୍ପର୍କର ଆଉ ଏକ ପରିଭାଷା। ଈର୍ଷା, ଦ୍ୱେଷ ଓ ପରଶ୍ରୀକାତରତା ପରି ଅମାନବୀୟ ଗୁଣକୁ ପରିହାର କରିବା ହିଁ ଏକ ସୁସ୍ଥ ମାନବିକତାର ପରିଚାୟକ। ଏହି ଭାବଧାରା ଉପରେ ଆଧାରିତ ସମ୍ପର୍କ ହିଁ ହୋଇପାରିଥାଏ କାଳଜୟୀ। ପିଢ଼ି ପରେ ପିଢ଼ି ଏ ଭାବଧାରାକୁ ଆପଣାର କରିବାର ମାନସିକତା ଆମ ଠାରୁ ହିଁ ଗ୍ରହଣ କରିପାରିବେ। ସୁତରାଂ ଏ କ୍ଷେତ୍ରରେ ଆମ ବିଚାରଧାରା ସଂକୁଚିତ ନହୋଇ ଊର୍ଦ୍ଧ୍ବମୁଖୀ ହେବା ଏକାନ୍ତ ଆବଶ୍ୟକ।
ସମ୍ପର୍କ ବିଶ୍ୱାସରୁ ହିଁ ଆରମ୍ଭ ହୋଇଥାଏ ଓ ପ୍ରତାରଣାରେ ଶେଷ ହୋଇଥାଏ। ସମ୍ପର୍କକୁ ଦୋଛକି ମଧ୍ୟରେ ସୀମିତ ନକରି ଅନବରତ ଜୀବନ ସହିତ ସାମିଲ୍ କରି ଏହାକୁ ବଜାୟ ରଖିବା ଆମର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ଏହା ହିଁ ଆମ ମାନବୀୟ ଚେତନାର ଉତ୍ତରଣରେ ବିଶେଷ ଭୂମିକା ଗ୍ରହଣ କରିପାରିବ। ସମ୍ପର୍କର ସ୍ଥାୟିତ୍ୱ କେବଳ ଆତ୍ମସନ୍ତୋଷ ଦେବନାହିଁ, ବରଂ ଉତ୍ତରପିଢ଼ି ପାଇଁ ଏକ ସକାରାତ୍ମକ ମାର୍ଗପ୍ରଦର୍ଶନ କରିବ। ଜୀବନ ବି ହୋଇପାରିବ ସୁନ୍ଦର ଓ ମଧୁମୟ।
ସଂଗ୍ରାମ କେଶରୀ ପୃଷ୍ଟି
ରାଜକିଶୋରନଗର, ମୋ: ୯୪୩୭୫୪୭୧୪୬